ସବୁଠି ଖୁସି ଆଉ ଖୁସି... ହର୍ଷ ଉଲ୍ଲାସରେ ଫାଟି ପଡୁଛି ପୂରା ଦେଶ। ଇସ୍ରୋ ରଚିଛି ଇତିହାସ, ଚନ୍ଦ୍ରପୃଷ୍ଠରେ ଭାରତର ଭୌଗୋଳିକ ରେଖା ଆଙ୍କିବାରେ ହୋଇଛି ସଫଳ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।
ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ। ବଦଳାଇ ଦେଇଛି ଚନ୍ଦ୍ରମାରେ ଭୌଗୋଳିକ କ୍ଷେତ୍ର। ବର୍ଷ ବର୍ଷ ଧରି ଯେଉଁ ଅପେକ୍ଷା ଥିଲା ତାର ମିଠା ଫଳ ଚାଖିଛନ୍ତି ପୂରା ଦେଶବାସୀ। ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ନରମ ଅବତରଣ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି।
ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍। ଏହି ସମୟରେ ଇସ୍ରୋ ଆଶା କରୁଥିବା ଚନ୍ଦ୍ରପୃଷ୍ଠର ବିଭିନ୍ନ ସୂଚନା ପଠାଇବ। ଜହ୍ନ ରାଇଜରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍। ଜହ୍ନରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଏଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ଏଠାରେ ଅମ୍ଳଜାନ ପ୍ରସ୍ତୁତି କରାଯାଇ ପାରିବ କି ନାହିଁ, ଏଭଳି ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ ଇସ୍ରୋ। ସେହିପରି ଏହି ସଫଳତା ମଧ୍ୟ ମହାସାଗରର ଉତ୍ପତ୍ତି ବିଷୟରେ ସୂଚନା ଦେଇପାରେ।
୨୨ ଅକ୍ଟୋବର ୨୦୦୮ରେ ପ୍ରଥମ କରି ମୁନ୍ ମିଶନର ସ୍ୱପ୍ନ ଦେଖିଥିଲା ଇସ୍ରୋ। ମାତ୍ର ସେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଧାରେ ଅଟକି ଯାଇଥିଲା ଭାରତର ଚନ୍ଦ୍ରଯାତ୍ରା। ପୁନର୍ବାର ୨୦୧୯ରେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇଥିଲା ଇସ୍ରୋ। ଶତ ଚେଷ୍ଟା ପରେ ବି ଅବତରଣ ସମୟରେ ସାମାନ୍ୟ ବିଚ୍ୟୁତିରୁ କ୍ରାସ୍ କରି ଯାଇଥିଲା ଚନ୍ଦ୍ରଯାନ-୨। ଏଥିପାଇଁ ତୃତୀୟ ଚନ୍ଦ୍ରଯାନ ଉପରେ ବହୁ ଆଶା ରଖିଥିଲା ଇସ୍ରୋ। ଏହା ଉପରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଥିଲା।
ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩। ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ହୋଇଥିଲା ଉତକ୍ଷେପଣ। ଏହା ପରଠାରୁ ଚନ୍ଦ୍ରଯାନ ଉପରେ ୨୪ ଘଣ୍ଟିଆ ନଜର ରଖିଥିଲା ଇସ୍ରୋ। ଅଗଷ୍ଟ ୫ରେ ଚନ୍ଦ୍ର କକ୍ଷପଥରେ ଚନ୍ଦ୍ରଯାନ-୩କୁ ଅବସ୍ଥାପିତ କରାଯାଇଥିଲା। ଏହାପରେ ଚନ୍ଦ୍ରମା ଦିଗରେ ଯାତ୍ରା ଆରମ୍ଭ କରିଥିଲା ଲ୍ୟାଣ୍ଡର ବିକ୍ରମ। ଆଉ ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇସ୍ରୋକୁ ସଫଳତା ଭେଟି ଦେଇଛି। ଏହି ସଫଳତା ସହ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଚତୁର୍ଥ ରାଷ୍ଟ୍ର ହୋଇଯାଇଛି। ଏହା ପୂର୍ବରୁ ଆମେରିକା, ଋଷ୍ ଏବଂ ଚୀନ୍ ଚନ୍ଦ୍ରଯାତ୍ରାରେ ସଫଳ ହୋଇଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଉଛି କି, ବିଶ୍ୱର କୌଣସି ବି ଦେଶ ଚନ୍ଦ୍ର ଦକ୍ଷିଣ ମେରୁରେ ଅବତରଣ କରିନଥିଲେ। ଭାରତ ପ୍ରଥମ କରି ଦକ୍ଷିଣ ମେରୁରେ ପହଞ୍ଚିଛି।
ମୁନ୍ ମିଶନର ସଫଳତା ପରେ ଇସ୍ରୋର ଅନେକଗୁଡିଏ ପ୍ରୋଜେକ୍ଟ ରହିଛି। ଜହ୍ନ ପରେ ସୂର୍ଯ୍ୟ ଉପରେ ଅନୁସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ପର୍ଯ୍ୟବେକ୍ଷକ ଆଦିତ୍ୟ- L1 ଉତକ୍ଷେପଣ ପାଇଁ ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ- L1 ଉତକ୍ଷେପଣ ହୋଇପାରେ। ସେହିପରି ମାନବ ଯୁକ୍ତ ମହାକାଶ ଯାନ ଗଗନାୟନ ଉପରେ ମଧ୍ୟ ନଜର ରଖିଛି ଇସ୍ରୋ।