/odisha-reporter/media/post_attachments/uploads/2020/12/covid-death.jpg)
covid-death
ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ଜୋରଦାର କରିବାକୁ ହେବ। ନହେଲେ ହାତ ପାହାନ୍ତାରେ ଆସିବାକୁ ଥିବା ତୃତୀୟ ଲହର ଦେଶକୁ ଆହୁରି ବିପଦ ମୁହାଁ ନେଇଯିବ। ଏବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି। ଆଉ ୬-୮ ମାସ ମଧ୍ୟରେ ତୃତୀୟ ଲହର ଭାରତରେ ଆସିଯିବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ କରୋନାକୁ ରୋକିବା ପାଇଁ ଜାରି ରହିଥିବା ବିଭିନ୍ନ ନିୟମ ଉପରେ କୋହଳ ନକରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍ ବିଦ୍ୟାସାଗର। ଭାଇରସ କେବେ ଆସିବ ଆଉ ଏହାର ବେଗ କିଭଳି ରହିବ ଏ ନେଇ ଏକ ଫର୍ମୁଲା ମଡେଲ ରହିଛି। ଏହି ଫର୍ମୁଲା ମଡେଲ ସହ ଜଡ଼ିତ ଅଛନ୍ତି ଏହି ପ୍ରଫେସର।
ବୁଧବାର ଏମ୍ ବିଦ୍ୟାସାଗର ଚେତାବନୀ ଦେଇ କହିଛନ୍ତି ଯେ ଯଦି ଦେଶରେ ଟିକାକରଣ ଅଭିଯାନ ଜୋରଦାର ନହୁଏ ଏବଂ କରୋନା ନିୟମାବଳୀ ଠିକ୍ ଭାବରେ ପାଳନ ନହୁଏ, ତେବେ ଆସନ୍ତା ୬ ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ। ଗଣିତ ଉପରେ ଆଧାରିତ ଏହି ମଡେଲ କୌଣସି ଲହର ବାବଦରେ ଯଦିଓ ସୂଚନା ଦିଏ ନାହିଁ ହେଲେ ଖୁବଶୀଘ୍ର ତୃତୀୟ ଲହର ଜୁନ୍ ମଧ୍ୟ ଭାଗ ବେଳକୁ ଆସିଯିବ ବୋଲି ଆକଳନ କରାଯାଉଛି। ଏବେ ବି ତୃତୀୟ ଲହର କେବେ ଆସିବ ଏହା ସ୍ପଷ୍ଟ ସୂଚନା ହୋଇନଥିଲେ ମଧ୍ୟ ଆଶଙ୍କା କରାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି।
ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର ଆହୁରି କହିଛନ୍ତି ଯେ ଯଦି ଆଣ୍ଟିବଡି ଶେଷ ହୋଇଯାଏ, ତେବେ ରୋଗ ପ୍ରତିରୋଧ ସମ୍ଭାବନା ହ୍ରାସ ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଟିକାକରଣ ଜୋରଦାର ହେବା ଉଚିତ। ଆଉ ଭାଇରସ କିଭଳି ବିସ୍ତାର ନକରିବ ସେଥିପ୍ରତି ନିୟମ ପାଳନ କରାଯିବା ଉଚିତ। ଯଦି ତାହା ନହୁଏ, ତୃତୀୟ ଲହର ଛଅରୁ ଆଠ ମାସ ମଧ୍ୟରେ ଆସି ଆହୁରି ବିପର୍ଯ୍ୟୟ କରିପାରେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନଙ୍କ ସମେତ ଅନେକ ବିଶେଷଜ୍ଞ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ ଜୋରଦାର ହେବା ଆବଶ୍ୟକ।
ସୂଚନାଯୋଗ୍ୟ, ବିଶେଷଜ୍ଞମାନେ କହିଛନ୍ତି ଯେ ତୃତୀୟ ଲହର ବେଳେ ଛୋଟ ପିଲାମାନେ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି। ଏହା ପୂର୍ବରୁ ଅନେକ ଦେଶ କରୋନାର ତୃତୀୟ ଲହର ସହିତ ସଂଘର୍ଷ କରୁଛନ୍ତି। କେତେକ ପାଶ୍ଚାତ୍ୟ ଦେଶରେ ଚତୁର୍ଥ ଲହର କଥା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଭାରତରେ ତୃତୀୟ ଲହର ଆସିବା ଏକ ପ୍ରକାର ସ୍ପଷ୍ଟ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
