Aditya-L1
ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ସୂର୍ଯ୍ୟଯାନ ଆଦିତ୍ୟ-ଏଲୱାନ୍। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ୟାଡରୁ ସୂର୍ଯ୍ୟଯାନର ସଫଳ ଉତକ୍ଷେପଣ ହୋଇଛି। ଏଥିସହ ଆଦିତ୍ୟ-ଏଲୱାନକୁ ମଧ୍ୟ ସଫଳତା ପୂର୍ବକ କକ୍ଷପଥରେ ସ୍ଥାପିତ କରାଯାଇଛି। ମିଶନ୍ ଚନ୍ଦ୍ର ଲକ୍ଷ୍ୟ ହାସଲ୍ ହେବା ପରେ ସୂର୍ଯ୍ୟ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ତେବେ ଆଦିତ୍ୟ-ଏଲୱାନ୍ ଲକ୍ଷ୍ୟପଥରେ ପହଞ୍ଚିବା ପରେ କଣ କରିବ, ଏଥିରେ ଥିବା କେଉଁ ଯନ୍ତ୍ରପାତି କି କାମ କରିବ, ଜାଣନ୍ତୁ...
ପ୍ରଥମେ ଲାଗ୍ରାଞ୍ଜ୍ ପଏଣ୍ଟରେ ମହାକାଶଯାନକୁ ଅବସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏହି କାର୍ଯ୍ୟ ସଫଳ ହେଲେ ସୂର୍ଯ୍ୟରୁ ଆସିବ ନୂଆ ନୂଆ ତଥ୍ୟ। ଲିକ୍ୱିଡ୍ ଆପୋଜି ମୋଟର (LAM)ଏହି କାର୍ଯ୍ୟ କରିବ। ଏହା ଆଦିତ୍ୟ-ଏଲୱାନକୁ ପୃଥିବୀଠାରୁ ପ୍ରାୟ 15 ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଞ୍ଜିଆନ୍ ପଏଣ୍ଟ ୱାନ୍(L1) କକ୍ଷପଥରେ ରଖିବାରେ ପ୍ରମୁଖ ଭୂମିକା ନିଭାଇବ। ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC) ଲିକ୍ୱିଡ୍ ଆପୋଜି ମୋଟର ବିକଶିତ କରିଛି।
ଆଦିତ୍ୟ-ଏଲୱାନରେ ଥିବା ପ୍ରାଥମିକ ପେ'ଲୋଡ୍ ଭିଜିବଲ୍ ଏମିସନ୍ ଲାଇନ୍ କରୋନାଗ୍ରାଫ୍ (VELC),ପ୍ରତିଦିନ 1,440 ପ୍ରତିଛବି ପଠାଇବ। ଏହି ପ୍ରତିଛବିକୁ ଲକ୍ଷ୍ୟ କରାଯାଇ ଧାର୍ଯ୍ୟ କକ୍ଷପଥରେ ପହଞ୍ଚିବା ସହଜ ହେବ। ଏହି VELCରେ ସାତଟି ପେ'ଲୋଡ୍ ରହିଛି, ଯାହା ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ ହୋଇପାରିବ। ସେଥିମଧ୍ୟରୁ ଚାରିଟି ସୂର୍ଯ୍ୟ କିରଣ ଉପରେ ଅନୁସନ୍ଧାନ କରିବ ଏବଂ ଅବଶିଷ୍ଟ ତିନିଟି ଲାଗ୍ରାଞ୍ଜ ପଏଣ୍ଟରେ ରହି ପ୍ଲାଜମା ଏବଂ ଚୁମ୍ବକୀୟ କ୍ଷେତ୍ର ଉପରେ ପରୀକ୍ଷା ନୀରିକ୍ଷା କରିବେ।
