Mount Everest
ବଢି ଚାଲିଛି ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। ସମୁଦ୍ର ପତ୍ତନଠାରୁ ୮.୮୫ କିଲୋମିଟର ଉଚ୍ଚରେ ଥିବା ଏହି ଏଭରେଷ୍ଟର ଉଚ୍ଚତା ବୃଦ୍ଧି ପାଉଥିବା ବୈଜ୍ଞାନିକମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ନେଚର ଜିଓସାଇନ୍ସ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଇଣ୍ଡିଆନ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟଗୁଡିକ ଧକ୍କା ହେବା ଫଳରେ ପ୍ରାୟ ୫ କୋଟି ବର୍ଷ ହେବ ହିମାଳୟର ଉଚ୍ଚତା ବୃଦ୍ଧି ପାଉଛି। ଏହା ଦ୍ୱାରା ମାଉଣ୍ଟ ଏଭେରେଷ୍ଟ ମଧ୍ୟ ଧୀରେ ଧୀରେ ଉପରକୁ ଉଠୁଛି। ମାତ୍ର ଏହା ଆକଳନଠାରୁ ଦ୍ରୁତ ଗତିରେ ବଢୁଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।
ଚୀନ୍ ୟୁନିଭରସିଟି ଅଫ୍ ଜିଓ ସାଇନ୍ସର ଜିଓ ସାଇଣ୍ଟିଷ୍ଟ ଜିନ୍-ଜେନ ଡାଏଙ୍କ ନେତୃତ୍ୱରେ ହୋଇଥିବା ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଆଞ୍ଚଳିକ ନଦୀ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାରଣରୁ ଏଭରେଷ୍ଟର ଉଚ୍ଚତାରେ ତ୍ୱରିତ ଅଭିବୃଦ୍ଧି ଘଟୁଛି।
ପ୍ରାୟ ୮୯ ହଜାର ବର୍ଷ ପୂର୍ବେ କୋସି ନଦୀ ଏବଂ ଅରୁଣ ନଦୀ ମିଶ୍ରିତ ହୋଇଯିବା ଫଳରେ ଏଭରେଷ୍ଟ ଆନୁମାନିକ ୪୯-୧୬୪ ଫୁଟ (୧୫-୫୦ ମିଟର) ବୃଦ୍ଧି ପାଇଥିଲା। ଏହା ଆଇସୋଷ୍ଟାଟିକ୍ ରିବାଉଣ୍ଡ ନାମକ ଏକ ଭୌଗୋଳିକ ପ୍ରକ୍ରିୟା କାରଣରୁ ହୋଇଥାଏ। ନଦୀଗୁଡ଼ିକର ମିଶ୍ରଣ ହେବା ଦ୍ୱାରା ମାଟି ଏବଂ ପଥର ସ୍ତର ଉପରଭାଗକୁ ଚାଲିଆସେ। ଫଳରେ ପୃଥିବୀର ଭୂତଳ ଓଜନ କମିଯାଏ। ଏହା ଠିକ୍ ନଦୀରେ ଡଙ୍ଗା ଏବଂ ଜାହାଜ ଭାସିବା ପ୍ରକ୍ରିୟା ପରି ହୋଇଥାଏ।
ଅଧ୍ୟୟନରେ ଆକଳନ କରାଯାଇଛି ଯେ, ଏଭରେଷ୍ଟର ଉଚ୍ଚତା ବର୍ଷକୁ ପ୍ରାୟ ୦.୦୧-୦.୦୨ ଇଞ୍ଚ (୦.୨-୦.୫ ମିଲିମିଟର) ବୃଦ୍ଧି ପାଉଛି। ପବନ, ବର୍ଷା ଏବଂ ନଦୀ ପ୍ରବାହ କାରଣରୁ ଭୂପୃଷ୍ଠର କ୍ଷୟକ୍ଷତି କାରଣରୁ ଏପରି ଘଟୁଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଏହାର ପ୍ରଭାବରେ ମାଉଣ୍ଟ ଏଭେରେଷ୍ଟର ପଡ଼ୋଶୀ ଗିରିଶୃଙ୍ଗ ଲୋହଟସେ ଏବଂ ମାକାଲୁର ମଧ୍ୟ ଉଚ୍ଚତା ବୃଦ୍ଧି ପାଉଛି। ଅରୁଣ ନଦୀ ନିକଟରେ ଅବସ୍ଥିତ ମାକାଲୁ, ଏଭରେଷ୍ଟ ତୁଳନାରେ ଅଧିକ ବଢ଼ିଛି।
ବୈଜ୍ଞାନିକଙ୍କ ଏହି ଅନୁଧ୍ୟାନ ଦର୍ଶାଉଛି ଯେ, କ୍ରମାଗତ ଭାବରେ ପୃଥିବୀର ପରିବର୍ତ୍ତନ ହେଉଛି। ଭୌଗୋଳିକ ପ୍ରକ୍ରିୟା ଅଦୃଶ୍ୟ ଭାବେ ବଦଳି ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
