Advertisment

ନିର୍ବାଚନ ଲଢ଼ିବେ ନାହିଁ ମେହବୁବା ମୁଫତି, ମୈଦାନକୁ ଓହ୍ଲାଇବେ ଝିଅ

ମେହବୁବା ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ ହେଁ ତାଙ୍କ ଝିଅ ଇଲତିଜା ମୁଫତି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବେ।

Mufti

Mufti

Advertisment

ପିଡିପି ମୁଖ୍ୟ ମେହବୁବା ମୁଫତି ଆଗାମୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ବର୍ତ୍ତମାନ ପରିସ୍ଥିତି ଯାହା ସେ ମୁଖ୍ୟମନ୍ତ୍ରୀ ହୋଇଗଲେ ମଧ୍ୟ ଦଳର ଏଜେଣ୍ଡାକୁ କାର୍ଯ୍ୟକ୍ଷମ କରିବାକୁ ସଫଳ ହୋଇପାରିବେ ନାହିଁ। ତେଣୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

Advertisment

ମେହବୁବା ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ ହେଁ ତାଙ୍କ ଝିଅ ଇଲତିଜା ମୁଫତି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବେ। ଅର୍ଥାତ ସେ ନିର୍ବାଚନ ଲଢ଼ିବେ। ହେଲେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ, ସେକଥା ଜଣାପଡ଼ିନି।

ମେହବୁବା ମୁଫତି କହିଛନ୍ତି, “ବିଜେପି ସହ ସରକାର ଗଠନ କରିଥିବା ବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି। ଉକ୍ତ ସରକାର ୨୦୧୬ରେ ୧୨ ହଜାର ଲୋକଙ୍କ ବିରୋଧରେ ଏଫଆଇଆରକୁ ପ୍ରତ୍ୟାହାର କରିଥିଲା। କ’ଣ ଏବେ ସେମିତି ହୋଇପାରିବ? ମୋଦିଙ୍କ ସହ ଥିବା ସରକାରରେ ମୁଁ ମୁଖ୍ୟମନ୍ତ୍ରୀ ହିସାବରେ ବିଚ୍ଛିନ୍ନତାବାଦୀଙ୍କୁ ଚିଠି ଲେଖି ଆଲୋଚନା ପାଇଁ ଡାକିଥିଲି। କ’ଣ ଆପଣ ଏବେ ସେମିତି ଆଜି କରିପାରିବେ?

Advertisment

ମୁଁ ତୃଣମୂଳ ସ୍ତରରେ ଅସ୍ତ୍ରବିରତି ଲାଗୁ କରିଥିଲି। ଏବେ ସେମିତି ହୋଇପାରିବ? ଯଦି ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ଆପଣ ଏଫଆଇଆର ପ୍ରତ୍ୟାହାର କରିପାରିବେ ନାହିଁ, ତା’ହେଲେ ଏପରି ପୋଷ୍ଟରେ ରହିବାର କାରଣ କ’ଣ?”

ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ନିର୍ବାଚନ ଲଢ଼ିବା ନିଷ୍ପତ୍ତି ବଦଳାଇବା ସମ୍ପର୍କରେ ମେହବୁବା ମୁଫତି କହିଛନ୍ତି, “ଓମାର ନିଜେ କହି ସାରିଛନ୍ତି ଯେ ସେ ପିଓନର ବଦଳି ପାଇଁ ମଧ୍ୟ ଉପ ରାଜ୍ୟପାଳଙ୍କ ଦୁଆରକୁ ଯିବାକୁ ବାଧ୍ୟ ହେବେ। ମୁଁ ପିଓନଙ୍କ ବଦଳିକୁ ନେଇ ଚିନ୍ତିତ ନୁହେଁ। ବରଂ ଆପଣ ଆମର ଏଜେଣ୍ଡାକୁ କାର୍ଯ୍ୟକାରୀ କରିପାରିବେ?”

ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ କରିଥିବା ବେଳେ ପିଡିପି ଏଥିରେ ସାମିଲ ନ ହେବାର କାରଣ ସମ୍ପର୍କରେ ମୁଫତି କହିଛନ୍ତି, “ଆମେ ସବୁବେଳେ ଏକାକୀ ଲଢ଼ି ଆସିଛୁ। ଆମ ଦଳ ୧୯୯୯ରେ ଗଠନ ହୋଇଥିଲା। ସେବେଠାରୁ ଆମେ ଏକା ଲଢ଼ୁଛୁ। ଆମେ ଲୋକଙ୍କ ସହାୟତାରେ ଲୋକଙ୍କ ସହାୟତା ପାଇଁ ଲଢ଼ୁଛୁ।

ଆମେ କଂଗ୍ରେସର ଅଂଶ ବିଶେଷ ଥିଲୁ। ମୁଁ ସିଏଲପି ଥିଲି। ମୁଫତି ମହମ୍ମଦ ସୟିଦ(ମେହବୁବାଙ୍କ ବାପା) ଜଣେ ସାଂସଦ ଥିଲେ। ହେଲେ ଆମେ କଂଗ୍ରେସରୁ ବାହାରିଥିଲୁ ଓ ଆମେ ନିଜସ୍ୱ ଦଳ ଗଠନ କରିଥିଲୁ।”

୨୦୧୪ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନଫରେନ୍ସ ୧୫ଟି ଓ କଂଗ୍ରେସ ୧୨ଟି ଆସନ ଜିତିଥିଲେ। ପିଡିପି ୨୮ଟି ଆସନ ଜିତିବା ପରେ ବିଜେପି ସହ ମିଶି ସରକାର ଗଠନ କରିଥିଲା।

ହେଲେ ୨୦୧୮ରେ ଦୁଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଥିଲା। ଫଳରେ ସରକାର ଭୁଶୁଡ଼ି ପଡ଼ିଥିଲା। ସେବେଠାରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏବେ ୧୦ ବର୍ଷ ପରେ ଏଠାରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ହେବାକୁ ଯାଉଛି।

Jammu Kashmir Mehbooba Mufti Jammu Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe