ତାପମାତ୍ରା ବୃଦ୍ଧି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ଉତ୍ତାପ ଅନୁଭବ ଆଉ ଅକ୍ଟୋବରରେ ଯେଉଁପରି ଭାବେ ଗରମ ହେଉଛି ତାହା ଜଳବାୟୁ ପରିବର୍ତ୍ତନର ଏକ ବିପଦଜନକ ସଙ୍କେତ ନିଶ୍ଚୟ। ଏସବୁ ମଧ୍ୟରେ ବୈଜ୍ଞାନିକମାନେ ତାପମାତ୍ରା ବୃଦ୍ଧିକୁ ନେଇ ଗୋଟିଏ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛନ୍ତି।
ରିପୋର୍ଟ ଅନୁସାରେ, ଆଗକୁ ଯଦି ବିଶ୍ୱ ତାପମାତ୍ରା ପୂର୍ବ-ଶିଳ୍ପ ସ୍ତର ଅପେକ୍ଷା ଆଉ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ, ତେବେ ଉତ୍ତର ଭାରତ ଓ ପୂର୍ବ ପାକିସ୍ତାନର ସିନ୍ଧୁ ନଦୀ ଉପତ୍ୟକାରେ ରହୁଥିବା ପ୍ରାୟ ୨୨୦ କୋଟି ଲୋକ ଉତ୍ତାପ ବୃଦ୍ଧିଜନିତ ଗଭୀର ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହି ତାପମାତ୍ରା ବୃଦ୍ଧି ମାନବ ସହନଶୀଳତାଠାରୁ ଖୁବ୍ ଅଧିକ ହେବ, ଯାହା ଫଳରେ ଲୋକଙ୍କଠାରେ ହାର୍ଟଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ଗମ୍ଭୀର ରୋଗ ବିପଦ ଦେଖାଯାଇପାରେ।
ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ (ପିଏନ୍ଏସ୍) ପତ୍ରିକାରେ ଏହି ଗବେଷଣାର ରେଜଲ୍ଟ ପ୍ରକାଶ ପାଇଛି। ଗବେଷଣାରେ ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରାର ଏପରି ପରିବର୍ତ୍ତନ ଘଟିଲେ ଉତ୍ତର ଭାରତ, ପୂର୍ବ ପାକିସ୍ତାନ, ପୂର୍ବ ଚାଇନା ଓ କିଛି ସାହାରା ଆଫ୍ରିକାର ଦେଶରେ ଅତ୍ୟଧିକ ତାପମାତ୍ରା ସହ ଆଦ୍ରତା (ଶୁଷ୍କ) ଅନୁଭୂତ ହେବ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯଦି ତାପମାତ୍ରା ବୃଦ୍ଧି ସାଙ୍ଗକୁ ଶୁଷ୍କତା ସମସ୍ୟା ସୃଷ୍ଟି ହୁଏ ତେବେ ଏହା ବିପଦଜନକ ହୋଇପଡ଼ିବ। କାରଣ ବାୟୁ(ପବନ) ଅତ୍ୟଧିକ ଆଦ୍ରତାକୁ ଗ୍ରହଣ କରିପାରେ ନାହିଁ। ଯଦି ଲୋକମାନେ ଖରା ସାଙ୍ଗକୁ ଶୁଷ୍କତା ଅନୁଭବ କରିବେ, ତେବେ ମାନବ ଶରୀରର ଝାଳ ଶୁଖିବା କ୍ଷମତା ବାଧାପ୍ରାପ୍ତ ହେବ। ଏଥିସହ ଫ୍ୟାନ୍, ଏସି, କୁଲର୍ ଭଳି ଝାଳ ଶୁଖାଉଥିବା ଯନ୍ତ୍ରପାତିର କ୍ଷମତା ହ୍ରାସ ପାଇବ। ଏସବୁ ଉପକରଣରେ ବି ଶୀଘ୍ର ଝାଳ ଶୁଖାଇପାରିବ ନାହିଁ। ଲୋକମାନେ ଅସହ୍ୟ ତାତିର ଶିକାର ହେବେ।
