ଆଦିତ୍ୟ ମିଶନର ସଫଳ ଉତକ୍ଷେପଣ। ଏହି ସଫଳତା ସହ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଇସ୍ରୋ। ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ଯାଡରୁ ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟ-ଏଲୱାନ୍। ରକେଟ ପିଏସଏଲଭି-ସି57 ମାଧ୍ୟମରେ ମହାକାଶକୁ ଯାଇଛି ଏହି ମହାକାଶଯାନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପୂର୍ବାହ୍ନ 11ଟା 50 ମିନିଟରେ ଆଦିତ୍ୟ-ଏଲୱାନ୍ ଉତକ୍ଷେପଣ କରାଯାଇଛି।
ଏହି ମିଶନ୍ ମାଧ୍ୟମରେ ଅନେକ ଲକ୍ଷ୍ୟ ରଖିଛି ଇସ୍ରୋ। ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ ଅଛନ୍ତି। ଉତକ୍ଷେପଣର 127 ଦିନ ପରେ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଅର୍ଥାତ୍ ବୈଜ୍ଞାନିକମାନେ ଯେଉଁ ରହସ୍ୟ ଜାଣିବାକୁ ଆଶା ରଖିଛନ୍ତି ତାହା ଆଗାମୀ 4 ମାସ ପରେ ଅର୍ଥାତ୍ ଜାନୁଆରୀରେ ପୂରା ହୋଇପାରିବ।
#WATCH | Indian Space Research Organisation (ISRO) launches India's first solar mission, #AdityaL1 from Satish Dhawan Space Centre in Sriharikota, Andhra Pradesh.
Aditya L1 is carrying seven different payloads to have a detailed study of the Sun. pic.twitter.com/Eo5bzQi5SO— ANI (@ANI) September 2, 2023
କାରଣ, ବର୍ତ୍ତମାନ ଆଦିତ୍ୟ-ଏଲୱାନ୍ କକ୍ଷପଥରେ ଅବସ୍ଥାପିତ ହେବ। ସେଠାରୁ ପୃଥିବୀକୁ ଚାରି ଥର ପରିକ୍ରମା କରି ଲକ୍ଷ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ଦିଗରେ ଅଗ୍ରସର ହେବ। ଏହା ପରେ ହାଲୋ ଅର୍ବିଟରେ ରହି ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ। ଲାଗ୍ରାଞ୍ଜ ପଏଣ୍ଟର ଚତୁର୍ପାଶ୍ୱକୁ ହାଲୋ ଅର୍ବିଟ ବୋଲି କୁହାଯାଏ। ଆଦିତ୍ୟା-ଏଲୱାନ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ। ଏହା ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟରେ ରହି ଅନୁଧ୍ୟାନ କରିବ।
ପୃଥିବୀଠୁ ସୂର୍ଯ୍ୟଙ୍କ ଦୂରତା 15 କୋଟି କିଲୋମିଟର ହୋଇଥିବା ବେଳେ ଏହା 15 ଲକ୍ଷ କିଲୋମିଟର ଦୂରରୁ ରହି ଅନୁସନ୍ଧାନ କରିବ। ଏହି ପଏଣ୍ଟକୁ ଲାଗ୍ରାଞ୍ଜ ପଏଣ୍ଟ ବୋଲି କୁହାଯାଏ। ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜ ପଏଣ୍ଟ ରହିଛି। ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟର ଦୂରତା 15 ଲକ୍ଷ କିଲୋମିଟର।
ଲାଗ୍ରାଞ୍ଜ ପଏଣ୍ଟ ହିଁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଏକ ସ୍ଥାନ, ଯେଉଁଠାରେ ଦୁଇ ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି କାମ କରିଥାଏ। ଫଳରେ କୌଣସି ବସ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହିଠାରେ ସନ୍ତୁଳିତ ଅବସ୍ଥାରେ ରହି କାର୍ଯ୍ୟ କରିପାରିବ। ଏହିଠାରୁ ହିଁ ଆଦିତ୍ୟ-ଏଲୱାନ୍ ସୂର୍ଯ୍ୟଙ୍କ ରହସ୍ୟ ଭେଦିବ ଏବଂ ଇସ୍ରୋକି ଗୋଟିଏ ପରେ ଗୋଟିଏ ସୂଚନା ଦେବ।
ଆଦିତ୍ୟ-ଏଲୱାନ୍ ଜରିଆରେ ମହାକାଶକୁ 7ଟି ପେ'ଲୋଡ୍ ମଧ୍ୟ ପଠାଯାଇଛି। ଏହି ପେ'ଲୋଡ୍ ମଧ୍ୟରୁ 4ଟି ପେ'ଲୋଡ୍ ସୂର୍ଯ୍ୟଙ୍କ ଉପରେ ଏବଂ ଅନ୍ୟ 3ଟି ଲାଗ୍ରାଞ୍ଜ ପଏଣ୍ଟ ଏଲୱାନ ଉପରେ ପରୀକ୍ଷା ନିରୀକ୍ଷା କରିବ। ଏହାପରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର୍, କ୍ରୋମୋସ୍ଫିର୍ ସହ ସୂର୍ଯ୍ୟଙ୍କ ବାହ୍ୟ ସ୍ତର କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ କରିବ। ବିଶେଷ କରି ସୌରଝଡର ଆକଳନ ଓ ମୁକାବିଲା ଦିଗରେ ଏହି ମିଶନ୍ ସହାୟକ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ସେହିପରି ମହାକାଶରେ କିପରି ଜଳବାୟୁ ଓ ପାଣିପାଗ ରହିଥାଏ ତାହା ଜଣାପଡିବ।
ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ଏହା ପୂର୍ବରୁ ଆମେରିକା ସ୍ପେଶ୍ ଏଜେନ୍ସି ନାସା, ୟୁରୋପିୟ ସ୍ପେସ୍ ଏଜେନ୍ସି ଏବଂ ଜର୍ମାନ ସ୍ପେଶ୍ ଏଜେନ୍ସି ଭଳି ଖୁବ୍ କମ୍ ମହାକାଶ ଅନୁସନ୍ଧାନ ସଂସ୍ଥାନ ଏହି ଅନୁସନ୍ଧାନ କରିଛନ୍ତି। ଏହି ମିଶନ ସଫଳ ହେଲେ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଇସ୍ରୋ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଅଗଷ୍ଟରେ ମଧ୍ୟ ଇସ୍ରୋର ମୁନ୍ ମିଶନ୍ ସଫଳ ହୋଇଛି। ବର୍ତ୍ତମାନ ଚନ୍ଦ୍ରଯାନ-3 ଚନ୍ଦ୍ରମାରେ ଅନେକ ରହସ୍ୟ ଭେଦୁଛି। ଚଳିତ ମାସ ଗଗନଯାନ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ।