Advertisment

ଜିନ୍ନତ ଏବେ ଗୁମସୁମ, ଏନକ୍ଲୋଜରରେ ବୁଝୁନି ମନ

ଗତ କିଛି ଦିନ ଧରି ବନ ବିଭାଗକୁ ନାକେଦମ କରିଥିବା ଜିନ୍ନତର ହାବଭାବ କିନ୍ତୁ ଟ୍ରାଙ୍କୁଲାଇଜ ହେବା ପରଠୁ ବଦଳି ଯାଇଛି। ଆଖି ପିଛୁଳାକେ ଡିଆଁ ମାରୁଥିବା ଜିନ୍ନତ ଏନକ୍ଲୋଜରରେ ଗୁମସୁମ ରହୁଛି।

author-image
Niharika Rout
Jinnat

Jinnat

ରାଜ୍ୟର ସୀମା ପାର ହୋଇ ଜଙ୍ଗଲ ପରେ ଜଙ୍ଗଲ ଡେଉଁଥିଲା ମରାଠା ବାଘୁଣୀ ଜିନ୍ନତ । ଗତ କିଛି ଦିନ ଧରି ବନ ବିଭାଗକୁ ନାକେଦମ କରିଥିବା ଜିନ୍ନତର ହାବଭାବ କିନ୍ତୁ ଟ୍ରାଙ୍କୁଲାଇଜ ହେବା ପରଠୁ ବଦଳି ଯାଇଛି। ଆଖି ପିଛୁଳାକେ ଡିଆଁ ମାରୁଥିବା ଜିନ୍ନତ ଏନକ୍ଲୋଜରରେ ଗୁମସୁମ ରହୁଛି। ଆଲିପୁର ଚିଡ଼ିଆଖାନାର ସ୍ୱତନ୍ତ୍ର ଏନକ୍ଲୋଜରରେ ଥିବା ବାଘୁଣୀ ଜିନ୍ନତର ପ୍ରଥମ ଝଲକ ସାମନାକୁ ଆସିଛି।

Advertisment

ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ କୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ଆଲିପୁର ଚିଡ଼ିଆଖାନା। ଭିଭିଆଇପି କାରକେଡ୍ ଭଳି ଜିନ୍ନତକୁ ମିଳିଥିଲା କଡ଼ା ସୁରକ୍ଷା। ଏବେ ସେ ଆଲିପୁର ଚିଡ଼ିଆଖାନାର ସ୍ୱତନ୍ତ୍ର ଏନକ୍ଲୋଜରରେ ଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ଶିମିଳିପାଳ ଫେରିବ । ତେବେ ପ୍ରଶ୍ନ ଉଠୁଛି, ଜିନ୍ନତ ଏନକ୍ଲୋଜରରେ ରହିବ ନା ତାକୁ କୋର୍ ଏରିଆରେ ଛଡ଼ାଯିବ ।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ୱଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ। ଆଗାମୀ ଦିନରେ ଜିନ୍ନତ ଯେପରି ଶିମିଳିପାଳ ସୀମା ବାହାରକୁ ନଯିବ, ତା ସୁନିଶ୍ଚିତ କରିବାକୁ ନୂଆ ରଣନୀତି ଆପଣେଇବ ବନ ବିଭାଗ।

Advertisment

ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ଘୁରି ବୁଲିବା ପରେ  ଙ୍ଗଲୀ ରାସ୍ତା ଦେଇ ଝାରଖଣ୍ଡ ପଳାଇ ଯାଇଥିଲା ‘ଜିନ୍ନତ’ ।  ଝାଡ଼ଖଣ୍ଡରେ କିଛି ଦିନ ରହିବା ପରେ ‘ଜିନ୍ନତ’ ପଶ୍ଚିମବଙ୍ଗ ପଳାଇ ଯାଇଥିଲା।  ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଘୂରି ବୁଲୁଥିଲା। ତା’ର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲେ। ‘ଜିନ୍ନତ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଟ୍ରାଙ୍କୁଲାଇଜ୍‌ ପାଇଁ ସ୍ୱତନ୍ତ୍ର ଟିମ୍‌ ବାଙ୍କୁରା ଯାଇଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଲୁଚି ଯାଉଥିଲା ‘ଜିନ୍ନତ’।

ରବିବାର ‘ଜିନ୍ନତ’ ବାଙ୍କୁରାରେ ଥିବା ଜଣାପଡ଼ିଥିଲା। ଏହା ପରେ ଚାରି ପାର୍ଶ୍ୱରୁ ଜାଲ ଘେରାଯାଇଥିଲା। ତା’ପରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ପରେ ‘ଜିନ୍ନତ’କୁ ଜନ୍ତାରେ ପୂରାଇ ଦିଆଯାଇଥିଲା। ତାକୁ ସଙ୍ଗେ ସଙ୍ଗେ ପଶ୍ଚିମବଙ୍ଗର ଆଲିପୁର ଅଭୟାରଣ୍ୟକୁ ନିଆଯାଇଥିଲା। ଜିନ୍ନତ ଏବେ ସେଠାରେ ଥିବା ବେଳେ ଖୁବ୍‌ ଶୀଘ୍ର ଶିମିଳିପାଳ ଫେରିବ । ଏଥର ‘ଶିମିଳିପାଳ ଫେରିବା ପରେ ଜିନ୍ନତ ସେଠାରେ ରହିବ ନା ପୂର୍ବ ପରି ଅନ୍ୟ କୌଣସି ଜଙ୍ଗଲକୁ ପଳାଇଯିବ ତାହା ଉପରେ ପରିବେଶବିତଙ୍କ ନଜର। 

Tiger Similipal Tiger Reserve Jinnat