ମୁକ୍ତି ମଣ୍ଡପରେ ବସୁଛନ୍ତି ଏହି ମୁସଲମାନ, ଗାଉଛନ୍ତି ଜଗନ୍ନାଥ ଭଜନ
ଭୁବନେଶ୍ୱର(ଓଡିଶା ରିପୋର୍ଟର): କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ। ଜାଣିଛନ୍ତି, ସାଲବେଗଙ୍କ […]
ଭୁବନେଶ୍ୱର(ଓଡିଶା ରିପୋର୍ଟର): କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ।
ଜାଣିଛନ୍ତି, ସାଲବେଗଙ୍କ ଭଳି ଆଉ ଜଣେ ଭକ୍ତ ଜନ୍ମିଛନ୍ତି ଆମ ଓଡ଼ିଶା ମାଟିରେ। ଯାହାଙ୍କ ଜନ୍ମ ବୃତ୍ତାନ୍ତ ଶୁଣିବା ପରେ ଆପଣଙ୍କ ହାତ ଯୋଡ଼ି ହୋଇଯିବ ଓ ଆଖିରୁ ଝରି ପଡ଼ିବ ଲୁହ, ଖାସ୍ ସେଇ କଳା ଠାକୁରଙ୍କ ଲାଗି।
ସେ ହେଉଛନ୍ତି, ନୟାଗଡ ଜିଲା ଖଣ୍ଡପଡାର ଭିକାରୀ ମହମ୍ମଦ। ଏହି ନାଁ ହିଁ ତାଙ୍କର ପରିଚୟ। ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତି ମଣ୍ଡପରେ ସେ ବସନ୍ତି। ଆଉ କାଳିଆ ମୁହଁକୁ ଚାହିଁ ଗାଆନ୍ତି ଗୀତ। ମୁଣ୍ଡରେ ଟୋପି, ମୁହଁରେ ଦାଢି ଥିବା ଏହି ସଚ୍ଚା ମୁସଲମାନ ଭାଇ ଜଣକ ଯେବେ ଗଦଗଦ ହୋଇ ଗୀତ ଗାଆନ୍ତି ଆପଣଙ୍କ ଆଖିରୁ ବି ଜକେଇ ଆସିବ ଲୁହ। କାଳିଆର ମାୟା ବୁଝିବାକୁ ଆପଣ ବି ଅଟକି ଯିବେ ଆଉ ପଚାରିବେ ତାଙ୍କ ଭକ୍ତିର ମାର୍ଗ ସମ୍ପର୍କରେ।
ପାଖାପାଖି ୪୦ ବର୍ଷ ତଳର କଥା। ଦୁଇ ଦୁଇଟା ଝିଅ ପରେ ବି ପୁଅଟିଏ ନ ଥିଲା ତାଙ୍କର। ଏହି ଘଟଣାକୁ ନେଇ ମୁସଲମାନ୍ ଦମ୍ପତିଙ୍କ ଭିତରେ ସବୁବେଳେ ଲାଗି ରହୁଥିଲା ଝଗଡ଼ା। ତଲାକ୍ ପର୍ଯ୍ୟନ୍ତ କଥା ବି ଯାଇଥିଲା। ହେଲେ କୌଣସି ଦୁର୍ବଳ ମୁହୂର୍ତ୍ତରେ ଭଗବାନ ସଦୟ ହେବାରୁ ତଲାକ୍ ହୋଇ ନ ଥିଲା। ହେଲେ ପୁଅଟିଏ ନ ଥିବାରୁ ପତ୍ନୀଙ୍କୁ ଘରୁ ତଡ଼ି ଦେଇଥିଲେ ତାଙ୍କ ସ୍ୱମୀ। ମହିଳା ଜଣକ ନିଜକୁ ବେଶ ଅସହାୟ ମନେକଲେ। ଘରେ ଛୋଟ ଝିଅ ଦୁଇଟିକୁ ଛାଡ଼ି ସାରା ଖଣ୍ଡପଡ଼ା ସହର ବୁଲିଲେ। ଏତିକି ବେଳେ ତାଙ୍କ ନଜରରେ ପଡ଼ିଲେ ଦଳେ ମହିଳା। ଯେଉଁମାନେ ପାଳୁଥିଲେ ଦୁତୀଆ ଓଷା। ଓଡ଼ିଆ ଘରର ମହିଳାମାନେ ପୁଅଟିଏ ପାଇବାକୁ ଏହି ଓଷା କରିଥା’ନ୍ତି। ଯାହା ଶୁଣିବା ପରେ ସମ୍ପୃକ୍ତ ମୁସଲିମ୍ ମହିଳା ଜଣଙ୍କ ମନରେ ଆଶାର ସୂର୍ଯ୍ୟୋଦୟ ହେଲା।
