Advertisment

ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ

ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।

author-image
Ordigital Desk
ଅଦ୍ୟତନ ହୋଇଛି
NIT

NIT

ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT)ର ଗବେଷକମାନେ ଲିଥିୟମ-ଆୟନ ବ୍ୟାଟେରୀ ପାଇଁ ଏକ ନୂତନ ଶ୍ରେଣୀର କ୍ୟାଥୋଡ୍‌ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟ ଭିତ୍ତିକ ଡିଜାଇନର ଏକ ଆଶାଜନକ ବିକଳ୍ପ ହୋଇପାରିଛି। ପାରମ୍ପରିକ ଲିଥିୟମ-ଆୟନ ବ୍ୟାଟେରୀରେ ଏକ ପ୍ରମୁଖ ଉପାଦାନ କୋବାଲ୍ଟର ଉଚ୍ଚ ମୂଲ୍ୟ, ଅଭାବ ଓ ପରିବେଶ ଅନକୂଳ ନହେବା ଆଦି ଆହ୍ୱାନର ସମାଧାନ କରିବ ଏହି ଉଦ୍ଭାବନ।

Advertisment

ସେରାମିକ ଇଞ୍ଜିନିୟରିଂର ଆସୋସିଏଟ ପ୍ରଫେସର ଡ. ପାର୍ଥ ସାହାଙ୍କ ନେତୃତ୍ୱରେ ଗବେଷକ ଦଳରେ ଥିବା ଆସୋସିଏଟ ପ୍ରଫେସର ସଞ୍ଜୟ ଦତ୍ତ, ରିସର୍ଚ୍ଚ ଗ୍ରାଜୁଏଟ ଡ. ସୌମ୍ୟଶ୍ରୀ ଜେନା ଓ ରିସର୍ଚ୍ଚ ସ୍କଲାର ଅଭିଷେକ କୁମାର ମ୍ୟାଗ୍ନେସିୟମ ଓ ନିକେଲ ବ୍ୟବହାର କରି କୋବାଲ୍ଟ ମୁକ୍ତ କ୍ୟାଥୋଡ୍‌ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି। ଏହି ପଦାର୍ଥଗୁଡ଼ିକ ଲିଥିୟମ-ଆୟନର ଗତିକୁ ବଢ଼ାଇଥାଏ, ଯାହା ଫଳରେ ବ୍ୟାଟେରୀର କାର୍ଯ୍ୟଦକ୍ଷତାରେ ଉନ୍ନତି, ଅଧିକ ସ୍ଥିରତା, ଅଧିକ କ୍ଷମତା ଧାରଣ ଓ ଦୀର୍ଘସ୍ଥାୟୀ ଶକ୍ତି ସଂରକ୍ଷଣ ହୋଇଥାଏ।

ସ୍ମାର୍ଟଫୋନ୍‌, ଲାପଟପ୍‌ ଓ ଇଲେକ୍ଟ୍ରିକ୍ ଯାନ (ଇଭି) ଆଦିକୁ ଶକ୍ତି ପ୍ରଦାନ କରୁଥିବା ଲିଥିୟମ-ଆୟନ ବ୍ୟାଟେରୀରେ ମୁଖ୍ୟତଃ କୋବାଲ୍ଟ-ଭିତ୍ତିକ କ୍ୟାଥୋଡ୍ ବ୍ୟବହାର ହୋଇଥାଏ। କିନ୍ତୁ କୋବାଲ୍ଟ ବ୍ୟବହାର କରିବାରେ ମଧ୍ୟ ଏକ ବଡ଼ ଆହ୍ୱାନ ରହିଛି, ଯେମିତିକି ଏହାର ଉଚ୍ଚ ଦର ଓ ମୂଲ୍ୟ ଅସ୍ଥିରତା ତଥା କ୍ୟୁବା, ମାଡାକାସ୍କର ଓ ପାପୁଆ ନ୍ୟୁ ଗିନୀ ଭଳି ହାତଗଣତି ଦେଶରେ ଏବଂ ତାହା ମଧ୍ୟ ଅଳ୍ପ ପରିମାଣରେ ଉପଲବ୍ଧ ହେବା। ଏହାର ଖନନ ସହ ପରିବେଶ ଓ ନୈତିକ ସମସ୍ୟା ମଧ୍ୟ ଜଡ଼ିତ। ଇଭି ଓ ଲିଥିୟମ-ଆୟନ ବ୍ୟାଟେରୀର ଚାହିଦା ବଢୁଥିବାରୁ ଏହି ସମସ୍ୟା ମଧ୍ୟ ଗମ୍ଭୀର ହେବାରେ ଲାଗିଛି। ବିଶ୍ୱବ୍ୟାପୀ କୋବାଲ୍ଟ ଯୋଗାଣକୁ ନେଇ ଆକଳନ କରାଯାଇଛି ଯେ ଏହାର ବଢୁଥିବା ଚାହିଦା ୨୦୫୦ ପର୍ଯ୍ୟନ୍ତ ପୂରଣ ହେବ ନାହିଁ। ଏଭଳି ପରିସ୍ଥିତିରେ କୋବାଲ୍ଟର ବିକଳ୍ପ ଭାବରେ ଅନ୍ୟାନ୍ୟ ସାମଗ୍ରୀ ବିକଶିତ କରିବାର ଆବଶ୍ୟକତା ରହିଛି।

