ବରିଷ୍ଠ ନେତାମାନଙ୍କ ସମ୍ମତିରେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ନବୀନ: ମୂଳପୋଛ ହୋଇଯିବ କି ବିଜେଡି ?

‘ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ମୋ’ ନଜରକୁ ଆସିଛି । ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ । ପାଣ୍ଡିଆନଙ୍କୁ ତାଙ୍କର ସତ୍ୟନିଷ୍ଠା ଓ ସାଧୁତା ପାଇଁ ସର୍ବଦା ମନେ ରଖାଯିବ । ସେ ଅଫିସର ଭାବେ ୧୦ବର୍ଷ ଧରି ବହୁତ ଭଲ କାମ କରିଛନ୍ତି ।’

ନବୀନ ପଟ୍ଟନାୟକ

  • Published: Saturday, 08 June 2024
  • , Updated: 08 June 2024, 07:13 PM IST

ଦୀର୍ଘ ୨୭ବର୍ଷର ସଫଳ ଆଂଚଳିକ ଦଳ ତଥା ୨୪ବର୍ଷର ସରକାରକୁ ନିଜର ଭୁଲ୍ ରଣନୀତି ଓ ଆତ୍ମବଡ଼ିମା ଯୋଗୁ ଧୂଳିସାତ୍ କରିଦେଇଥିବା ଭିକେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ସିଧାସଳଖ ପାଣ୍ଡିଆନ ଏବଂ ତାଙ୍କ ଟିମକୁ ଦାୟୀ କରି ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦଳର ଯୁବ-ଛାତ୍ର କର୍ମକର୍ତ୍ତାମାନେ ଏବେ ଏକଜୁଟ୍ ହେବାରେ ଲାଗିଛନ୍ତି । ଆଉ ଦଳରେ ବଢ଼ୁଥିବା ଏଭଳି ଆକ୍ରୋଶକୁ ଦେଖି ନବୀନ ଆଜି ଗଣମାଧ୍ୟମ ସମ୍ମୁଖକୁ ଆସି ପାଣ୍ଡିଆନଙ୍କୁ ସମାଲୋଚନା କରାଯିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ତେବେ ଦଳର ଏଭଳି ଶୋଚନୀୟ ପରାଜୟ କାହିଁକି ହେଲା, ସେ ନେଇ ମୁହଁ ଖୋଲିନାହାନ୍ତି ।

ନବୀନ ଆଜି ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଓ ପିଟିଆଇକୁ ଡାକି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାବାସୀ ଦୀର୍ଘବର୍ଷ ହେବ ତାଙ୍କୁ ଆଶୀର୍ବାଦ କରିଛନ୍ତି । ବାରମ୍ବାର ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ । ନିର୍ବାଚନରେ ହାରିବା ଓ ଜିତିବା ଲାଗି ରୁହେ । ସାଢ଼େ ୪କୋଟି ଓଡ଼ିଶାବାସୀକୁ ସବୁବେଳେ ପରିବାର ଭାବି ଆସିଛି । ଆଗକୁ ଯେଉଁଭଳି ସେବା କରିପାରିବି ତାହା ଜାରି ରଖିବି । ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ମୋ’ ନଜରକୁ ଆସିଛି । ପାଣ୍ଡିଆନଙ୍କୁ ସମାଲେଚାନା କରିବା ଦୁର୍ଭାଗ୍ୟଜନକ । ପାଣ୍ଡିଆନଙ୍କୁ ତାଙ୍କର ସତ୍ୟନିଷ୍ଠା ଓ ସାଧୁତା ପାଇଁ ସର୍ବଦା ମନେ ରଖାଯିବ । ସେ ଅଫିସର ଭାବେ ୧୦ବର୍ଷ ଧରି ବହୁତ ଭଲ କାମ କରିଛନ୍ତି । ବାତ୍ୟା ଓ କୋଭିଡ୍ ପରିଚାଳନାରେ ତାଙ୍କର କାର୍ଯ୍ୟ ଭଲ ରହିଥିଲା । ସେ ଚାକିରିରୁ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ । ସେ ଦଳର କୌଣସି ପଦପଦବୀରେ ନଥିଲେ କିମ୍ବା ନିର୍ବାଚନ ଲଢ଼ିନାହାନ୍ତି । ପାଣ୍ଡିଆନ ମଧ୍ୟ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି ବୋଲି ନବୀନ ଆଜି ପୁଣିଥରେ ନିଜଆଡ଼ୁ ସ୍ପଷ୍ଟ କରିଛନ୍ତି ।