VELC ପ୍ରତି ମିନିଟରେ ଗୋଟିଏ ଇମେଜ୍ ପଠାଇବ। ଅର୍ଥାତ୍ ଦିନକୁ ପଠାଇଥିବା 1440 ଦୃଶ୍ୟକୁ ଗ୍ରାଉଣ୍ଡ ଷ୍ଟେସନରେ ତର୍ଜମା କରାଯିବ ବୋଲି ଆଦିତ୍ୟ-ଏଲୱାନ୍ ପ୍ରୋଜେକ୍ଟ ବୈଜ୍ଞାନିକ ତଥା VELCର ଅପନେସନ୍ ମ୍ୟାନେଜର ଡ. ମୁଥୁ ପ୍ରିୟାଲ୍ କହିଛନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ଅନୁଯାୟୀ, 190 କିଲୋଗ୍ରାମ VELC ପେ'ଲୋଡ୍ ପାଞ୍ଚ ବର୍ଷ ପାଇଁ ଏହିପରି ଚିତ୍ର ପଠାଇବ, ଯାହା ଉପଗ୍ରହର ନୋମିନାଲ୍ ଲାଇଫ୍ ବାବଦରେ ଜଣାପଡିବ। ଏହିପରି ଆଗକୁ ମଧ୍ୟ ଚିତ୍ର ଆସିପାରେ, କିନ୍ତୁ ତାହା ସୂର୍ଯ୍ୟଯାନରେ ଥିବା ଇନ୍ଧନ ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି।
ଲାଗ୍ରାଞ୍ଜ ପଏଣ୍ଟରୁ ପ୍ରଥମ ଚିତ୍ର ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଆସିପାରେ ବୋଲି IIA ବୈଜ୍ଞାନିକମାନେ ଆଶା ରଖିଛନ୍ତି। ପ୍ରଫେସର ଜଗଦେବ ସିଂ କହିଛନ୍ତି ଯେ, ଜାନୁଆରୀ ମଧ୍ୟଭାଗରେ ଏହି ଉପଗ୍ରହକୁ କକ୍ଷପଥରେ ରଖାଯିବ ବୋଲି ଆଶା କରାଯାଉଛି। ତା'ପରେ ସମସ୍ତ ସିଷ୍ଟମ ସଠିକ୍ ଭାବରେ କାମ କରୁଛି କି ନାହିଁ ପରୀକ୍ଷା କରାଯିବ ଏବଂ ଫେବୃଆରୀ ଶେଷ ସୁଦ୍ଧା ନିୟମିତ ତଥ୍ୟ ଆସିବ।
ସେ ଆହୁରି ମଧ୍ୟ କହିଛନ୍ତି, "ଏଥିପାଇଁ ସମୟ ଲାଗିବ ଏବଂ ଆମକୁ ଯନ୍ତ୍ର ଦ୍ୱାରା ପରୀକ୍ଷଣ କରିବାକୁ ପଡିବ। ପ୍ରଥମେ ଆମେ ଛୋଟ ଯନ୍ତ୍ରଗୁଡ଼ିକୁ ପରୀକ୍ଷା କରିବୁ ଏବଂ ଫେବୃଆରୀ ମଧ୍ୟଭାଗରେ VELC ର କାର୍ଯ୍ୟ କରିବା ଆରମ୍ଭ କରିବ।" ଏହି ମିଶନ ମାଧ୍ୟମରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର୍, କ୍ରୋମୋସ୍ଫିର୍ ସହ ସୂର୍ଯ୍ୟଙ୍କ ବାହ୍ୟ ସ୍ତର କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ କରାଯିବ। ବିଶେଷ କରି କିପରି ସୌରଝଡର ଆକଳନ ଓ ମୁକାବିଲା କରାଯାଇପାରିବ ତାହା ଏହି ମିଶନ୍ ମାଧ୍ୟମରେ ହାସଲ ହୋଇପାରିବ। ଏଥିସହ ମହାକାଶର ପାଣିପାଗ ବାବଦରେ ମଧ୍ୟ ଜଣାଯାଇ ପାରିବ ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Aditya_L1_1693639851.jpg)