Advertisment

ସୁସ୍ଥ ହେବାକୁ କ’ଣ ଖାଆନ୍ତି ମହାପ୍ରଭୁ ଜାଣନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଜାଣନ୍ତି କି ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହେଲେ ସେ କି ଔଷଧ ଖାଆନ୍ତି ?  ଆମ ଭିତରୁ ଅନେକଙ୍କର ହୁଏତ ଏ ସମ୍ପର୍କରେ କୌଣସି ଧାରଣା ନ ଥିବେ । ଆମକୁ ଜ୍ୱର ହେଲେ ଆମେ ଯେପରି ଖାଦ୍ୟପେୟରେ ସାବଧାନତା ଓ ସନ୍ତୁଳନ ଅବଲମ୍ବନ କରିଥାଉ, ଶ୍ରୀଜୀଉମାନେ ମଧ୍ୟ ଠିକ୍‌ ସେହିପରି କରିଥାନ୍ତି। ପ୍ରତିଦିନ ଷାଠିଏ ପଉଟି ନୈବେଦ୍ୟ ଗ୍ରହଣ କରୁଥିବା ମହାପ୍ରଭୁ ଅନବସର ଲୀଳା ସମୟରେ କେବଳ ପଣା ଓ ଚକଟାରେ […]

author-image
Tapas Behera
ଅଦ୍ୟତନ ହୋଇଛି
ସୁସ୍ଥ ହେବାକୁ କ’ଣ ଖାଆନ୍ତି ମହାପ୍ରଭୁ ଜାଣନ୍ତି କି ? 

tt-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଜାଣନ୍ତି କି ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହେଲେ ସେ କି ଔଷଧ ଖାଆନ୍ତି ?  ଆମ ଭିତରୁ ଅନେକଙ୍କର ହୁଏତ ଏ ସମ୍ପର୍କରେ କୌଣସି ଧାରଣା ନ ଥିବେ । ଆମକୁ ଜ୍ୱର ହେଲେ ଆମେ ଯେପରି ଖାଦ୍ୟପେୟରେ ସାବଧାନତା ଓ ସନ୍ତୁଳନ ଅବଲମ୍ବନ କରିଥାଉ, ଶ୍ରୀଜୀଉମାନେ ମଧ୍ୟ ଠିକ୍‌ ସେହିପରି କରିଥାନ୍ତି। ପ୍ରତିଦିନ ଷାଠିଏ ପଉଟି ନୈବେଦ୍ୟ ଗ୍ରହଣ କରୁଥିବା ମହାପ୍ରଭୁ ଅନବସର ଲୀଳା ସମୟରେ କେବଳ ପଣା ଓ ଚକଟାରେ ସନ୍ତୁଷ୍ଟ ରୁହନ୍ତି। ଅତ୍ୟନ୍ତ ନିରାଡ଼ମ୍ବର ଢଙ୍ଗରେ ସେବାପୂଜା ଚାଲୁଥିବା ବେଳେ ଜ୍ୱରାକ୍ରାନ୍ତ ମହାପ୍ରଭୁଙ୍କ ପାଖରେ ଔଷଧ ମଧ୍ୟ ଲାଗି ହୋଇଥାଏ। ଯାହାକୁ ଦଶମୂଳ ବୋଲି କୁହାଯାଇଥାଏ। ୧୦ଟି ଚେରମୂଳୀ ବ୍ୟବହାର କରି ଏହା ପ୍ରସ୍ତୁତ ହେଉଥିବାରୁ ଏହାର ଏପରି ନାମକରଣ କରାଯାଇଛି।

Advertisment

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏ ସମସ୍ତ୧୦ଟି ଔଷଧୀୟ ଚେରମୂଳୀ ମଣିଷ ଶରୀର ପାଇଁ ମଧ୍ୟ ବିଭିନ୍ନ ରୋଗର ନିବାରକ। ଏହି ଦଶମୂଳ ବା ୧୦ଟି ଦ୍ରବ୍ୟ ହେଉଛି- ଗମ୍ଭାରୀ, ବେଲଛେଲି, ଶାଳପର୍ଣ୍ଣି, ଅଗବଧୁ, ଫଣଫଣା, ଅଙ୍କରାନ୍ତି, ଲବଙ୍ଗକୋଳି, କୃଷ୍ଣପର୍ଣ୍ଣା, ପାଟେଳି ଓ ଖଣିବୁଥୁ ।

ଏ ସମସ୍ତ ଚେରମୂଳି, ଫଳ, କଢ଼ ଓ ପତ୍ର ଆଦିକୁ ସଂଗ୍ରହ କରାଯାଇ ପ୍ରଥମେ ଭଲରେ ଖରାରେ ଶୁଖାଇ ଦିଆଯାଏ। ଭଲଭାବେ ଶୁଖିଯିବା ପରେ ଏଗୁଡ଼ିକୁ ଗୁଣ୍ଡ କରି ଦେଶୀ ଘିଅ, ମହୁ, ନବାତ ଖଣ୍ଡ, ଖୁଆ, ସାମାନ୍ୟ ଭାଙ୍ଗ ପକାଇ ଶୁଦ୍ଧପୁତ ଭାବେ ପାରମ୍ପରିକ ବୈଦ୍ୟ ସେବକଙ୍କ ଘରେ ରନ୍ଧାଯାଏ। ପାଗ ହୋଇଯିବା ପରେ ଏହାକୁ କ୍ଷୁଦ୍ର କ୍ଷୁଦ୍ର ଆକୃତିର ମୋଦକ ବା ଲଡୁ ଭଳି ଗୁଳା କରାଯାଇ ଶ୍ରୀମନ୍ଦିର ଗାରଦରେ ଜମା ଦିଆଯାଏ। ଅନବସର ଦଶମୀ ତିଥିରେ ଏହି ଦଶମୂଳ ଔଷଧ ମନ୍ଦିରକୁ ଆସିବା ପରେ ଖଳିଲାଗି ଏକାଦଶୀରେ ଏହା ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ। ଦେଖିବାକୁ ଏହାର ରଙ୍ଗ ଇସତ୍‌ କୃଷ୍ଣ ବର୍ଣ୍ଣ ବା କଳା।

Advertisment

ମାନବୀୟ ଲୀଳାରେ ଅବତୀଣ୍ଣ ହେଉଥିବା ଠାକୁରମାନଙ୍କ ଶାରୀରିକ ଉପଚାର ପାଇଁ ଯେ, ପ୍ରକୃତି ଲବ୍ଧ ଦ୍ରବ୍ୟ ହିଁ ମହୌଷଧୀ, ଏହା ପ୍ରମାଣିତ କରିବାକୁ ଏଭଳି ନୀତିଟିଏ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ି ଦିଆଯାଇଛି ବୋଲି କୁହାଯାଇପାରେ। ସମ୍ପ୍ରତି ଏହି ସେବା ରୁଦ୍ର ନନ୍ଦନ ମିଶ୍ର ଓ ବିନାୟକ ମିଶ୍ରଙ୍କ ପରିବାର ତୁଲାଉଛନ୍ତି।