Advertisment

'ନ୍ୟୁରାଲିଙ୍କ'କୁ ବଡ଼ ଉପଲବ୍ଧି; ପାରାଲିସିସ୍ ରୋଗୀ ଚଲାଇଲେ କମ୍ପ୍ୟୁଟର୍

ନ୍ୟୁରାଲିଙ୍କ ଡିଭାଇସ୍ ବ୍ୟବହାର ହୋଇଥିବା ପ୍ରଥମ ପାରାଲିସିସ୍ ରୋଗୀ ଚେସ୍ ଓ ଭିଡିଓ ଗେମ୍ ଖେଳିବାରେ ହେଲେ ସକ୍ଷମ।

author-image
Debibandita Barick
ଅଦ୍ୟତନ ହୋଇଛି
Noland Arbaugh

Noland Arbaugh

ସଫଳ ହେଲା ଏଲନ୍ ମସ୍କଙ୍କ ବ୍ରେନ୍-ଚିପ୍ ଷ୍ଟାର୍ଟଅପ୍ କମ୍ପାନୀ ନ୍ୟୁରାଲିଙ୍କ। ଏହି ଡିଭାଇସ୍ ମାଧ୍ୟମରେ ଜଣେ ପାରାଲିସିସ୍ ରୋଗୀ ଅନଲାଇନରେ ଚେସ୍ ସହ ଭିଡିଓ ଗେମ୍ ଖେଳିବାରେ ସକ୍ଷମ ହୋଇଛନ୍ତି। ଏନେଇ ନ୍ୟୁରାଲିଙ୍କ୍ ପକ୍ଷରୁ ଏକ ଭିଡିଓ ପୋଷ୍ଟ ଯୋଗେ ସୂଚନା ଦିଆଯାଇଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ରୋଗୀ ନିଜକୁ ୨୯ ବର୍ଷୀୟ ନୋଲାଣ୍ଡ ଆର୍ବଗ ବୋଲି ପରିଚିତ କରାଉଛନ୍ତି। ସେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ କାନ୍ଧ ତଳେ ପାରାଲିସିସ୍ (ପକ୍ଷାଘାତ) ହୋଇଯାଇଥିଲେ। ତାଙ୍କ ଶରୀରରେ ନ୍ୟୁରାଲିଙ୍କ୍ ଡିଭାଇସ୍ ବ୍ୟବହାର କରାଯାଇଥିଲା। ବର୍ତ୍ତମାନ ସେ ଏହି ଡିଭାଇସ୍ ମାଧ୍ୟମରେ ଲାପଟପ୍ ଚଲାଇବା ସହ ଅନଲାଇନରେ ଚେସ୍ ଏବଂ ଭିଡିଓ ଗେମ୍ ଖେଳି ପାରୁଛନ୍ତି।

କ୍ରସର ଚଲାଇବା ସମୟରେ ନୋଲାଣ୍ଡ ଆର୍ବଗ କହୁଛନ୍ତି, ଆପଣମାନେ ସ୍କ୍ରିନରେ ଦେଖୁଥିବା କ୍ରସରକୁ ମୁଁ ହିଁ ଚଲାଉଛି। ଏହା ମୋ ପାଇଁ ଏକ ସୁନ୍ଦର ଅନୁଭବ। ନ୍ୟୁରାଲିଙ୍କର ଏକ ଅଂଶ ହୋଇପାରିଥିବାରୁ ନିଜକୁ ଭାଗ୍ୟବାନ ମନେକରୁଛି। ମୁଁ କମ୍ପ୍ୟୁଟର ଚଲାଇବାରେ ସକ୍ଷମ ହୋଇପାରିଛି, ଏ କଥାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରୁନି। ଭିଡିଓରେ ନ୍ୟୁରାଲିଙ୍କ ଷ୍ଟାର୍ଟଅପର ଜଣେ ଇଞ୍ଜିନିୟର ମଧ୍ୟ ଏହି ସଫଳତାରେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି।  

Advertisment

ନ୍ୟୁରାଲିଙ୍କ୍ କଣ
ଏଲନ୍ ମସ୍କ ୨୦୧୬ରେ ବ୍ରେନ୍-ଚିପ୍ ନ୍ୟୁରାଲିଙ୍କ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ସ୍ନାୟୁଗତ ସମସ୍ୟାରେ ପୀଡିତ ରୋଗୀଙ୍କ ମସ୍ତିଷ୍କ ପରିଚାଳନା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ନ୍ୟୁରାଲିଙ୍କ୍ ଡିଭାଇସ୍ ମାଧ୍ୟମରେ ମସ୍ତିଷ୍କ ଏବଂ କମ୍ପ୍ୟୁଟର ମଧ୍ୟରେ ସିଧାସଳଖ ଯୋଗାଯୋଗ ଚ୍ୟାନେଲ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରିଥିଲା।

ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(FDA) ସେପ୍ଟେମ୍ବର ୨୦୨୩ରେ ନ୍ୟୁରାଲିଙ୍କକୁ ମାନବ ପରୀକ୍ଷଣ ପାଇଁ ସ୍ୱିକୃତି ଦେଇଥିଲା। ଅନୁମୋଦନ ପାଇବା ପରେ ରୋଗୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଅନେକ ନ୍ୟୁରୋଲୋଜିକାଲ ଅର୍ଥାତ୍ ସ୍ନାୟୁଗତ ସମସ୍ୟାରେ ପୀଡିତ ରୋଗୀଙ୍କ ଶରୀରରେ ଏହି ଡିଭାଇସ୍ ପରୀକ୍ଷଣ କରାଯାଉଛି। ପ୍ରଥମ କରି ଏହି ଡିଭାଇସ୍ ବ୍ୟବହାର ହୋଇଥିବା ଜଣେ ରୋଗୀ କମ୍ପ୍ୟୁଟର୍ ଚଲାଇବାରେ ସଫଳ ହୋଇଛନ୍ତି, ଯାହା ନ୍ୟୁରାଲିଙ୍କ ପାଇଁ ଏକ ବଡ଼ ଉପଲବ୍ଧି।

Elon Musk Neuralink Brain Chip