ଦିନେ ଯେଉଁ ପାକିସ୍ତାନ ଗଣମାଧ୍ୟମ କଥା କଥାରେ ଭାରତକୁ ସମାଲୋଚନା କରୁଥିଲା, ଆଜି ସିଏ ସତମୁଖ। ଭାରତକୁ ପ୍ରଶଂସାରେ ପତି ପକାଉଛି । ପାକିସ୍ତାନ ଗଣମାଧ୍ୟମ ମୁହଁରେ ଚନ୍ଦ୍ରଯାନ-୩ର ସଫଳ ଗାଥା । ଇତିହାସ ରଚିଛି ଭାରତ । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ସଫଳତା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି।
ପାକିସ୍ତାନରେ ମଧ୍ୟ ଭାରତର ଚନ୍ଦ୍ରଯାନ-୩ର ସଫଳତାକୁ ପ୍ରଶଂସା କରାଯାଇଛି। ଭାରତ- ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ କଥା ସମସ୍ତଙ୍କୁ ଜଣା। ଦୁଇ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ଲାଗି ରହିଛି। ଏହା ସତ୍ତ୍ୱେ ପାକିସ୍ତାନର ପ୍ରମୁଖ ଖବର କାଗଜଗୁଡ଼ିକ ନିଜର ପ୍ରଥମ ପୃଷ୍ଠାରେ ଚନ୍ଦ୍ରଯାନ-୩ର ସଫଳତା କଥା ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଇସ୍ରୋର ସଫଳତାକୁ ନେଇ ଭାରତକୁ ପ୍ରସଂଶା କରିଥିଲେ ।
ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ନ୍ୟୁଜ ଇଣ୍ଟରନ୍ୟାସନାଲ, ଡନ ନ୍ୟୁଜ ପେପର, ବିଜନେସ ରେର୍କରଡର ଓ ଦୁନିଆ ନ୍ୟୁଜ ଭଳି ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ଖବର ପ୍ରକାଶିତ ହୋଇଛି । ସେହିଭଳି ବିଶ୍ୱର ବିଭିନ୍ନ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଭାରତର ଚନ୍ଦ୍ରଯାନ-୩ର ସଫଳତା ଖବର ପ୍ରକାଶ ପାଇଛି ।
ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଥିଲା। ଚନ୍ଦ୍ରଯାନ-୩ ଦୀର୍ଘ ୪୦ ଦିନର ଯାତ୍ରା ପରେ ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ବିଶ୍ୱର କୌଣସି ବି ଦେଶ ଚନ୍ଦ୍ର ଦକ୍ଷିଣ ମେରୁରେ ଅବତରଣ କରି ନଥିଲେ। ଭାରତ ପ୍ରଥମ କରି ଦକ୍ଷିଣ ମେରୁରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି।