ଚନ୍ଦ୍ରରେ ରାତି ଯୋଗୁ ଶୋଇ ପଡ଼ିଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଆଜି ଉଠାଇବ ନାହିଁ ଇସ୍ରୋ। ଆଜି ଠାରୁ ଚନ୍ଦ୍ରରେ ସୂର୍ଯ୍ୟ ଉଇଁବା ଆରମ୍ଭ ହୋଇଥିବାରୁ ଇସ୍ରୋ ସନ୍ଧ୍ୟା ବେଳେ(ପୃଥିବୀ ସମୟ) ବିକ୍ରମ ଓ ପ୍ରଜ୍ଞାନକୁ ପୁନଃ କାର୍ଯ୍ୟକ୍ଷମୁ କରିବାକୁ ଯୋଜନା କରିଥିଲା। କିନ୍ତୁ ଏବେ ପ୍ରକ୍ରିୟାକୁ ସ୍ଥଗିତ କରି ଦିଆଯାଇଛି। ଆଜି ବଦଳରେ କାଲି ପୁନଃ କାର୍ଯ୍ୟକ୍ଷମ ପ୍ରକ୍ରିୟା କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ପେଶ ଆପ୍ଲିକେସନ ସେଣ୍ଟରର ନିର୍ଦ୍ଦେଶକ ନିଲେଶ ଦେଶାଇ କହିଛନ୍ତି ଯେ “ପୂର୍ବରୁ ଆମେ ପ୍ରଜ୍ଞାନ ଓ ବିକ୍ରମକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିଲୁ। ଏହି ପ୍ରକ୍ରିୟା ଆଜି ସନ୍ଧ୍ୟାରେ କରାଯାଇ ଥାଆନ୍ତା। କିନ୍ତୁ କିଛି କାରଣ ପାଇଁ କାର୍ଯ୍ୟକ୍ରମକୁ ଆସନ୍ତାକାଲି ଯାଏ ଘୁଞ୍ଚାଇ ଦିଆଯାଇଛି।”
ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ରେ ଖଞ୍ଜା ଯାଇଥିବା ବିକ୍ରମ ଓ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲେ। ଏହି ପଏଣ୍ଟକୁ ଶବଶକ୍ତି ପଏଣ୍ଟ ଭାବେ ନାମିତ କରାଯାଇଛି। ଲ୍ୟାଣ୍ଡ କରିବାର ୧୪ ଦିନ ଯାଏ ବିକ୍ରମ ଓ ପ୍ରଜ୍ଞାନ ଇସ୍ରୋକୁ ତଥ୍ୟ ଦେଇଥିଲେ।
ଏହାପରେ ଚନ୍ଦ୍ରରେ ରାତି ହୋଇଯିବାରୁ ଏମାନଙ୍କୁ ସ୍ଲିପ ମୋଡରେ ରଖାଯାଇଥିଲା। ଏବେ ଚନ୍ଦ୍ରରେ ପୁଣି ସୂର୍ଯ୍ୟ କିରଣ ପଡ଼ିବା ଆରମ୍ଭ ହୋଇଥିବାରୁ ଇସ୍ରୋ ପ୍ରଜ୍ଞାନ ଓ ବିକ୍ରମକୁ ସ୍ଲିପ ମୋଡରୁ ଉଠାଇବାକୁ ନିଷ୍ପତ୍ତି ନେଇଥିଲା। ହେଲେ ୨୨ ତାରିଖ ବଦଳରେ ୨୩ରେରେ ଏମାନଙ୍କୁ ଉଠାଯିବ ବୋଲି ଏବେ ନିଷ୍ପତ୍ତି ହୋଇଛି।
ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଏହି ସଫଳତା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଥିଲା। ପୂର୍ବରୁ ଆମେରିକା, ଋଷ, ଚାଇନା ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଥିଲେ ବି କେହି ଦକ୍ଷିଣ ମେରୁକୁ ଛୁଇଁ ନଥିଲେ। ଏଠାରେ ଅବତରଣ ପରେ ବିକ୍ରମ ଓ ଲ୍ୟାଣ୍ଡର ଦକ୍ଷିଣ ମେରୁର ତାପମାତ୍ରା ମାପିବା ସହ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ତଥ୍ୟ ଇସ୍ରୋକୁ ପଠାଇ ଥିଲେ।
କିନ୍ତୁ ଅବତରଣର ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ରାତି ଆସି ଯାଇଥିଲା। ବାସ୍ତବରେ ଚନ୍ଦ୍ରରେ ଗୋଟିଏ ଦିନ ରାତି ହୁଏ, କିନ୍ତୁ ଏହି ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ। ଚନ୍ଦ୍ରଯାନରେ ଥିବା ବିକ୍ରମ ଓ ପ୍ରଜ୍ଞାନ ସୋଲାର୍ ଚାଳିତ। ସୂର୍ଯ୍ୟକିରଣ ନ ପଡ଼ିବାରୁ ଉଭୟ କାର୍ଯ୍ୟ କରିବାରେ ଅକ୍ଷମ। ସେଠାରେ ସକାଳ ହେବା ପରେ ପୁନର୍ବାର ରୋଭର ଓ ପ୍ରଜ୍ଞାନ କାର୍ଯ୍ୟକ୍ଷମ ହେବେ ବୋଲି ଆଶା କରାଯାଉଛି।