Advertisment

ଜହ୍ନରେ ଚାଲିଲା ରୋଭର ପ୍ରଜ୍ଞାନ, ୧୪ ଦିନ ଧରି ଯୋଗାଇବ ତଥ୍ୟ

ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ ।

author-image
Niharika Rout
ଅଦ୍ୟତନ ହୋଇଛି
Pragyan Rover

Pragyan Rover

ଖୁସି ଉପରେ ପୁଣି ମିଳିଲା ଖୁସି। ପୁଣି ଥରେ ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଗଲା । ଗତକାଲି ଚନ୍ଦ୍ରଯାନ-୩ ଜନ୍ମ ମାମୁରେ ପାଦ ଥାପିଥିବା ବେଳେ ଆଜି ବିଚରଣ କରିବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମଠୁ ଗତକାଲିଠୁ ଅଲଗା ହୋଇଥିବା ରୋଭର ପ୍ରଜ୍ଞାନ ଜହ୍ନରେ ଚାଲିବା ଆରମ୍ଭ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ

Advertisment

ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବେଳେ ଆଜିଠୁ ରୋଭର ପ୍ରଜ୍ଞାନ ଚାଲିବା ଆରମ୍ଭ କରିଛି। ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ ।

ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଥିଲା । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମ ର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା। ପ୍ରଥମ ଦୁଇଟି ଲକ୍ଷ୍ୟ ପୂରଣ ହୋଇଛି।

Advertisment

ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି। ଏବେ ପ୍ରଜ୍ଞାନ ର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା । ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ ଓ ସେସବୁ ତଥ୍ୟ ଇସ୍ରୋକୁ ପଠାଇବ।

ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି। ଏହାର ଅର୍ଥ ସେଠାରେ ପାଣି ଥାଇପାରେ। ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା। ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକ୍ସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ।

ଚନ୍ଦ୍ରର ବାୟୁମଣ୍ଡଳରେ କ’ଣ କ’ଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପ୍ଲେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ । ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର।

ରୋଭର ପ୍ରଜ୍ଞାନ ଆସନ୍ତା ୧୪ ଦିନ ଧରି ଜହ୍ନରେ ବିଚରଣ କରିବ । କାରଣ ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରର ଗୋଟିଏ ଦିନ । ଏହା ମଧ୍ୟରେ ତାହା ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ ।

ଗତକାଲି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିଥିଲା ଓ ଏହି ବାଟ ଦେଇ ତଳକୁ ଗଡ଼ିଆସି ଥିଲା ୬ ଚକିଆ ରୋଭର୍ ପ୍ରଜ୍ଞାନ। ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର ରହିଛି।  

Chandrayaan-3