Advertisment

ନିର୍ମାଣ ହେଉଛି ଷ୍ଟ୍ରକଚର କାମ; ସୂର୍ଯ୍ୟ ମନ୍ଦିରରୁ କେବେ ବାହାରିବ ବାଲି?

ଐତିହାସିକଙ୍କ ମତରେ, କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ପଥର ଖସୁଥିବାରୁ ୧୯୦୩ ମସିହାରେ ତତ୍କାଳୀନ ଇଂରେଜ ସରକାର ସୂର୍ଯ୍ୟମନ୍ଦିର ସୁରକ୍ଷା ଦୃଷ୍ଟିରୁ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ। ଗର୍ଭଗୃହର ଉପରିଭାଗ ଯାଏଁ ବାଲି ଭର୍ତ୍ତି ହୋଇଥିଲା।

author-image
Manoranjan Sial
undefined

konark sun temple

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଚାରିପାଖରେ ନିର୍ମାଣ କରାଯାଉଛି ମଜବୁତ ଲୁହା ଷ୍ଟ୍ରକଚର। କ୍ରେନ୍‌ ଜରିଆରେ ଚାଲିଛି ନିର୍ମାଣ କାମ। ଏକ ଐତିହାସିକ ନିଷ୍ପତ୍ତି କ୍ରମେ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ପାଇଁ ଗତବର୍ଷ ସେପ୍ଟେମ୍ବରରେ ଭୂମିପୂଜା କରିଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ)। ଏହାପରେ ଚଳିତ ବର୍ଷ ଜାନୁଆରୀରେ ବାଲି କାଢ଼ିବା ପାଇଁ ଆରମ୍ଭ ହୋଇଥିଲା ଷ୍ଟ୍ରକଚର ନିର୍ମାଣ କାମ। ହେଲେ କୌଣସି କାରଣ ବଶତଃ କାମ ଆରମ୍ଭର କିଛି ଦିନ ପରେ ବନ୍ଦ ରହିଥିଲା।

Advertisment

ଏବେ ପୁଣି ଥରେ ଜୋରସୋରରେ ଷ୍ଟ୍ରକଚର ନିର୍ମାଣ କାମ ଆରମ୍ଭ ହୋଇଛି। ସ୍ଥାନୀୟ ବାସିନ୍ଦା ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ଏନେଇ ସମସ୍ତ ତଥ୍ୟ ଏଏସ୍ଆଇ ସାର୍ବଜନୀନ କରୁ ବୋଲି ଦାବି କରିଛନ୍ତି।

ସେପଟେ ଏଏସ୍ଆଇ ଅଧୀକ୍ଷକ କହିଛନ୍ତି, ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ଆରମ୍ଭ ହୋଇନାହିଁ। ଏବେ କେବଳ ଜଗମୋହନର ସ୍ଥିତି ପରଖିବାକୁ ଷ୍ଟ୍ରକଚର ନିର୍ମାଣ କରାଯାଉଛି। ଏହାପରେ ଗର୍ଭଗୃହ ଉପରିଭାଗରୁ ଡ୍ରିଲ କରାଯାଇ ଭିତର ସ୍ଥିତି ଅନୁଧ୍ୟାନ କରାଯିବ। ତା’ପରେ କୋର କମିଟି ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସ୍ଆଇ ଅଧୀକ୍ଷକ କହିଛନ୍ତି।

Advertisment

ଐତିହାସିକଙ୍କ ମତରେ, କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ପଥର ଖସୁଥିବାରୁ ୧୯୦୩ ମସିହାରେ ତତ୍କାଳୀନ ଇଂରେଜ ସରକାର ସୂର୍ଯ୍ୟମନ୍ଦିର ସୁରକ୍ଷା ଦୃଷ୍ଟିରୁ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ। ଗର୍ଭଗୃହର ଉପରିଭାଗ ଯାଏଁ ବାଲି ଭର୍ତ୍ତି ହୋଇଥିଲା। କିନ୍ତୁ କିଛି ବର୍ଷ ତଳେ ରୁର୍କି ସେଣ୍ଟର ଫର ବିଲ୍‌ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଗର୍ଭ ଗୃହର ସ୍କାନିଂ ଓ ଏଣ୍ଡୋସ୍କୋପିରୁ ଜଣାପଡ଼ିଥିଲା, ବାଲିସ୍ତର ଗର୍ଭଗୃହ ଉପରି ଭାଗରୁ ୧୭ ଫୁଟ ତଳକୁ ଦବି ଯାଇଛି। ଏହାପରେ ଗର୍ଭଗୃହରୁ ବାଲି କାଢ଼ି ଏହାର ସୁଦୃଢ଼ୀ କରଣ ଲାଗି ଏଏସଆଇ ନିଷ୍ପତ୍ତି ନେଇଥିଲା।

ସେପଟେ ଭୂତତ୍ତ୍ୱବିଦ କହିଛନ୍ତି, ବାଲି କଢ଼ାଯିବା ଫଳରେ ମନ୍ଦିର ଅଧିକ ଦୀର୍ଘସ୍ଥାୟୀ ହେବ। ତେବେ ବାଲି କାଢ଼ିବା ବେଳେ ଯେଭଳି ମନ୍ଦିର ଉପରେ କୌଣସି ପ୍ରଭାବ ନ ପଡ଼େ, ଏଏସଆଇ କର୍ତ୍ତୃପକ୍ଷ ତାହା ସୁନିଶ୍ଚିତ କରିବା ଆବଶ୍ୟକ।

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରିଛି ଏଏସଆଇ। ଏବେ ଅପେକ୍ଷା, କେବେ ଗର୍ଭଗୃହ ଭିତର ସ୍ଥିତି ଅନୁଧ୍ୟାନ ସରିବ ଓ ଆରମ୍ଭ ହେବ ବାଲି କଢ଼ା ପ୍ରକ୍ରିୟା।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri Konark