Advertisment

ସୁନାବେଶ ରହସ୍ୟ

ଶ୍ରୀମନ୍ଦିରରେ ୧୨ ମାସରେ ୧୩ ଯାତ ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ବା ରାଜରାଜେଶ୍ୱର ବେଶ ଅତ୍ୟନ୍ତ ରମଣୀୟ ଓ ଦୁର୍ଲଭ। ଇଏ ଏକମାତ୍ର ବେଶ ଯେଉଁଥିରେ ସ୍ପଷ୍ଟ ପରିସ୍ଫୁଟ ହୋଇଥାଏ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ସାଙ୍ଗକୁ ପ୍ରାବଲ୍ୟ। ତେବେ କ’ଣ ଏହାର ମାହାତ୍ମ୍ୟ ଓ କ’ଣ ଏହା ପଛର ରହସ୍ୟ? କାହିଁକି ଓ କେଉଁ ଗଜପତିଙ୍କ ସମୟରୁ ଆରମ୍ଭ ହୋଇଥିଲା ଏ ଦିବ୍ୟ ଦୁର୍ଲଭ ବେଶ? ଜାଣିବାକୁ କାହାର ବା ଉତ୍କଣ୍ଠା ନଥିବ। […]

ଅଦ୍ୟତନ ହୋଇଛି
ସୁନାବେଶ ରହସ୍ୟ

jagannath1

Advertisment

ଶ୍ରୀମନ୍ଦିରରେ ୧୨ ମାସରେ ୧୩ ଯାତ ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ବା ରାଜରାଜେଶ୍ୱର ବେଶ ଅତ୍ୟନ୍ତ ରମଣୀୟ ଓ ଦୁର୍ଲଭ। ଇଏ ଏକମାତ୍ର ବେଶ ଯେଉଁଥିରେ ସ୍ପଷ୍ଟ ପରିସ୍ଫୁଟ ହୋଇଥାଏ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ସାଙ୍ଗକୁ ପ୍ରାବଲ୍ୟ। ତେବେ କ’ଣ ଏହାର ମାହାତ୍ମ୍ୟ ଓ କ’ଣ ଏହା ପଛର ରହସ୍ୟ? କାହିଁକି ଓ କେଉଁ ଗଜପତିଙ୍କ ସମୟରୁ ଆରମ୍ଭ ହୋଇଥିଲା ଏ ଦିବ୍ୟ ଦୁର୍ଲଭ ବେଶ? ଜାଣିବାକୁ କାହାର ବା ଉତ୍କଣ୍ଠା ନଥିବ।

Advertisment

ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହ ମାନେ ବର୍ଷକୁ ଚାରି ଥର ସୁନାବେଶ ହୁଅନ୍ତି। ସେସବୁ ତିଥିଗୁଡ଼ିକ ହେଲା- କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ ଓ ବିଜୟା ଦଶମୀ। ହେଲେ ଘୋଷ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ଉପରେ ଶ୍ରୀଜିଉମାନଙ୍କ ମହଣ ମହଣ ସୁନାରେ ବିଭୂଷିତ ଦୁର୍ଲଭ ବେଶକୁ କିନ୍ତୁ ଦର୍ଶନ କରି ଆତ୍ମତୃପ୍ତି ଅନୁଭବ କରନ୍ତି ଲକ୍ଷ ଲକ୍ଷ ଭକ୍ତ। ଏଠି ପ୍ରଶ୍ନ- କେବେଠୁ ଆରମ୍ଭ ହୋଇଥିଲା ଏ ସୁନାବେଶ ?

ଶ୍ରୀମନ୍ଦିର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ, ଓଡ଼ିଆ ଜାତିର ପରାମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଉତ୍କଳ ଭୂଖଣ୍ଡର ରାଜାମାନେ ନିଜକୁ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଛି। ୧୨୧୧ରୁ ୧୨୩୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ତୃତୀୟ ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ପରେ ୧୨୩୮ରୁ ୧୨୬୬ ଯାଏଁ ଶାସନରେ ଥିବା ତାଙ୍କପୁତ୍ର ଲାଙ୍ଗୁଳା ନରସିଂହ ଦେବ ମଧ୍ୟ ନିଜକୁ ପୁରୁଷୋତ୍ତମଙ୍କ ପୁତ୍ର ଭାବେ ଅଭିହିତ କରିଥିଲେ। ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ୧୪୩୫ରୁ ୧୪୬୬ ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟେ ଦୁଇ ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇ ନଥିଲେ। ଗବେଷକଙ୍କ ମତାନୁସାରେ ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷ ମୁହୂର୍ତ୍ତରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ସମ୍ଭବ ମନେହୁଏ। ତେବେ ଅନ୍ୟ କେତେକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ତଢ଼ାଉ ବେଶ।

