Advertisment

ଆସନ୍ତାକାଲି ଇସ୍ରୋର ମୁନ୍ ମିଶନ୍ ଚନ୍ଦ୍ରଯାନ-3

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତିଶ ଧାୱନ ଲଞ୍ଚ୍ ପ୍ୟାଡରୁ ଆସନ୍ତାକାଲି ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଏଥିପାଇଁ ଗତକାଲି(ବୁଧବାର) ରିହଲସଲ୍ ସରିବା ପରେ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ।

author-image
Debibandita Barick
ଅଦ୍ୟତନ ହୋଇଛି
Chandrayaan-3 Launch Tomorrow

ISRO LAUNCH PAD

ଆସନ୍ତାକାଲି ଭାରତର ଚନ୍ଦ୍ରପୃଷ୍ଠ ଯାତ୍ରା। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯିବ। ଗତକାଲି(ବୁଧବାର) ମଧ୍ୟ ରିହରସଲ୍ ସରିଛି। ଏହି ଯାତ୍ରା ସଫଳ କରି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ)। ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ ଏବଂ ରୁଷିଆ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିସାରିଛନ୍ତି।

Advertisment

ତେବେ ଚନ୍ଦ୍ରପୃଷ୍ଠ ଯାତ୍ରା ପାଇଁ ଏହା ଇସ୍ରୋର ତୃତୀୟ ପ୍ରୟାସ। ଏହା ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ କରି ବିଫଳ ହୋଇଛି ଇସ୍ରୋ। ଶେଷଥର ପାଇଁ ୨୦୧୯ ଜୁଲାଇ ୨୨ରେ ଦ୍ୱିତୀୟ ପ୍ରୟାସ କରିଥିଲା ଭାରତ। ଲାଣ୍ଡର ବିକ୍ରମର ଅବତରଣ ବିଫଳ ହେବାରୁ ଭାରତର ମୁନ୍ ମିଶନ୍ ଅଧାରେ ରହିଯାଇଥିଲା। ତେଣୁ ଚନ୍ଦ୍ରଯାନ-୩ ରେ ଯେପରି କୌଣସି ତ୍ରୁଟି ନ ହେବ ସେଥିପାଇଁ ବିଶେଷ ଧ୍ୟାନ ଦେଇଛି ଇସ୍ରୋ। ତେବେ ଚନ୍ଦ୍ରଯାନ-୩ରେ କେଉଁ କେଉଁ ନୂଆ ଟେକ୍ନୋଲୋଜି ଖଞ୍ଜା ଯାଇଛି ଏବଂ ଏହାର କଣ ବିଶେଷତା ରହିଛି ଜାଣନ୍ତୁ...   

ଭାରତର ପୂର୍ବ ଦୁଇ ମିଶନ:
ଭାରତ ପୂର୍ବରୁ ଚନ୍ଦ୍ରଯାନ-୧ ଏବଂ ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରକୁ ଅର୍ବିଟଲ ପଠାଇଛି। ଚନ୍ଦ୍ରଯାନ-୨ ମିଶନରେ ଏକ ଲ୍ୟାଣ୍ଡର ମଧ୍ୟ ସାମିଲ ହୋଇଥିଲା, ଯାହା ଚନ୍ଦ୍ରରେ ନିରାପଦରେ ଅବତରଣ କରିବାରେ ସଫଳ ହୋଇନଥିଲା। ଏଥର ଚନ୍ଦ୍ରଯାନ-୩ ମିଶନରେ ଲ୍ୟାଣ୍ଡର ବିକ୍ରମ ଏବଂ ଏହା ଭିତରେ ଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଅବତରଣ କରିବ। ରକେଟ୍ ଲଞ୍ଚ ଭେଇକିଲ୍ ମାର୍କ-୩(LVM-3) ମାଧ୍ୟମରେ ପୃଥିବୀରୁ ଉତକ୍ଷେପଣ କରାଯିବ।

Advertisment

ଚନ୍ଦ୍ରାୟଣ-୩ ବିଶେଷତା:
ଉତକ୍ଷେପଣ ପରେ ଚନ୍ଦ୍ରାୟଣ-୩ ପୃଥିବୀକୁ ୫ରୁ ୬ ଥର ପରିକ୍ରମା କରିବ। ଏହି ପରିକ୍ରମା ସମୟରେ ଏହା ପୃଥିବୀର ୧୭୦ କିଲୋମିଟର ନିକଟତର ହେବ ଏବଂ ୩୬,୫୦୦ କିଲୋମିଟର ଦୂରକୁ ଯିବ। ଏହା ଆଗାମୀ ଯାତ୍ରା ପାଇଁ ଆବଶ୍ୟକୀୟ ବେଗ ହାସଲ କରିବ। ଏହା ଚନ୍ଦ୍ରର ୧୦୦ କିଲୋମିଟର ଉଚ୍ଚ କକ୍ଷପଥରେ ପହଞ୍ଚିବ। ଚନ୍ଦ୍ରରେ ମଧ୍ୟ ଏଲିପ୍ଟିକାଲ୍(ଦୀର୍ଘ ବୃତ୍ତାକାର) କକ୍ଷପଥ ତିଆରି କରିବା ପରେ ଏକ ସ୍ଥିର ସ୍ଥିତି ହାସଲ କରିବ। ଏହା ପରେ ଚନ୍ଦ୍ରାୟଣ-୩ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ।