ତେବେ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ ଆଜି ପ୍ରଥମଥର ପାଇଁ ନବୀନ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ସକାଳେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ନବୀନଙ୍କ ଏହି ପ୍ରତିକ୍ରିୟା ଆସିଛି । ନବୀନ ନିବାସରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ପ୍ରତାପ ଦେବ, କଳିକେଶ ସିଂହଦେଓ, ପ୍ରଣବପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କ ବୈଠକ ପରେ ନବୀନ ଏହି ପ୍ରତିକ୍ରିୟା ଦେବା ଦଳର ଲକ୍ଷ ଲକ୍ଷ କର୍ମୀଙ୍କୁ ନିରାଶ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଦଳର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମର ଆତ୍ମବଡ଼ିମା, ଏକଛତ୍ରବାଦୀ ନିଷ୍ପତ୍ତି, ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା ଓ ବ୍ୟବସାୟିକ ସ୍ୱାର୍ଥ ଆଦି ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ବିଜେଡିର ଏହି ବରିଷ୍ଠ ନେତାମାନେ ସେସବୁ ଉପରେ ଆଲୋଚନା କରିବାକୁ ସାହାସ ଜୁଟାଇ ପାରିନଥିବା ଜଣାପଡ଼ିଛି । ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାମାନଙ୍କୁ କାହିଁକି ସାମିଲ କରାଗଲାନି ଓ ପାଣ୍ଡିଆନ ନିଜର ଟିମ ସଦସ୍ୟ ଯଥା- ପ୍ରଣବପ୍ରକାଶ ଦାସ, ଡିଏସ କୁଟ୍ଟେ, ମାନସ ମଙ୍ଗରାଜ, ମନୋଜ ମିଶ୍ରଙ୍କୁ ଧରି କରିଥିବା ମନମୁଖୀ କାର୍ଯ୍ୟ ଯୋଗୁ ଦଳର ଏଭଳି ବିପର୍ଯ୍ୟୟ ହେଲା ବୋଲି ବିଜେଡି କର୍ମୀମାନେ ଖୋଲାଖୋଲି ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ମଧ୍ୟ ଦଳର ବରିଷ୍ଠ ନେତାମାନେ ନିଜ ସ୍ୱାର୍ଥ ପାଇଁ ଚୁପ୍ ରହିଛନ୍ତି । ଆଉ ପରୋକ୍ଷରେ ବିଜେଡିକୁ ପୁଣିଥରେ ତଳିତଳାନ୍ତ କରିବାକୁ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି ।

ଏପଟେ, ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରି ଦଳର ଯୁବ ଓ ଛାତ୍ର କର୍ମକର୍ତ୍ତାମାନେ ଗତକାଲି ସଂଘବଦ୍ଧ ଭାବେ ଶଙ୍ଖ ଭବନରେ ପଶି ବିଜେଡି ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀଙ୍କ ସମେତ ଲେନିନ୍ ମହାନ୍ତି, ସସ୍ମିତ ପାତ୍ରଙ୍କୁ ଧମକଚମକ ଦେବାକୁ ପଛାଇନଥିଲେ । ଏପରିକି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ମଧ୍ୟ ଚେତାବନୀ ଦେଇ ଭବିଷ୍ୟତରେ ପାଣ୍ଡିଆନଙ୍କୁ ସୁହାଇବା ପାଇଁ ଯଦି ଦଳ କୌଣସି ସାମ୍ବାଦିକ ସମ୍ମିଳନୀ କରେ ତା’ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାଇ ଦେଇଥିଲେ । ଆଜି ମଧ୍ୟ ଯୁବ ଓ ଛାତ୍ର ନେତାମାନେ ପାଣ୍ଡିଆନ ସମେତ ବିଜେଡି ମିଡିଆ ପ୍ରଭାରୀ ମାନସ ମଙ୍ଗରାଜ ଓ ତାଙ୍କ ଟିମ୍ (ସସ୍ମିତ ଓ ଲେନିନ)ଙ୍କ ଘରକୁ ଯାଇ ସେମାନଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ଦଳର ବିପର୍ଯ୍ୟୟ ପାଇଁ ଏହି କିଛି ହାତଗଣତି ତୋଷାମଦକାରୀ ଦାୟୀ ଓ ଦଳକୁ ବଂଚାଇବା ପାଇଁ ଯୁବ ଓ ଛାତ୍ର ନେତାମାନେ ସଂଘବଦ୍ଧ ହୋଇ ଏଭଳି ଅଭିଯାନ କରିଥିବା ସୂଚନା ମିଳିଛି ।

ତେବେ ସବୁଠୁ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ଯେ, ଏତେ ବଡ଼ ଆଂଚଳିକ ଦଳ ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟର ଆନୁଷ୍ଠାନିକ ସମୀକ୍ଷା ପୂର୍ବରୁ ନିଜେ ସୁପ୍ରିମୋ ଗଣମାଧ୍ୟମରେ ଆଗକୁ ଆସି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ । ତା’ପୁଣି ଦଳର ତଥାକଥିତ ବଡ଼ପଣ୍ଡାମାନଙ୍କ ସମ୍ମତିରେ । ଅର୍ଥାତ୍ ବିଜେଡି ଭବିଷ୍ୟତରେ ବି ପାଣ୍ଡିଆନଙ୍କର ନିୟନ୍ତ୍ରଣରେ ରହିବ ବୋଲି ନବୀନ ଆଜି ପରୋକ୍ଷରେ କହିବା ସହ ନିର୍ବାଚନରେ ଶୋଚନୀୟ ପରାଜୟର କାରଣ ଖୋଜିବାର ଆବଶ୍ୟକତା ସେ ଅନୁଭବ କରୁନଥିବା ନେଇ ମଧ୍ୟ ସନ୍ଦେଶ ଦେଇଛନ୍ତି । ଚଳିତ ନିର୍ବାଚନର ସମସ୍ତ ପ୍ରକ୍ରିୟାକୁ ପାଣ୍ଡିଆନ ଓ ତାଙ୍କ ଟିମ୍ ପରିଚାଳନା କରୁଥିଲେ ମଧ୍ୟ ବିପର୍ଯ୍ୟୟ ପାଇଁ ସେମାନଙ୍କୁ ଦାୟୀ ନକରିବା ପଛରେ ନବୀନଙ୍କ କିଛି ବାଧ୍ୟବାଧକତା ରହିଥିବା ଆଶଙ୍କା କରାଯାଉଛି। ଆଉ ଏହା ହିଁ ବିଜେଡିକୁ ଜନତା ଦଳ ଭଳି ସଂପୂର୍ଣ୍ଣ ମୂଳପୋଛ କରିଦେବ ବୋଲି ଏବେଠୁ ଜଳଜଳ ହୋଇ ଦିଶିଲାଣି ବୋଲି ଚର୍ଚ୍ଚା ହେଉଛି।

 

Related story