Advertisment

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଖୁରାନିଆ, ପରବର୍ତ୍ତୀ ପୁଲିସ ଡିଜିକୁ ନେଇ ଚର୍ଚ୍ଚା

୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଏବେ ଅସ୍ଥାୟୀ ପୁଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବ ବିଜେଡି ସରକାର ତାଙ୍କୁ ୨୦୨୩ ଡିସେମ୍ବର ୩୧ତାରିଖରେ ଏହି ନିଯୁକ୍ତି ଦେଇଥିଲା । ଏବେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସ୍ଥାୟୀ ପୁଲିସ ଡିଜି ନିଯୁକ୍ତି ନିମନ୍ତେ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Y B Khurania

Y B Khurania

Advertisment

୧୯୯୦ ବ୍ୟାଚ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଆଜି ପୂର୍ବାହ୍ନରେ  ଓଡ଼ିଶାର ପୁଲିସ ଡିଜି ଚୟନ ପାଇଁ ଦିଲ୍ଲୀସ୍ଥିତ କେନ୍ଦ୍ର ଲୋକସେବା ଆୟୋଗଙ୍କ କାର୍ଯ୍ୟାଳୟରେ ଚୟନ କମିଟିର ବୈଠକ ପରେ ଖୁରାନିଆ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରିବା ପରେ ସେ ରାଜ୍ୟର ପରବର୍ତ୍ତରୀ ପୁଲିସ ଡିଜି ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Advertisment

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଦିଲ୍ଲୀସ୍ଥିତ ୟୁପିଏସସିଙ୍କ କାର୍ଯ୍ୟାଳୟରେ ଓଡ଼ିଶା ପୁଲିସ ଡିଜି ଚୟନ ନିମନ୍ତେ ଏମ୍ପପ୍ୟାନେଲ କମିଟିର ବୈଠକ ବସିଥିଲା । ଏଥିରେ ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜା ଯୋଗ ଦେଇ ଡିଜି ପାହ୍ୟାର ସମସ୍ତ ୬ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ଉପରେ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି । ୟୁପିଏସସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁସାରେ ସ୍ଥାୟୀ ଡିଜି ପଦବୀ ଖାଲି ହେବାବେଳେ ଯେଉଁ ବରିଷ୍ଠ ଆଇପିଏସମାନଙ୍କ ଦରମା ହାର-୧୬ ରହିଥିବ ସେମାନଙ୍କ ତାଲିକା ରାଜ୍ୟ ସରକାର ପଠାଇବାକୁ ବାଧ୍ୟ । ଏହି କ୍ରମରେ ୬ଜଣ ବରିଷ୍ଠ ଆଇପିଏସଙ୍କ ତାଲିକା ଓଡ଼ିଶା ସରକାର ପଠାଇଥିଲେ । ତେବେ ଅପରାହ୍ନରେ ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ୍ ଶ୍ରୀ ଖୁରାନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରିବା ପରେ ସେ ରାଜ୍ୟର ପରବର୍ତ୍ତୀ ଡିଜି ହେବାର ଚର୍ଚ୍ଚା ଜୋର ଧରିଛି ।

ସୂତ୍ର ଅନୁସାରେ, ଶ୍ରୀ ଖୁରାନିଆ ଆସନ୍ତା ୧୬ତାରିଖରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର ଚଳିତମାସ ପ୍ରଥମ ସପ୍ତାହରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରିଦେଇ ଓଡ଼ିଶା ଫେରାଇ ଦେଇଥିଲେ । ଶ୍ରୀ ଖୁରାନିଆ ବିଏସଏଫ ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରୁଥିଲେ । ତେବେ କେନ୍ଦ୍ରୀୟ ଡେପୁଟେସନ ଅବଧି ସରିଥିଲେ ମଧ୍ୟ ଶ୍ରୀ ଖୁରାନିଆ ଏପର୍ଯ୍ୟନ୍ତ ଓଡ଼ିଶାରେ ଯୋଗ ଦେଇନାହାନ୍ତି । ସମ୍ଭବତଃ ସ୍ଥାୟୀ ପୁଲିସ ଡିଜି ଭାବେ ତାଙ୍କ ନାମ ଘୋଷଣା ହେବାପରେ ସେ ଓଡ଼ିଶା ଆସି କାର୍ଯ୍ୟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment

ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଏବେ ଅସ୍ଥାୟୀ ପୁଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବ ବିଜେଡି ସରକାର ତାଙ୍କୁ ୨୦୨୩ ଡିସେମ୍ବର ୩୧ତାରିଖରେ ଏହି ନିଯୁକ୍ତି ଦେଇଥିଲା । ଏବେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସ୍ଥାୟୀ ପୁଲିସ ଡିଜି ନିଯୁକ୍ତି ନିମନ୍ତେ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Odisha Odisha DGP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe