Advertisment

ଚିନ୍ତା ବଢ଼ାଇଛି କଳା ବାଘ ସଂଖ୍ୟା ବୃଦ୍ଧି

୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂଖ୍ୟା ୧୩କୁ ବଢ଼ିଛି।

author-image
Jitendra Garnayak
Black Tiger

Black Tiger

ଦୁଇ ବର୍ଷରେ ରାଜ୍ୟରେ ୫୦ ପ୍ରତିଶତ ବଢ଼ିଛି ମହାବଳ ବାଘଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରଥମ ବାଘ ଗଣନା ରିପୋର୍ଟରୁ ମିଳିଛି ଏମିତି ତଥ୍ୟ। ଅନ୍ୟପକ୍ଷରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଥିଲେ ବି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ଶିମିଳିପାଳର ମେଲାନିଷ୍ଟିକ୍ ଟାଇଗର ବା କଳା ବାଘଙ୍କ ବଂଶବୃଦ୍ଧି।

Advertisment

୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂଖ୍ୟା ୧୩କୁ ବଢ଼ିଛି। ଇନ୍ ବ୍ରିଡିଂ ବା ସମବଂଶୀଙ୍କ ମଧ୍ୟରେ ମେଟିଂ ଫଳରେ ଜିନ୍‌ଗତ ସମସ୍ୟାରୁ କଳାବାଘଙ୍କ ସଂଖ୍ୟା ବଢ଼ୁଛି। ୧୦ ବର୍ଷ ତଳେ ଶିମିଳିପାଳରେ ମୋଟ ମହାବଳ ବାଘରୁ କଳା ବାଘଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତରେ ସୀମିତ ଥିଲା ବେଳେ ଏବେ ଏହା ୪୦ ପ୍ରତିଶତରେ ପହଞ୍ଚିଲାଣି।

ଏଭଳି ସ୍ଥିତି ଲାଗି ରହିଲେ, ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଏହି କଳାବାଘଙ୍କ ସଂଖ୍ୟା ବଢ଼ିଯିବ, ଯାହାକି ବାଘବଂଶ ଲୋପର ବି କାରଣ ପାଲଟିପାରେ ବୋଲି ଆଶଙ୍କା ପ୍ରକାଶ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ। ତେବେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ଯେ କଳା ବାଘ ସଂଖ୍ୟା ବୃଦ୍ଧିରେ ରୋକ୍ ଲଗାଇବାକୁ ଏନ୍‌ଟିସିଏର ସହଯୋଗରେ ଅନ୍ୟ ସ୍ଥାନରୁ କିଛି ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା କରାଯାଉଛି। ସଠିକ୍ ତର୍ଜମା ପରେ ଏହି କାର୍ଯ୍ୟ କରାଯିବ। ଏହା ଟିକେ ସମୟ ସାପେକ୍ଷ।

Advertisment

ରାଜ୍ୟ ସରକାରଙ୍କ ପ୍ରଥମ ନିଜସ୍ୱ ବାଘ ଗଣନା ରିପୋର୍ଟରୁ ଓଡ଼ିଶାରେ ମହାବଳ ସଂଖ୍ୟା ୫୦ ପ୍ରତିଶତ ବଢ଼ିବା ପରେ ଆଜି ଏମିତି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଦ୍ୱାରା ପ୍ରକାଶିତ ୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ମାତ୍ର ୨୦ଟି ମହାବଳ ବାଘ ଥିଲେ। ଯେଉଁଥିରୁ ୧୬ଟି କେବଳ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିଲେ। ତେବେ ନିକଟରେ ସମାପ୍ତ ହୋଇଥିବା ରାଜ୍ୟ ବାଘ ଗଣନା ରିପୋର୍ଟ କହୁଛି, ଶିମିଳିପାଳରେ ଅଛନ୍ତି ୨୭ଟି ମହାବଳ ସହ ୮ଟି ବାଘ ଶାବକ। ଏମିତିକି କେନ୍ଦୁଝର, ପାରଳାଖେମୁଣ୍ଡି ଓ ସମ୍ବଲପୁରର ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ବାଘ ଠାବ ହୋଇଛନ୍ତି। ଏହା ରାଜ୍ୟରେ ମହାବଳ ସଂଖ୍ୟା ବୃଦ୍ଧି ନେଇ ଏକ ଶୁଭ ସଙ୍କେତ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍।

ମହାବଳ ବାଘ ଉପରେ ବର୍ଷ ତମାମ ବନ ବିଭାଗ ନଜର ରଖିବ। ସେମାନଙ୍କ ଗତିବିଧିକୁ ଟ୍ରାକ୍ କରାଯିବ। ଏହା ସହିତ ପ୍ରତିବର୍ଷ ରାଜ୍ୟରେ ବାଘ ଗଣନା କରାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ଶ୍ରୀ ନନ୍ଦ କହିଛନ୍ତି।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

Similipal Tiger Reserve Black Tiger