Advertisment

ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ। ଏହା ପାଇଁ ପେଟେଣ୍ଟ ମିଳିବା (ପେଟେଣ୍ଟ ସଂଖ୍ୟା ୫୫୪୨୭୪, ଆବେଦନ ସଂଖ୍ୟା ୨୦୨୪୩୧୦୧୪୧୯୮) ଦର୍ଶାଏ ଯେ ମ୍ୟାଗ୍ନେସିୟମ କାର୍ଯ୍ୟଦକ୍ଷତା ହ୍ରାସ ନ କରି କ୍ୟାଥୋଡ୍ ଢାଞ୍ଚାରେ କୋବାଲ୍ଟକୁ ଦକ୍ଷତାର ସହ ପ୍ରତିସ୍ଥାପନ କରିପାରେ।

NITରାଉରକେଲା ନିଟ୍‌ର ଗବେଷକ ଦଳ

ମ୍ୟାଗ୍ନେସିୟମରେ ଅନେକ ଲାଭ ରହିଛି, ଯେପରିକି ଏହା ଶସ୍ତା ଓ ଭାରତରେ ପ୍ରଚୁର ମାତ୍ରାରେ ଉପଲବ୍ଧ। ତାମିଲନାଡୁ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ଏହା ବିପୁଳ ମାତ୍ରରେ ରହିଛି। ଏହା ବ୍ୟତୀତ ମ୍ୟାଗ୍ନେସିୟମ ପରିବେଶ ଦୃଷ୍ଟିରୁ ସୁରକ୍ଷିତ। ପରିବେଶ ଉପରେ ବ୍ୟାଟେରୀ ଉତ୍ପାଦନର ପ୍ରଭାବ ମଧ୍ୟ କମ୍ ରହିବ।

ଗବେଷକ ଦଳ ଦ୍ୱାରା ବିକଶିତ କୋବାଲ୍ଟ ମୁକ୍ତ କ୍ୟାଥୋଡର ଅନେକ ଗୁରୁତ୍ୱପୂର୍ଣ୍ଣ ଲାଭ ରହିଛି। ମ୍ୟାଗ୍ନେସିୟମ ଆୟନ ଢାଞ୍ଚାଗତ ସ୍ଥିରତା ବଢ଼ାଇବ। ଏହା ଦ୍ୱାରା ଆୟନ ମିଶ୍ରଣ ଭଳି ସମସ୍ୟାର ସଫଳ ସମାଧାନ ହୋଇପାରିବ, ଯାହା ପ୍ରାୟତଃ କୋବାଲ୍ଟ-ଭିତ୍ତିକ କ୍ୟାଥୋଡକୁ ଖରାପ କରିଥାଏ। ଫଳରେ ପ୍ରଦର୍ଶନରେ ଉନ୍ନତି ଆସିବ। ନୂଆ କ୍ୟାଥୋଡ ୧୦୦ ଚାର୍ଜ-ଡିସଚାର୍ଜ ଚକ୍ର ପରେ ମଧ୍ୟ ଏହାର ମୂଳ କ୍ଷମତାର ୭୪.୩ ପ୍ରତିଶତ ବଜାୟ ରଖିବାରେ ସକ୍ଷମ ହେବ। ସାଧାରଣ ଡିଜାଇନ ତୁଳନାରେ ଏହା ଏକ ବଡ଼ ଉପଲବ୍ଧି। ମ୍ୟାଗ୍ନେସିୟମର ବ୍ୟବହାରର ଏକ ପ୍ରମୁଖ ଲାଭ ହେଉଛି ଉତ୍ପାଦନ ଖର୍ଚ୍ଚ ହ୍ରାସ, ଲିଥିୟମ-ଆୟନ ବ୍ୟାଟେରୀକୁ ଅଧିକ ସୁଲଭ ଓ ଉପଲବ୍ଧ କରାଇବା।