ଏପରି ହେଲେ ଏସି, ଫ୍ୟାନ୍, କୁଲରର ଅଭାବ ମଧ୍ୟ ଦେଖାଯିବ। ଏହାର ପ୍ରଭାବ ବିଶେଷ କରି ନିମ୍ନ କିମ୍ବା ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କ ଉପରେ ଅଧିକ ପଡ଼ିବ। କାରଣ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବୈଦ୍ୟୁତିକ ଉପକରଣ କିଣିବାରେ ଅକ୍ଷମ ହେବେ। ଜଣେ ବ୍ୟକ୍ତି ଉତ୍ତାପ ଓ ଆର୍ଦ୍ରତାର ନିର୍ଦ୍ଦିଷ୍ଟ ମିଶ୍ରଣକୁ ସହ୍ୟ କରିପାରେ, କିନ୍ତୁ ଯେତେବେଳେ ଏହି ସହିବା ସୀମା ଅତିକ୍ରମ ହେବ, ତାହା ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ଅତ୍ୟଧିକ ଗରମ କାରଣରୁ ହାର୍ଟଷ୍ଟ୍ରୋକ୍ସ ଓ ଆହର୍ଟ ଆଟାକ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆହୁରି ବଢିପାରେ ବୋଲି ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି।
ରିପୋର୍ଟ ଅନୁସାରେ, ଶିଳ୍ପ ବିପ୍ଳବ ଆରମ୍ଭରୁ କାର୍ବନ ଡାଇଅକ୍ସାଇଡ୍ (CO2) ସ୍ତର ବୃଦ୍ଧି ପାଉଛି। ମୁଖ୍ୟତଃ ବିକଶିତ ଦେଶମାନଙ୍କର ଆତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଏହାର ମୁଖ୍ୟ କାରଣ। ଏହି କାରଣରୁ ବର୍ତ୍ତମାନ ବିଶ୍ୱ ତାପମାତ୍ରା ୧.୧୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇ ସାରିଛି। ବିଶ୍ୱର ତାପମାତ୍ରା ବୃଦ୍ଧିକୁ ପୂର୍ବ ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲସିୟସକୁ ସୀମିତ ରଖିବା ପାଇଁ ୨୦୧୫ରେ ୧୯୬ଟି ଦେଶ ପ୍ୟାରିସ୍ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।
ତଥାପି, ବିଶ୍ୱର ଅଗ୍ରଣୀ ଜଳବାୟୁ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଏକ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜର୍ (ଆଇପିସିସି) ଅନୁଯାୟୀ, ବିଂଶ ଶତାବ୍ଦୀର ଶେଷ ଭାଗରେ ବିଶ୍ୱ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଆଇପିସିସି ଜୋର ଦେଇଛି ଯେ ଜଳବାୟୁ ପରିବର୍ତ୍ତନର ଚରମ, ବିନାଶକାରୀ ଏବଂ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନକାରୀ ପ୍ରଭାବକୁ ଏଡାଇବା ପାଇଁ ବିଶ୍ୱର ହାରାହାରି ତାପମାତ୍ରାକୁ ୨୦୧୯ ସ୍ତର ତୁଳନାରେ ୨୦୩୦ ସୁଦ୍ଧା ଅଧା ହ୍ରାସ କରିବାକୁ ପଡ଼ିବ। ନଚେତ୍ ଏହା ଏକ ଗମ୍ଭୀର ମାନବ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିବ।
ବିଶ୍ୱସ୍ତରୀୟ ଏଜେନ୍ସିଗୁଡିକ ଅନୁଯାୟୀ, ଗତ ଚାରିମାସ (ଜୁନ୍, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର) ସବୁଠାରୁ ଉତ୍ତପ୍ତ ଥିଲା ଓ ୨୦୨୩ ବର୍ଷ ଅତ୍ୟଧିକ ଉତ୍ତାପ ବର୍ଷ ହେବାକୁ ଯାଉଛି। ଯଦି ତୁରନ୍ତ ଏଥିପ୍ରତି ଧ୍ୟାନ ନ ଯାଏ, ତେବେ ଆଗାମୀ ସମୟରେ ହିଟ୍ ୱେଭ୍ ଏକ ଅଭିଶାପ ପାଲଟିଯିବ!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।