ଅଭିମାନ କରି ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ସାମ୍ନାରେ ଛିଡ଼ା ହୋଇ କହିଲେ “ଦୁନିଆ ଯାକର ଲୋକଙ୍କୁ ତମେ କେତେ କ’ଣ ଦେଉଛ। ହେଲେ ମତେ ପୁଅଟିଏ ଦିଅ। ଜାଣିବି ତୁମେ ବଡ଼ ପାରିବାର ଦିଅଁ। ଯଦି ପୁଅଟିଏ ହୁଏ ସେ ହେବ ତୁମର ଭିକ୍ଷା ଦାନ, ନ ଦେବ ଯଦି ତୁମ ଦୁଆରେ ମରିବି। ଭାବି ନେବ ମୋ ଶବ ତୁମର।” ଏହି ଅଭିମାନ ପରେ ମହିଳା ଜଣକ ଆରମ୍ଭ କରନ୍ତି ଦୁତୀଆ ଓଷା। କିଏ କହିଥିଲା କେଜାଣି ଅଜଣା ଭାବାବେଗରେ ଅଣ୍ଟିରେ ପୁରାଇ ରଖିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଛୋଟିଆ ଫଟୋଟିଏ। କାଳେ କିଏ ଜାଣିଦେବ ସେଥିପାଇଁ ଲୁଚି ଲୁଚି ପାଳିଥିଲେ ଓଷା।
କାଳିଆକୁ ବି ମାୟା ଲାଗି ଯାଇଥିଲା ବୋଧେ। ନ ହେଲେ ସେ କ’ଣ ସହଜରେ କାହା ଡାକ ଶୁଣେ। ହେଲେ ଯବନ ଭକ୍ତଟିର କଥା ଟାଳି ପାରିଲାନି। ଓଷା ପରେ ପରେ ତାଙ୍କ ଅଣ୍ଟି ପୂରଣ ହେଲା। ତାଙ୍କର ପୁଅଟିଏ ହେଲା। ଏଥର ମହିଳା ଜଣକ ଘରକୁ ଯିବାକୁ ବାଟ ପାଇଗଲେ। ଯୋଉ ସ୍ୱାମୀ ଦିନେ ତଲାକ୍ ଦବ ବୋଲି କହି ଘରୁ ତଡ଼ିଥିଲେ, ତା’ ଆଗରେ ପୁଅକୁ ଥୋଇ କହିଲେ, “ଦେଖ ଭିକ ମିଳିଗଲା।” ହେଲେ ମହିଳାଙ୍କ ସ୍ୱାମୀ କହୁଥା’ନ୍ତି ‘ଏ ଭିକ ନୁହେଁ, ଏ ମୋର ମହମ୍ମଦ’। ଏହି କଥା ଶୁଣି ପତ୍ନୀ କହିଲେ ମହମ୍ମଦ ନୁହେଁ, ଏ ହେଉଛି ଜଗନ୍ନାଥଙ୍କ ଭିକ। ବାସ୍ ସ୍ୱାମୀ ସ୍ତ୍ରୀଙ୍କ ଏହି ଦାମ୍ପତ୍ୟ କଳହରେ ପୁଅଟିର ନାଁ ହେଇଗଲା “ଭିକାରୀ ମହମ୍ମଦ”।
ଭିକାରୀ ମହମ୍ମଦ ସକାଳେ ନମାଜ ପଢ଼ନ୍ତି। ଆଉ ଛାଇ ଲେଉଟିଲା ବେଳକୁ ଚାଲିଆସନ୍ତି ମନ୍ଦିର। କାଳିଆ ଠାକୁରଙ୍କ ଆଗରେ ଗୀତ ପଦିଏ ଗାଇ ଦେଲେ ତାଙ୍କୁ କୋଟିନିଧି ପାଇଲା ପରି ଲାଗେ।