Advertisment

ତାପମାତ୍ରା ବୃଦ୍ଧି ସ୍ତନ୍ୟପାୟୀ ପ୍ରାଣୀଙ୍କୁ ପୃଥିବୀରୁ ବିଲୁପ୍ତ କରିଦେବ

ଏପରି ହେଲେ ପୃଥିବୀର ଜନ ସମୁଦାୟ ସମେତ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବ ସତ୍ତା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ତାପମାତ୍ରା ବୃଦ୍ଧିକୁ ନେଇ ଆଉ ଏକ ଚେତାବନୀ ଦେଲେ ବୈଜ୍ଞାନିକ। ଯଦି ଏହିପରି ତାପମାତ୍ରା ବୃଦ୍ଧି ଘଟି ଚାଲେ, ତେବେ ଆଗାମୀ ସମୟରେ ପୃଥିବୀରୁ ବିଲୁପ୍ତ ହୋଇଯିବ ସ୍ତନ୍ୟପାୟୀ ପ୍ରାଣୀଙ୍କ ବଂଶ, ଯେଉଁଥିରେ ମଣିଷ ବି ଅନ୍ତର୍ଭୁକ୍ତ। ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଟିମ୍ ଭବିଷ୍ୟତର ଜଳବାୟୁ ପରିସ୍ଥିତିକୁ ନେଇ କରିଥିବା ଅନୁଧ୍ୟାନରୁ ଏପରି ସାଙ୍ଘାତିକ ସ୍ଥିତିର ପୂର୍ବାନୁମାନ କରିଛନ୍ତି।

Advertisment

ଏହି ବିପର୍ଯ୍ୟୟ ଘଟଣା ପ୍ରାୟ ୨୫ କୋଟି ବର୍ଷରେ ଘଟିବ ବୋଲି ଆକଳନ କରାଯାଇଛି। ଏପରି ହେଲେ ବିଶ୍ୱର ମହାଦେଶଗୁଡ଼ିକ ଗୋଟିଏ ମହାଦେଶରେ ପରିଣତ ହୋଇଯିବେ ବୋଲି ଆଶଙ୍କା କରାଯାଉଛି। ଏହାର ଅର୍ଥ ଏପରି ହେଲେ ପୃଥିବୀର ଜନ ସମୁଦାୟ ସମେତ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବସତ୍ତା ପ୍ରତି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏହି ଅନୁଧ୍ୟାନ ପାଇଁ ଅନୁସନ୍ଧାନକାରୀ ଟିମ୍ ଉନ୍ନତ ସୁପର କମ୍ପ୍ୟୁଟର ଜଳବାୟୁ ମଡେଲ ବ୍ୟବହାର କରିଥିଲେ। 

ଅନୁଧ୍ୟାନରୁ ଜଣାଗଲା ଯେ, ସୂର୍ଯ୍ୟରୁ ଅଧିକ ଉତ୍ତାପ ଓ ଅଧିକ ଶକ୍ତି ନିର୍ଗତ ହେଲେ ପୃଥିବୀ ଯଥେଷ୍ଟ ଉଷ୍ମ ହୋଇଯିବ। ଅତିରିକ୍ତ ଭାବରେ, ବାରମ୍ବାର ଆଗ୍ନେୟଗିରି ଉଦଗୀରଣ ହୋଇ ସମସ୍ତ ମହାଦେଶ ଗୋଟିଏ ମହାଦେଶରେ ପରିଣତ ହେବ, ବାୟୁମଣ୍ଡଳରେ ବିପୁଳ ପରିମାଣର କାର୍ବନ ଡାଇଅକ୍ସାଇଡ୍ ଜମା ହୋଇ ବିଶ୍ୱ ତାପମାତ୍ରାକୁ ଆହୁରି ତୀବ୍ର କରିବ।

Advertisment

ଅଧ୍ୟୟନର ମୁଖ୍ୟ ଲେଖକ ଡ. ଆଲେକ୍ସଜାଣ୍ଡାର ଫର୍ଣାସୱର୍ଥ ସ୍ପଷ୍ଟ କରି କହିଛନ୍ତି, ଏକ ସୁପର୍ କଣ୍ଟିନେଟର ଗଠନ ମହାଦେଶ ପ୍ରଭାବ, ସୂର୍ଯ୍ୟ ଉତ୍ତାପକୁ ବୃଦ୍ଧି କରିବା ସହ କାର୍ବନ ଡାଇଅକ୍ସାଇଡ ସ୍ତର ବୃଦ୍ଧି ‘ଟ୍ରିପଲ୍ ହ୍ୱାମି’ ବା ତ୍ରି-ସଂକଟ ସୃଷ୍ଟି କରିବ। ଏହାଦ୍ୱାରା ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ସହ ପାନୀୟ ଅଭାବ ପରିସ୍ଥିତିକୁ ଗମ୍ଭୀର କରିଦେବ। ୪୦ରୁ ୫୦ ଡିଗ୍ରୀ ସେଲସିୟସର ବ୍ୟାପକ ତାପମାତ୍ରା, ଆର୍ଦ୍ରତା ସହିତ ମିଶି ମଣିଷ ସମେତ ଅନେକ ପ୍ରଜାତି ପାଇଁ ସାଂଘାତିକ ହୋଇପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଭବିଷ୍ୟତର ଏସବୁ ଅନୁସନ୍ଧାନ ମଧ୍ୟରେ ମାନବ ଦ୍ୱାରା ସୃଷ୍ଟି ହେଉଥିବା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରି ବର୍ତ୍ତମାନର ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଅନୁସନ୍ଧାନକାରୀ। ନଚେତ ତାପମାତ୍ରା ବୃଦ୍ଧି ଭବିଷ୍ୟତରେ ମାନବ ସମାଜ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ। ବହୁ ବର୍ଷ ପରେ ଏପରି ବିପଦ ପଡିବାର ଥିଲେ ବି ଏହାକୁ ଆଜିଠୁ ସମାଧାନ କରିବାର ଅଛି। ନଚେତ୍ ଆମର କୃତ୍ରିମ ଜୀବନଶୈଳୀ ଆମ ପରବର୍ତ୍ତୀ ପିଢି ପାଇଁ ଅଭିଶାପ ପାଲଟିଯିବ। 

Weather Global Warming Supercontinent Formation Green House Gas Temperature High