Advertisment

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଅନ୍ୟମାନେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Protest

Protest

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ପୁଣି ଘଟିଛି ରାଜନୀତିକ ହିଂସା। ବିଜେପି ନେତା ଓ କର୍ମୀଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କର କିଛି ସହଯୋଗୀ ତଥା ଦଳୀୟ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାର ପ୍ରତିବାଦରେ ବିଜେପି କର୍ମୀ ଓ ସମର୍ଥକମାନେ ଖପୁରିଆ ଛକରେ ରାସ୍ତାରୋକ କରିଛନ୍ତି। 

Advertisment

ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଅନ୍ୟମାନେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଳାଷ ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ କିଛି ବିଜେଡି କର୍ମୀ ସେମାନଙ୍କୁ ଗଣ୍ଡଗୋଳ ପାଇଁ ଉସୁକାଇ ଥିଲେ। ଏହା ଅପରାହ୍ନ ପ୍ରାୟ ୫ଟା ବେଳର ଘଟଣା। ସେମାନଙ୍କ ଉଦ୍ଦେଶ୍ୟକୁ ଜାଣିପାରି ଆମେ ସେଠାରୁ ପଳାଇଯିବାକୁ ପ୍ରୟାସ କରିଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରାୟ ୧୦୦ରୁ ୧୫୦ କର୍ମୀ ଏକାଠି ହୋଇ ଆମ ଉପରେ ଆକ୍ରମଣ କରିଥିଲେ। ଆମେ ସେତେବେଳେ ପ୍ରାୟ ୪୦/୫୦ ଜଣ ଥିଲୁ। ଆମର ଜଣେ ସହଯୋଗୀଙ୍କର ହାତ ଭାଙ୍ଗିଛି। ମୋ’ର ମେରୁଦଣ୍ଡ ପାଖାପାଖି ଆଘାତ ଲାଗିଛି। ସ୍ଥାନୀୟ ସରପଞ୍ଚ, ତାଙ୍କ ପୁଅ, ଭାଇ ଓ ତାଙ୍କର ସମର୍ଥକମାନେ ଏହି ଆକ୍ରମଣ କରିଥିଲେ। ଏହା ଯୋଜନାବଦ୍ଧ ଥିଲା। ଏହା ପଛରେ ସ୍ଥାନୀୟ ବିଧାୟକ (ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ)ଙ୍କ ହାତ ଥିବା ଭଳି ମନେ ହେଉଛି ବୋଲି ଅଭିଳାଷ ପଣ୍ଡା କହିଛନ୍ତି।   

ତିନି ଦିନ ତଳେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ାରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁ ଓ ତାଙ୍କର କିଛି ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେମାନେ ଚାନ୍ଦବାଲିରୁ କାରରେ ଫେରୁଥିବା ବେଳେ ତୋଟପଡ଼ା ଠାରେ ବିଜେଡି କର୍ମୀମାନେ ସେମାନଙ୍କ କାର ଉପରକୁ ଇଟା, ପଥର ଆଜି ଫିଙ୍ଗି ଥିଲେ। ଏହା ସହିତ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ସୁବାସ ସାହୁଙ୍କ ମାଡ଼ ମାରିବା ସହିତ ତାଙ୍କ ଶାର୍ଟ ଚିରି ଦେଇଥିଲେ। ଏହି ଆକ୍ରମଣରେ କାର୍‌ଟି ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣା ପାଇଁ ସୁବାସ ସାହୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଦାୟୀ କରିଥିଲେ। ତାଙ୍କ ଇସାରାରେ ଏସବୁ କରାଯାଇଥିବା ସୁବାସ କହିଥିଲେ। କାରଣ ସେମାନଙ୍କ ଉପରେ ଆକ୍ରମଣ ହେବାର କିଛି ସମୟ ପୂର୍ବରୁ ସେହି ରାସ୍ତାରେ ବିଧାୟକଙ୍କ ରାଲି ଅତିକ୍ରମ କରିଥିଲା। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି।

Advertisment
BjD Bjp Loka Sabha Election 2024 Odisha Assembly Election 2024 General Elections 2024