Uttar Pradesh CM Yogi Adityanath
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଚାଲିଲେ ଅବ୍ୟବସ୍ଥା ବଢ଼ିବ। ବାବୁରାଜ ଚାଲିଲେ ରାଜ୍ୟର ଗରିବଙ୍କ ଶୋଷଣ, ମାଫିଆରାଜ ଚାଲିଥାଏ। ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍ଜାକୁ ନେଇଯାଇଛି। ଓଡ଼ିଶାର ବିକାଶକୁ ବାବୁରାଜ ୫୦ ବର୍ଷ ପଛକୁ ନେଇଯାଇଛି ବୋଲି କହି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆରେ ଆଜି ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ଯୋଗୀ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।
ଯୋଗୀ କହିଛନ୍ତି, ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ। ଓଡ଼ିଶାକୁ ପଛକୁ ନେବା ତାମିଲବାବୁଙ୍କ ଉଦ୍ଦେଶ୍ୟ। ତାମିଲବାବୁଙ୍କ ଉଦ୍ଦେଶ୍ୟ ବାଂଲାଦେଶୀଙ୍କୁ ଅନୁପ୍ରବେଶ କରାଇବା। ରାସନ ମୋଦି ପଠାଉଛନ୍ତି, ଏଠି ବାବୁମାନେ ନବୀନ ଷ୍ଟାମ୍ପ ମାରୁଛନ୍ତି। ଏଠିକାର ତାମିଲ ବାବୁ ଆୟୁଷ୍ମାନ ଭାରତ ଲାଗୁ କରାଉ ନାହାନ୍ତି। ଆୟୁଷ୍ମାନ ଭାରତ ଲାଗୁ କଲେ ତାଙ୍କ କମିଶନବାଜି ବନ୍ଦ ହୋଇଯିବ ବୋଲି ସେମାନେ ଓଡ଼ିଶାରେ ଏହାକୁ ଲାଗୁ କରାଇ ଦେଉ ନାହାନ୍ତି ବୋଲି ସେ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, ନବୀନ ବାବୁ ଏ ବୟସରେ କଣ କରୁଛନ୍ତି କିଛି ବୁଝାପଡୁନି। ଏଠାରେ ବାବୁରାଜ ଚାଲିଛି। ଓଡ଼ିଶାର ଅସ୍ମିତା ସହ ଖେଳ ଚାଲିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି । ବାବୁ ରାଜ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ମାଫିଆଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଏଠିକା ବିଜୁଳି ଓଡ଼ିଶା ଲୋକଙ୍କୁ ମହଙ୍ଗା, ବାହାର ରାଜ୍ୟକୁ ଶସ୍ତାରେ ଦିଆଯାଉଛି। ବାବୁ ରାଜ ଚକ୍କରରେ ପଡ଼ି ଯାଇଛନ୍ତି ନବୀନ ବାବୁ। ମୋଦିଙ୍କ ଶାସନରେ ଦେଶର ସୀମା ସୁରକ୍ଷିତ ହୋଇଥିବା ବେଳେ ଆତଙ୍କବାଦ ସମାପ୍ତ ହୋଇଛି। ସୁଶାସନ ଆଧାରଶୀଳାକୁ ସୁଦୃଢ଼ କରିବାକୁ ଡବଲ ଇଂଜିନ ସରକାର ଆଣନ୍ତୁ।
ପାକିସ୍ତାନ ଜାଣିଛି, ଏ ନୂଆ ଭାରତରେ ବଦମାସୀ ଚଳିବନି। କେହି ବଦମାସୀ କଲେ କାହାକୁ ଛଡ଼ାଯିବନି। ଗତ ୧୦ ବର୍ଷରେ ଆମେ ବଦଳୁଥିବା ଭାରତ ଦେଖିଛୁ। ୧୦ ବର୍ଷରେ ଦେଶରୁ ନକ୍ସଲବାଦ, ଆତଙ୍କବାଦୀ ଲୋପ ପାଇ ସରିଲାଣି। ଏବେ ଭାରତରେ କେଉଁଠି ବାଣ ବି ଫୁଟିଲେ ପାକିସ୍ତାନ କହୁଛି ଏଥିରେ ମୋ’ ହାତ ନାହିଁ। କାରଣ ପାକିସ୍ତାନ ଜାଣିଛି ନିଜ ତରଫରୁ ସଫେଇ ନ ଦେଲେ ଭାରତର ଯବାନ ତାଙ୍କୁ ଖୋଜି ଆଣି କାମ ଶେଷ କରିଦେବେ ବୋଲି କହିଛନ୍ତି ଯୋଗୀ।
ନବୀନ ବାବୁଙ୍କୁ ଏତେ ବର୍ଷ ଦେବା ସତ୍ତ୍ୱେ ଓଡ଼ିଶାର ବିକାଶ ହୋଇ ପାରିଲାନି। ୟୁପିର ସବୁ ମାଫିଆଙ୍କୁ ଓଲଟା ଲଟକାଇ ରାମ ନାମ୍ ସତ୍ୟ ହେ କରିଦେଇଛୁ। ମାଫିଆଙ୍କ ପଇସା ସାଧାରଣ ଲୋକଙ୍କ ହିତରେ ଲଗାଇ ଦେଇଛୁ। ମାଫିଆରାଜ୍ ସମାପ୍ତ ପାଇଁ ବୁଲ୍ଡୋଜର ଚଢ଼ାଇ ଦେଇଛୁ। ୟୁପିରେ ବୁଲ୍ଡୋଜର ସୁଶାସନର ପ୍ରତୀକ ପାଲଟିଛି।
ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ବୋଲି କହିଛନ୍ତି ଯୋଗୀ। ବୈଜୟନ୍ତ ଉତ୍ତର ପ୍ରଦେଶରେ ବଡ଼ ଦାୟିତ୍ୱ ନେଇଥିଲେ। କିନ୍ତୁ ତାଙ୍କୁ ଓଡ଼ିଶାର ଆବଶ୍ୟକତା ଥିବା କହି ପ୍ରଧାନମନ୍ତ୍ରୀ ପଠାଇଥିଲେ । ଓଡ଼ିଶାର ବିକାଶ, ଅସ୍ମିତା ଆଗକୁ ନେବାକୁ ବୈଜୟନ୍ତ ପଣ୍ଡା ଅଛନ୍ତି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