Advertisment

ଶ୍ରୀଜଗନ୍ନାଥଙ୍କ ସୁନାବେଶ ପରିପ୍ରେକ୍ଷୀରେ ଜଣାଯାଏ, ୧୪୬୦ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି ୧୬ଟି ହାତୀରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେ ସେ ସମସ୍ତ ଦ୍ରବ୍ୟକୁ ମହାପ୍ରଭୁଙ୍କୁ ଉତ୍ସର୍ଗ କରି ଦେଇଥିଲେ, ଯାହାକି ଆଜି ବି ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ଶିଳାଲେଖରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ତା’ସହ ସେହି ଦିଗ୍‌ବିଜୟ ଲବ୍ଧ ସୁନା, ରୁପା, ହୀରା, ମୋତି ଓ ମାଣିକ୍ୟ ଭଳି ମୂଲ୍ୟବାନ ଅଳଙ୍କାରରେ ମହାପ୍ରଭୁମାନଙ୍କୁ ବିଭୂଷିତ କରିବାର କାମନା ମଧ୍ୟ ପୋଷଣ କରିଥିଲେ। ସେ ସମୟରେ ଅଳଙ୍କାର ଦାୟିତ୍ୱରେ ଥିବା ତଢ଼ଉ ରାଜଗୁରୁଙ୍କ ସହ ଏ ନେଇ ପରାମର୍ଶ ବି କରିଥିଲେ। ରାଜାଙ୍କର ଏ ଅନୁରୂପ ଆଗ୍ରହ ଦେଖି ରାଜଗୁରୁ, ଠାକୁରମାନଙ୍କ ସୁସଜ୍ଜିତ ସୁନାବେଶକୁ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ଦକ୍ଷିଣାଭିମୁଖୀ ଯାତ୍ରାର ଶେଷରେ ରଥ ଉପରେ ବଡ଼ ଏକାଦଶୀ ଦିନ ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ତେଣୁ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରୁ ହିଁ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି ଶ୍ରଦ୍ଧା ଓ ଆତ୍ମୀୟତାର ପର୍ବ ସୁନାବେଶ।

ଶ୍ରୀଜଗନ୍ନାଥ ସଂସ୍କୃତି ଗେବଷକଙ୍କ ମତରେ ସୁନାବେଶରେ ପ୍ରାୟ ୧୩୮ ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜିଉ। ତେବେ ଶହ ଶହ ବର୍ଷ ଧରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦୁର୍ଲଭ ସୁନା ବେଶରେ ଦର୍ଶନ କରି ଆନନ୍ଦିତ ହେଉଥିବା କୋଟି କୋଟି ଭକ୍ତଙ୍କ ମନରେ ସର୍ବଦା ପ୍ରଶ୍ନ- ସୁନାବେଶରେ ଠାକୁରମାନେ ପରିଧାନ କରୁଥିବା ଅଳଙ୍କାର ମାନଙ୍କର ନାଁ କ’ଣ। ତଥ୍ୟ ଅନୁସାରେ ବଡ଼ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାର ଗୁଡ଼ିକ ହେଲା- ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖି ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ଭଳି ୧୭ ପ୍ରକାର ଅଳଙ୍କାର ସହ ଆୟୁଧ- ହଳ ଓ ମୂଷଳ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣ ଗୁଡ଼ିକ ହେଲା- କିରୀଟ, ଓଡ଼ିଆଣି, କାନ ଚନ୍ଦ୍ର-ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତି ମାଳି।

ତେବେ ଯାହାଙ୍କ ପ୍ରତି ଲକ୍ଷ ଲକ୍ଷ ଚକ୍ଷୁର ଆକର୍ଷଣ ସେହି କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜ ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ଭଳି ୧୬ ପ୍ରକାର ଅଳଙ୍କାର ସହ ଆୟୁଧ ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ।

ବଡ଼ ଏକାଦଶୀ ତିଥିରେ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଆରମ୍ଭ ହୁଏ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ। ତା’ହେଲେ କିଏ ଓ କେଉଁମାନେ କରନ୍ତି ଠାକୁରଙ୍କୁ ସୁନାବେଶ ? ସୁନାବେଶ ସାମଗ୍ରୀ ସବୁକୁ ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥ ଉପରକୁ ଆଣନ୍ତି ପାଳିଆ ମେକାପ, ଖୁଣ୍ଟିଆ ସେବକ। ଆଉ ଏହାକୁ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ ଓ ଭିତରଚ୍ଛ ଆଦି ସେବକମାନେ ଠାକୁରମାନଙ୍କୁ ଲାଗି କରିଥା’ନ୍ତି। ବେଶ ସରିବା ପରେ ସାରୁ ବିଳମ୍ବିତ ରାତି ଯାଏଁ ରଥ ଉପରେ ମହଣ ମହଣ ସୁନାରେ ଝଲସୁଥିବା ଶ୍ରୀଜିଉମାନଙ୍କ ଦିବ୍ୟ ରୂପକୁ ଦର୍ଶନ କରି କୃତ୍ୟ କୃତ୍ୟ ହୁଏ ଭକ୍ତ। ଯଦିଓ ଏବର୍ଷ କୋଭିଡ଼ ମହାମାରୀ କାରଣରୁ ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶକୁ ଭକ୍ତ ଚର୍ମଚକ୍ଷୁରେ ଦର୍ଶନ କରିପାରିବନି ତଥାପି ମହାପ୍ରଭୁ ଚାହିଁଲେ ଆର ଥରକୁ ନିଶ୍ଚେ ଏହା ସମ୍ଭବ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe