YS Sharmila and YS Jagan Mohan Reddy
ୱାଇଏସ୍ଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କଂଗ୍ରେସରେ ଯୋଗ ଦେବା ପରେ ପାଇଛନ୍ତି ବଡ଼ ଦାୟିତ୍ୱ। ତାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି।
ଗତକାଲି ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଜି. ରୁଦ୍ର ରାଜୁ। ଏହା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଶର୍ମିଲାଙ୍କୁ ଦଳ ଏହି ପଦବୀରେ ବସାଇବ। ଅନ୍ୟପକ୍ଷରେ ଜି. ରୁଦ୍ର ରାଜୁଙ୍କୁ କଂଗ୍ରେସ ୱର୍କିଂ କମିଟିକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଭାବେ ଜି. ରୁଦ୍ର ରାଜୁଙ୍କ କାର୍ଯ୍ୟକୁ ଦଳ ପକ୍ଷରୁ ପ୍ରଶଂସା କରାଯାଇଛି।
ୱାଇଏସ୍ ଶର୍ମିଲା ଗତ ୪ ତାରିଖରେ କଂଗ୍ରେସରେ ଯୋଗ ଦେଇଥିଲେ। ତା’ ସହିତ ନିଜ ଦଳ ୱାଇଏସ୍ଆର ତେଲଙ୍ଗାନାକୁ କଂଗ୍ରେସରେ ମିଶାଇ ଦେଇଥିଲେ। ସେ କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ କୌଣସି ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଆଶା କରାଯାଉଥିଲା।
ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି। ତା’ସହିତ ଏ ବର୍ଷ ଲୋକସଭା ନିର୍ବାଚନ ମଧ୍ୟ ହେବ। ମିଳିଥିବା ସୂଚନା ଅନୁଯାୟୀ, ତା’ପୂର୍ବରୁ ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି। ସେଥିପାଇଁ ଶର୍ମିଲାଙ୍କୁ ଦଳରେ ସାମିଲ କରି ବଡ଼ ଦାୟିତ୍ୱ ଦେଇଛି। ସେହିପରି ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ସଂପର୍କ ଖରାପ ହେବା ପରେ ନିଜ ଦଳ ଚଳାଇବାକୁ ପାଣ୍ଠି ପାଇଁ ସଂଘର୍ଷ କରୁଥିଲେ ଶର୍ମିଲା। ତେଣୁ ରାଜନୀତିକ କ୍ୟାରିୟରକୁ ଆଗକୁ ନେବାକୁ ସେ କଂଗ୍ରେସରେ ମିଶିଛନ୍ତି। ତେବେ ଶର୍ମିଲା ତାଙ୍କ ଭାଇଙ୍କ ଦଳକୁ ଟକ୍କର ଦେଇ କଂଗ୍ରେସକୁ କେତେ ସଫଳତା ଦେଇ ପାରୁଛନ୍ତି ଓ ନିଜ କ୍ୟାରିୟରକୁ କେତେ ଉପରକୁ ନେଇ ପାରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।
ଶର୍ମିଲା ୱାଇଏସ୍ଆର୍ କଂଗ୍ରେସରେ ଥିଲେ। କିନ୍ତୁ ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ୨୦୨୧ରେ ସେ ୱାଇଏସ୍ଆର୍ କଂଗ୍ରେସ ଛାଡ଼ି ୱାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଗଠନ କରିଥିଲେ। ଭାଇଙ୍କ ସହିତ ତାଙ୍କର ରାଜନୀତିକ ମତ ପାର୍ଥକ୍ୟ ଥିବା ତଥା ତେଲଙ୍ଗାନାରେ ୱାଇଏସ୍ଆର୍ କଂଗ୍ରେସର କୌଣସି ପ୍ରଭାବ ନଥିବା ଦର୍ଶାଇ ସେ ନୂଆ ଦଳ ଗଠନ କରିଥିଲେ ଓ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ପ୍ରଚାର ଚଲାଇଥିଲେ। ତେବେ ଗତ ବର୍ଷ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ସେ ଲଢ଼ି ନଥିଲେ। ପରୋକ୍ଷରେ ସେ କଂଗ୍ରେସକୁ ସମର୍ଥନ କରିଥିଲେ। ନିଜେ ପ୍ରାର୍ଥୀ ହୋଇ ନଥିଲେ କି ଦଳରୁ କାହାକୁ ପ୍ରାର୍ଥୀ କରି ନଥିଲେ। ଭୋଟ୍ ଭାଗ ହୋଇଗଲେ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍କୁ ଫାଇଦା ହେବ ବୋଲି ଆକଳନ କରି ସେ ନିର୍ବାଚନର ଦୂରେଇ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1705402392.jpg)