Advertisment

ଚାନ୍ଦବାଲି ପଲିଟିକ୍ସକୁ ନେଇ ଚର୍ଚ୍ଚା, ବିଜେପିକୁ ଆସିବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ଗାଏବ

ରଞ୍ଜନଙ୍କ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ବି ଚର୍ଚ୍ଚା ଜୋର୍।

author-image
Hemant Lenka
BJD

BJD

ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ ନିଖୋଜ। ରଞ୍ଜନଙ୍କ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ବି ଚର୍ଚ୍ଚା ଜୋର୍। ଭଦ୍ରକର ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ପତ୍ନୀ ତଥା ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁ ଭିଡିଓରେ କହିଛନ୍ତି ସାଂଘାତିକ କଥା।

Advertisment

ଭିଡିଓରେ ସେ କହୁଛନ୍ତି ତାଙ୍କର ଯଦି ମୃତ୍ୟୁ ହୁଏ, ତା’ହେଲେ ଏଥିପାଇଁ ବାପି ରାୟ ଓ ରଞ୍ଜନ ସାହୁ ଦାୟୀ ରହିବେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ଓରଫ୍ ବାପି ରାୟ ଓ ସ୍ୱାମୀ ରଞ୍ଜନ ସାହୁଙ୍କ ବିରୋଧରେ କାହିଁକି ଏଭଳି ଅଭିଯୋଗ ଆଣିଲେ ମାନସୀ? 

ତାକୁ ନେଇ ଦିନ ତମାମ ହାଇଡ୍ରାମା ଜାରି ରହିଛି। ଗୋଟିଏ ପଟେ ମାନସୀ ହସପିଟାଲ୍ ବେଡରୁ ଭିଡିଓ ମେସେଜ ଦେଉଥିବାବେଳେ ଅନ୍ୟପଟେ ରଞ୍ଜନଙ୍କ ପତ୍ତା ମିଳୁନି। ଗତକାଲିଠାରୁ ସେ କୁଆଡ଼େ ଯାଇଛନ୍ତି ତା’ର କିଛି ଖୋଜ୍ ଖବର ବି ନାହିଁ। ଚର୍ଚ୍ଚା ହେଉଛି ଯେ ରଞ୍ଜନ ନିଜ ସମର୍ଥକଙ୍କ ସହ ଆଜି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥାନ୍ତେ।

Advertisment

ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ରଞ୍ଜନ ବିଜେଡି ଛାଡ଼ିଲେ ବିଜେଡିର ବଡ଼ କ୍ଷତି ହେବ। ସେଥିଲାଗି ବିଧାୟକ ବାପି ରାୟ ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ବୁଝାସୁଝା କରୁଥିବା କୁହାଯାଉଛି। ସେପଟେ ଏନେଇ ନା ରଞ୍ଜନ କିମ୍ବା ମାନସୀ କାହାରି ବି ପ୍ରତିକ୍ରିୟା ମିଳିପାରିନାହିଁ।

ମାନସୀଙ୍କ ଭାଇରାଲ୍ ଭିଜୁଆଲ୍ ଚର୍ଚ୍ଚା ଥମି ନଥିବାବେଳେ ବିଧାୟକ ବାପି ରାୟ ନିଜ ଫେସବୁକ୍ ପେଜରେ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ଯେଉଁ ଫଟୋରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରଞ୍ଜନ ସାହୁ ଅଛନ୍ତି। ଚାନ୍ଦିବାଲିରେ ଫାଟୁଥିବା ବିଜେଡି ସଂଗଠନକୁ ପ୍ରଶମିତ କରିବାକୁ ଏ ଫଟୋକୁ ପୋଷ୍ଟ କରିନାହାନ୍ତି ତ ଚାନ୍ଦବାଲି ବିଧାୟକ?

ନା ରଞ୍ଜନ ସାହୁଙ୍କ ମାନଭଞ୍ଜନ କରିବାରେ ସଫଳ ହେଲା ଦଳ? ଏନେଇ ବିଧାୟକ ବ୍ୟୋମକେଶ ରାୟଙ୍କ କୌଣସି ପ୍ରତିକ୍ରିୟା ମିଳି ନ ଥିବାବେଳେ ବିଜେପି କିନ୍ତୁ ଅଭିଯୋଗ ଆଣିଛି ଯେ ମାନସୀଙ୍କ ଜୀବନ ବିପଦରେ ଅଛି। ଘଟଣାର ନିରପେକ୍ଷ ଯାଞ୍ଚ କରାଯାଉ।

ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ଲଢୁଛନ୍ତି। ଯେଉଁଥିପାଇଁ ଲଢେଇ ବି ଜୋରଦାର ହେବ। ଆଉ ବିଜେଡି ଅସନ୍ତୁଷ୍ଟ ବିଜେପି ଆଡ଼କୁ ମୁହାଁଉଥିବାରୁ ଅକଳରେ ବିଜେଡି। ତେବେ ଚାନ୍ଦବାଲି ସସପେନ୍ସ ଉପରୁ ପରଦା କେବେ ଉଠୁଛି, ତା’ଉପରେ ସମସ୍ତଙ୍କ ନଜର।

ରିପୋର୍ଟ: ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Odisha BjD Chandbali