Advertisment

ଚିନ୍ତାରେ ଇସ୍ରୋ; ନିଦରୁ ଉଠୁ ନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ

ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସିଗ୍ନାଲ ମିଳିନାହିଁ ବୋଲି ସୂଚନା ଦେଇଛି ଇସ୍ରୋ ।

ଅଦ୍ୟତନ ହୋଇଛି
vikram lander and pragyan rover

vikram lander and pragyan rover

Advertisment

ନିଦରୁ ଉଠୁନି ବିକ୍ରମ । ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସିଗ୍ନାଲ ମିଳିନାହିଁ ବୋଲି ସୂଚନା ଦେଇଛି ଇସ୍ରୋ । ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ବି ଜାରି ରହିବ।

Advertisment

ପୃଥିବୀ ସମୟ ଅନୁସାରେ ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ସେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ଥିଲା । ଏହି ତାପମାତ୍ରାକୁ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ସହ୍ୟ କରିବା କାଠିକର ପାଠ। ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖିଥିଲା ଇସ୍ରୋ। କେବଳ ରିସିଭରକୁ ଅନ୍ ରଖି ବାକି ସବୁ ଯନ୍ତ୍ରପାତିକୁ ବନ୍ଦ କରିଦିଆଯାଇଥିଲା।

ଇତି ମଧ୍ୟରେ ବିତିଯାଇଛି ୨ ସପ୍ତାହରୁ ଅଧିକ ସମୟ। ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି।

Advertisment

ଯଦି ଅସହ୍ୟ ଥଣ୍ଡା ତାପମାତ୍ରାରେ ଯନ୍ତ୍ରପାତି ଠିକ୍‌ ଥିବ, ତା’ ହେଲେ ଲ୍ୟାଣ୍ଡର ବିକ୍ରମ ସିଗନାଲ ଦେଇପାରେ । ନଚେତ କିଛି କୁହାଯାଇ ପାରିବିନ । ଲ୍ୟାଣ୍ଡର ବିକ୍ରମ ନିଦରୁ ଉଠିଲେ ପୁଣି ଥରେ ଅନୁସନ୍ଧାନ ଜାରି ରହିବ ବୋଲି ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି।

ପୃଥିବୀ ସମୟ ଅନୁସାରେ ପ୍ରତି ୧୪ ଦିନ ଅନ୍ତରରେ ଚନ୍ଦ୍ରରେ ଦିନ ଓ ରାତି ହୋଇଥାଏ । ଚନ୍ଦ୍ରରେ ୧୪ ଦିନ ଅନ୍ଧାର ଏବଂ ୧୪ ଦିନ ସୂର୍ଯ୍ୟାଲୋକ ପଡ଼ିଥାଏ। ତେବେ ଗତକାଲି ସେଠାରେ ସୂର୍ଯ୍ୟୋଦୟ ହୋଇସାରିଥିବା ବେଳେ, କେମିତି ଭାଙ୍ଗିବ ବିକ୍ରମ ଓ ପ୍ରଜ୍ଞାନର ନିଦ? ସେମାନଙ୍କୁ କେମିତି ନିଦରୁ ଉଠାଇବ ଇସ୍ରୋ? ଆସନ୍ତା ଜାଣିବା ପୂରା ପ୍ରକ୍ରିୟା ।

- ପଏଣ୍ଟ ଶିବଶକ୍ତିର ଦିଗବଳୟରେ ଉଦିତ ସୂର୍ଯ୍ୟ ୬ରୁ ୯ ଡିଗ୍ରୀ ଉପରକୁ ଉଠିଲେ ଖରା ଚନ୍ଦ୍ରୟାନ ଉପରେ ପଡ଼ିବ ।

- ଲ୍ୟାଣ୍ଡର ଓ ରୋଭରର ସୋଲାର ପ୍ୟାନେଲ୍ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଏହା ସୌରଶକ୍ତି ସଂଗ୍ରହ କରିବା ଆରମ୍ଭ କରିବ ।

- ଲ୍ୟାଣ୍ଡର ଓ ରୋଭର୍ କାର୍ଯ୍ୟକ୍ଷମ ହେବା ପାଇଁ ତାପମାତ୍ରା ଅତି କମରେ ମାଇନସ୍ ୧୦ ଡିଗ୍ରୀ ସେଲସିୟସ ହେବା ଦରକାର ।

- ଚନ୍ଦ୍ରରେ ରାତି ସମୟରେ ଲ୍ୟାଣ୍ଡରର ତାପମାତ୍ରା ଯେପରି ମାଇନସ୍ ୩୦ରୁ ମାଇନସ୍ ୪୦ ଡିଗ୍ରୀ ଅପେକ୍ଷା ଆଉ ତଳକୁ ନଖସେ ସେଥିଲାଗି ବ୍ୟବସ୍ଥା ହୋଇଥିଲା ।

- ଲ୍ୟାଣ୍ଡର ବିକ୍ରମକୁ ସୁନେଲି ରଙ୍ଗର ଚଦର ବା ମଲ୍ଟି ଲେୟାର୍ ଇନସୁଲେସନ୍ ବ୍ଲାଙ୍କେଟରେ ଘୋଡ଼ାଯାଇଥିଲା ।

- ଏଥିସହ ଅତି ଅଳ୍ପ ଚାର୍ଜରେ ମଧ୍ୟ ଯେପରି ବିକ୍ରମର ତାପମାତ୍ରା ବୃଦ୍ଧି କରିହେବ, ସେଥିପାଇଁ ତା ଭିତରେ ବ୍ୟାଟେରି ଓ ହିଟର୍ ବ୍ୟବସ୍ଥା ରହିଛି ।

- ଆବଶ୍ୟକ ଚାର୍ଜ ଓ ତାପମାତ୍ରା ମିଳିବା ପରେ ହିଁ ଲ୍ୟାଣ୍ଡର ବିକ୍ରମର ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହୋଇପାରିବ।

- ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହେବା ପରେ ଲ୍ୟାଣ୍ଡର ବିକ୍ରମ ପାଖରୁ ଇସ୍ରୋକୁ ସିଗ୍ନାଲ୍ କନଫର୍ମେସନ ମିଳିବ ।

-ଇସ୍ରୋ ପକ୍ଷରୁ କମାଣ୍ଡ୍ ପଠାଯିବ ଏବଂ ବିକ୍ରମର ରିସିଭର୍ ଏହାକୁ ଗ୍ରହଣ କରି ଜବାବ ଦେବା ପରେ ହିଁ ତାହା ନିଦରୁ ଉଠିଲା ବୋଲି କହିହେବ ।

- ଲ୍ୟାଣ୍ଡର ବିକ୍ରମ ପରେ ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରୁ ଜଗାଇବାକୁ ଚେଷ୍ଟା କରିବ ଇସ୍ରୋ ।

- ରୋଭର୍ ସହିତ ଇସ୍ରୋର ସିଧାସଳଖ ସଂପର୍କ ସ୍ଥାପନ ଲାଗି କୌଣସି ବ୍ୟବସ୍ଥା ନାହିଁ ।

- ଲ୍ୟାଣ୍ଡର୍ ସକ୍ରିୟ ହେବା ପରେ ହିଁ ରୋଭର ସହ ଏହା ମାଧ୍ୟମରେ ଯୋଗାଯୋଗ କରିହେବ।

- ଲ୍ୟାଣ୍ଡରକୁ କମାଣ୍ଡ ପଠାଇ ରୋଭରକୁ ନିଦରୁ ଉଠାଇବାକୁ ଚେଷ୍ଟା କରିବ ଇସ୍ରୋ ।

ISRO Lander Vikram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe