Advertisment

ମୋବାଇଲ ଫୋନ୍ କରୁନି ବ୍ରେନ୍ କ୍ୟାନସର!

ଫୋନର ବହୁଳ ବ୍ୟବହାର ଫଳରେ ବ୍ରେନ୍ କ୍ୟାନସର ବା ମସ୍ତିଷ୍କ କର୍କଟ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ସେ ଉପରେ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Phone & Brain

Phone & Brain

ବଢୁଥିବା ଫୋନ୍ ବ୍ୟବହାର ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଫୋନର ବହୁଳ ବ୍ୟବହାର ଫଳରେ ବ୍ରେନ୍ କ୍ୟାନସର ବା ମସ୍ତିଷ୍କ କର୍କଟ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତା'ର କୌଣସି ପ୍ରମାଣ ନାହିଁ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି।  

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏର ନୂତନ ସମୀକ୍ଷାରୁ ଜଣାପଡିଛି ଯେ, ୱାୟାରଲେସ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ସତ୍ତ୍ୱେ ମସ୍ତିଷ୍କ କର୍କଟ ରୋଗର ବୃଦ୍ଧି ଘଟି ନାହିଁ। ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଫୋନ୍ କଲରେ କଥା ହୁଅନ୍ତି କିମ୍ବା ଫୋନର ବହୁଳ ବ୍ୟବହାର କରୁଛନ୍ତି, ସେମାନଙ୍କର ମଧ୍ୟ ମସ୍ତିଷ୍କ କର୍କଟ ବୃଦ୍ଧି ଘଟି ନାହିଁ। 

ଏହି ଅଧ୍ୟୟନର ଫଳାଫଳ ଏନଭାଇରୋମେଣ୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି। 1994ରୁ 2022 ମଧ୍ୟରେ 63ଟି ଅଧ୍ୟୟନକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଅଧ୍ୟୟନକାରୀଙ୍କ ଟିମରେ 10ଟି ବିଭିନ୍ନ ଦେଶର 11 ଜଣ ବିଶେଷଜ୍ଞ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ବିକିରଣ ସୁରକ୍ଷା ପ୍ରାଧିକରଣର ପ୍ରତିନିଧୀମାନେ (ରେଡିଏସନ ପ୍ରୋଟେକ୍ସନ ଅଥରିଟି) ମଧ୍ୟ ସାମିଲ ଥିଲେ।

Advertisment

ଏହି ଅଧ୍ୟୟନରେ ରେଡିଓଫ୍ରିକ୍ୱେନ୍ସିର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଥିଲା। ଏହାର ଅର୍ଥ କେବଳ ଯେ ମୋବାଇଲ୍ ଫୋନର ବ୍ୟବହାର ନୁହେଁ, ବରଂ ଟିଭି, ବେବି ମନିଟୋର୍ସ ଏବଂ ରାଡାର ଭଳି ଉପକରଣରୁ ନିର୍ଗତ ହେଉଥିବା ରେଡିଓଫ୍ରିକ୍ୱେନ୍ସିର ପ୍ରଭାବ ଉପରେ ଅଧ୍ୟୟନ କରାଯାଇଥିଲା।  

ଏଥିରୁ ଜଣାଗଲା ଯେ, ରେଡିଓଫ୍ରିକ୍ୱେନ୍ସି ମସ୍ତିଷ୍କ କର୍କଟ ଆଶଙ୍କାକୁ ବଢାଏ ନାହିଁ। ଅଧ୍ୟୟନର ସହ-ଲେଖକ ତଥା ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର କର୍କଟ ରୋଗ ବିଭାଗର ପ୍ରଫେସର ମାର୍କ ଏଲଉଡ୍ ଏହା କହିଛନ୍ତି। 

ଏହି ଅଧ୍ୟୟନରେ ଉଭୟ ବୟସ୍କ ଏବଂ ଶିଶୁଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରକାରର କର୍କଟ ସହ ଜଡ଼ିତ ପିଟୁଇଟାରୀ ଗ୍ରନ୍ଥି, ସାଲିଭାରୀ ଗ୍ରନ୍ଥି ଏବଂ ଲ୍ୟୁକେମିଆର ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାଗଲା ଯେ, ମୋବାଇଲ୍ ଫୋନ ଏବଂ ଅନ୍ୟାନ୍ୟ ରେଡିଓଫ୍ରିକ୍ୱେନ୍ସି ନିର୍ଗତ ଉପକରଣ ବ୍ୟବହାର ଦ୍ୱାରା ମସ୍ତିଷ୍କ କର୍କଟ ସହ କୌଣସି ଲିଙ୍କ୍ ନାହିଁ। 

ଅଧ୍ୟୟନର ଅନୁସନ୍ଧାନକାରୀ ସରାହ ଲୌଘ୍ରାନ ଏହାକୁ ଆଶ୍ୱସ୍ତିକର ବୋଲି କହିଛନ୍ତି। ସେ କହିଛନ୍ତି, "ଏହାର ଅର୍ଥ ଆମର ରାଷ୍ଟ୍ରୀୟ ତଥା ଆନ୍ତରାଷ୍ଟ୍ରୀୟ ସୁରକ୍ଷା ସୀମା ସୁରକ୍ଷିତ ଅଟେ। ମୋବାଇଲ୍ ଫୋନ୍ ଏହି ସୁରକ୍ଷା ସୀମା ତଳେ ରହି ନିମ୍ନ ସ୍ତରର ରେଡିଓଫ୍ରିକ୍ୱେନ୍ସି ନିର୍ଗତ କରେ, ଏବଂ ଏହା ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାର କୌଣସି ପ୍ରମାଣ ନାହିଁ।"

WHO Research Brain Cancer Phone And Cancer