୧୦ଟି ପର୍ଯ୍ୟାୟରେ ବିଭକ୍ତ ମିଶନ୍ ମୁନ୍:
ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଯାନ ପୃଥିବୀ ପୃଥିବୀ ପରିକ୍ରମା କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଚନ୍ଦ୍ରମାର ପ୍ରକ୍ଷେପ ପଥରେ ଯାନକୁ ସ୍ଥାନାନ୍ତରଣ କରିବ। ପରବର୍ତ୍ତୀ ସାତଟି ପର୍ଯ୍ୟାୟ ମଧ୍ୟ ଚନ୍ଦ୍ର ଆଧାରିତ। ଏଥିମଧ୍ୟରେ ଚନ୍ଦ୍ରମାର ପରିକ୍ରମା ପଥରେ ପ୍ରବେଶ(LOI),ଚନ୍ଦ୍ର ସହିତ ସଂଲଗ୍ନ ହୋଇଥିବା ଯାନର ସ୍ଥାନ ପରିବର୍ତ୍ତନ, ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତ ହୋଇଥିବା ମଡ୍ୟୁଲକୁ ପୃଥକ କରିବା, ଡି-ବୁଷ୍ଟ ଯଥା ମଡ୍ୟୁଲର ଗତି ହ୍ରାସ କରିବା, ପ୍ରି-ଲ୍ୟାଣ୍ଡିଂ, ଲ୍ୟାଣ୍ଡିଂ, ଲ୍ୟାଣ୍ଡର୍ ଏବଂ ରୋବରର ସାଧାରଣ ପଦକ୍ଷେପଗୁଡିକ ଅନ୍ତର୍ଭୂକ୍ତ କରାଯାଇଛି।

ଦଶମ ଏବଂ ଅନ୍ତିମ ପର୍ଯ୍ୟାୟ ହେଉଛି ପ୍ରୋପଲ୍ସନ୍ ମଡ୍ୟୁଲ୍ ଦ୍ୱାରା ଚନ୍ଦ୍ରର ସାଧାରଣ କକ୍ଷପଥ ପରିକ୍ରମା କରିବା। ସୂଚନାଯୋଗ୍ୟ ଯେ ଏହି ମିଶନରେ କକ୍ଷପଥ ପଠାଯାଇ ନାହିଁ, କିନ୍ତୁ ପ୍ରୋପଲ୍ସନ ମଡ୍ୟୁଲ ଚନ୍ଦ୍ରଠାରୁ ୧୦୦ କିଲୋମିଟର ଉଚ୍ଚରେ କକ୍ଷପଥରେ ରହି ଏହାର ଯନ୍ତ୍ର SHAPE(ସ୍ପେକ୍ଟ୍ରୋ-ପୋଲାରୋମେଟ୍ରି ଅଫ୍ ହାବିଟେବଲ୍ ପ୍ଲାନେଟାରୀ ଆର୍ଥ) ସହିତ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବ। ଏଥିରୁ ପ୍ରାପ୍ତ ତଥ୍ୟ ପୃଥିବୀ ଏବଂ ଅନ୍ୟାନ୍ୟ ଗ୍ରହ ଅଧ୍ୟୟନ ପାଇଁ ସାହାଯ୍ୟ ହେବ। ଏହା ଦ୍ୱାରା ଜୀବନ ସତ୍ତା ଥିବା ଗ୍ରହଗୁଡିକୁ ଚିହ୍ନଟ କରିବା ସହଜ ହୋଇପାରିବ।

୧୬ ମିନିଟ୍ ପରେ ଅଲଗା ହେବ ପ୍ରୋପଲ୍ସନ୍ ମଡ୍ୟୁଲ୍
ପୃଥିବୀରୁ ଉତକ୍ଷେପଣର ପ୍ରାୟ ୧୬ ମିନିଟ୍ ପରେ, ମିଶନର ପ୍ରୋପଲ୍ସନ୍ ମଡ୍ୟୁଲ୍(PM) ରକେଟ୍ ଠାରୁ ଅଲଗା ହୋଇ ଚନ୍ଦ୍ରୟାନ୍-3 ସହିତ ରହିବ । ପରବର୍ତ୍ତୀ ସମୟରେ, ଏହି ମଡ୍ୟୁଲ୍ ଚନ୍ଦ୍ର ଆଡକୁ ଗତି କରିବ । ଏହା ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡରକୁ ଅବତରଣ କରିବା ପାଇଁ ଏବଂ ଲ୍ୟାଣ୍ଡରକୁ ନିଜଠାରୁ ଅଲଗା କରିବା ପାଇଁ ଚନ୍ଦ୍ର କକ୍ଷପଥରେ ପହଞ୍ଚିବ । ଏସବୁ ପର୍ଯ୍ୟାୟ ସଫଳ ହେଲେ ଅଗଷ୍ଟ 23 କିମ୍ବା 24 ସୁଦ୍ଧା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ପହଞ୍ଚିଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ISRO Chandrayan Moon Mission