Advertisment

ଗଗନଯାନ ମିଶନ ପରୀକ୍ଷଣ ସ୍ଥଗିତ; ୫ ସେକେଣ୍ଡ ପୂର୍ବରୁ ବଦଳିଲା ନିଷ୍ପତ୍ତି

ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ।

author-image
Niharika Rout
ଅଦ୍ୟତନ ହୋଇଛି
gaganyaan-mission

gaganyaan-mission

ଆଜି ମିଶନ ଗଗନଯାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ ସମ୍ଭବ ହୋଇ ପାରିଲାନି। କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ।

Advertisment

 ବୈଷୟିକ ସମସ୍ୟା ଯୋଗୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି। ତେବେ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। କ’ଣ ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ । ଏହାପରେ ପୁଣି ଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ । ପରବର୍ତ୍ତୀ ସମୟରେ କେବେ ଉତ୍‌କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନଯାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର  ଯାନ୍ତ୍ରୀକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଏହାକୁ ଟାଳି ଦିଆଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।

Advertisment

ଏଥିସହ ସେ କହିଛନ୍ତି, କୌଣସି କାରଣୁ ଲଞ୍ଚିଂ ପ୍ରୋଗ୍ରାମ ବାଧିତ ହେବାରୁ କମ୍ପୁଟର ଲଞ୍ଚିଂକୁ ରୋକି ଦିଆଯାଇଛି । ଆମକୁ ମାନୁଆଲ ଭାବେ ଏହି ତ୍ରୁଟିର ବିଶ୍ଳେଷଣ କରିବାକୁ ପଡ଼ିବ । କେଉଁଠି ତ୍ରୁଟି ରହିଲା ଆମେ ତାହାର ଅନୁସନ୍ଧାନ କରିବୁ। କାରଣ ଟେଷ୍ଟ ହ୍ୱିକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଇଞ୍ଜିନ ଇଗ୍ନିଶନ ବି ହୋଇନି। ତେଣୁ କେଉଁଠି ତ୍ରୁଟି ରହିଲା ଇସ୍ରୋ ତାହାର ବିଶ୍ଳେଷଣ କରିବ ଏବଂ ଖୁବ୍‌ ଶୀଘ୍ର ତାହାକୁ ସଂଶୋଧନ କରାଯିବ ।

ପ୍ରାୟ ୩୫ ମିଟରର ଏକ ରକେଟ ସାହାଯ୍ୟରେ ଗଗନଯାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବା ସହ ସେଠାରୁ ତାହାକୁ ବଙ୍ଗୋପସାଗରରେ ଖସାଇବାକୁ ଯୋଜନା ହୋଇଥିଲା । ।

ଏହି ଯାନରେ କେହି ମହାକାଶଚାରୀ ରହିବେନି , କିନ୍ତୁ ଏହାର ଆକାର ଓ ଓଜନ ଗଗନଯାନର ପ୍ରକୃତ କ୍ରୁ ମଡ୍ୟୁଲ ସହିତ ସମାନ ରହିବ। ଏହି ୪ହଜାର ୫୨୦ କିଲୋଗ୍ରାମର କ୍ରୁ ମଡ୍ୟୁଲଟି ତଳକୁ ଖସିବା ବେଳେ ୧୦ଟି ପାରାଚୁଟ୍ ସାହାଯ୍ୟରେ ଏହାର ବେଗ ହ୍ରାସ କରାଯାଇଥାନ୍ତା।

ଯୋଜନା ମୁତାବକ ଏହି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟାଠାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିଥାନ୍ତା । ସେଠାରେ ପୂର୍ବରୁ ଜାହାଜରେ ମୁତୟନ ଥିବା ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିଥାନ୍ତେ।

ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଆଜି ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯାଇଥାନ୍ତା। ଏହା ସଫଳ ହୋଇଥିଲେ, ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯାଇଥାନ୍ତା ।

ଏଭଳି ବିଭିନ୍ନ ପରୀକ୍ଷଣ ଓ ପୂର୍ବାଭ୍ୟାସ ପରେ, ୨୦୨୫ ସୁଦ୍ଧା ଆରମ୍ଭ ହେବ ପ୍ରକୃତ ଗଗନଯାନ ମିଶନ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି।

କ’ଣ ଏହି ମିଶନ ଗଗନଯାନ?

ମିଶନ ଗଗନଯାନରେ ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅନ୍ତରୀକ୍ଷରେ ୩ଦିନ ରହି ପୃଥିବୀକୁ ଫେରିବେ ମହାକାଶଚାରୀ । ଭୂପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ସେଠାରେ ରହିବେ ୩ଜଣ ଭାରତୀୟ । ପୃଥିବୀ ଚାରିପଟେ ୩ ଦିନ ଘୁରି ବୁଲିବେ ୩ ଜଣ ଭାରତୀୟ ମହାକାଶଚାରୀ ।

ମିଶନ ଗଗନଯାନ ପାଇଁ ବ୍ୟବହାର ହେବ HLVM3 ରକେଟ୍ । ଏହା ହେଉଛି ଇସ୍ରୋର ବାହୁବଳୀ ରକେଟ୍ ’ଲଞ୍ଚ ଭେହିକିଲ୍ ମାର୍କ- ଥ୍ରୀ’ର ମାନବ ପ୍ରେରଣ ପାଇଁ ଉପଯୋଗୀ ଭର୍ସନ। ରୁଷିଆରେ ମହାକାଶ ଅଭିଯାନ ପାଇଁ ଟ୍ରେନିଂ ନେଇଛନ୍ତି ୪ ଭାରତୀୟ । ଅଧିକ ପ୍ରଶିକ୍ଷଣ ପାଇଁ ବାଙ୍ଗାଲୁରୁରେ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା ।

ବହୁ ପରୀକ୍ଷଣ ପରେ ମିଶନ ଗଗନଯାନର ପ୍ରଥମ ପର୍ଯ୍ୟାୟରେ ପଠାଯିବ ମାନବବିହୀନ ମହାକାଶଯାନ । ମଣିଷ ପଠାଇବା ପୂର୍ବରୁ ଗଗନଯାନରେ ଯିବ ରୋବଟ୍ ‘ବ୍ୟୋମମିତ୍ର’ । ସବୁ ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ । ଗଗନଯାନ ଲକ୍ଷ୍ୟ ପୂରଣ ପାଇଁ ଖର୍ଚ୍ଚ ହେବ ୯ହଜାର ୨୩ କୋଟି ଟଙ୍କା ।

ISRO Gaganyaan