Sunita Williams
ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ମହାକାଶଚାରିଣୀ ସୁନୀତା ୱିଲିୟମ୍ସ। ଏହା ତାଙ୍କର ମହାକାଶକୁ ତୃତୀୟ ଯାତ୍ରା। ଅନ୍ତରୀକ୍ଷରେ ପହଞ୍ଚିବା ପରେ ସେଠାରେ ଖୁସିରେ ନାଚି ଉଠିଛନ୍ତି ସୁନୀତା ୱିଲିୟମ୍ସ। ତାଙ୍କ ସହ କ୍ରୁଡମେଟ୍ ବଚ୍ ୱିଲମୋର୍ ମଧ୍ୟ ଅଛନ୍ତି।
ଉଭୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ତାଙ୍କୁ ପରମ୍ପରା ଅନୁସାରେ ଘଣ୍ଟି ବଜାଇ ସ୍ୱାଗତ କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। ମହାକାଶକୁ ତୃତୀୟ ଥର ଯାତ୍ରା ସହ ସୁନୀତା ୱିଲିୟମ୍ସ ପ୍ରଥମ ମହିଳା ଭାବେ କୌଣସି କ୍ରୁଡ୍ ଟେଷ୍ଟ ଫ୍ଲାଇଟର ପାଇଲଟ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି।
ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର ଜୁନ୍ ୫ରେ ନାସା ପକ୍ଷରୁ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ବୋଇଙ୍ଗ ଷ୍ଟାରଲିନର୍ ମହାକାଶ ଯାନ ଯୋଗେ ସ୍ପେଶ୍ ଷ୍ଟେସନ ଅଭିମୁଖେ ବାହାରିଥିଲେ। ୨୬ ଘଣ୍ଟାର ଯାତ୍ରା ପରେ ଉଭୟ ସ୍ପେଶ୍ ଷ୍ଟେସନରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି।
୫୯ ବର୍ଷୀୟ ୱିଲିୟମ୍ସ ପୂର୍ବରୁ ଦୁଇ ଥର ମହାକାଶ ଯାତ୍ରା କରିଥିବା ବେଳେ ଏହା ତାଙ୍କର ତୃତୀୟ ଯାତ୍ରା। ସେ ପୂର୍ବରୁ ଭଗବାନ ଗଣେଶଙ୍କ ମୂର୍ତ୍ତି ଏବଂ ଭଗବଦ୍ ଗୀତାକୁ ସାଥିରେ ନେଇ ଅନ୍ତରୀକ୍ଷ ଯାଇଥିଲେ।
ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସୁନୀତା ବେଶ୍ ଖୁସିବ୍ୟକ୍ତ କରିବା ସହ କ୍ୟୁ ସଦସ୍ୟମାନଙ୍କୁ ନିଜର ଅନ୍ୟ ଏକ ପରିବାର ବୋଲି କହିଛନ୍ତି। ଏଥିସହ ସେମାନଙ୍କୁ ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ପ୍ରକାଶ ଥାଉକି, ୨୦୦୬ ଡିସେମ୍ବର ୯ରେ 'ଡିସକଭରୀ' ମହାକାଶ ଯାନ ଯୋଗେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ।ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ସ୍ପେଶ୍ ସେଣ୍ଟରରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।
ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଛନ୍ତି। ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସେ ଏଥର ମହାକାଶରେ ମୋଟ ୩୨୨ ଦିନ ରହିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us