ଭୁବନେଶ୍ୱର: କୋଭିଡ ଏକ ଥଣ୍ଡା ଜନିତ ସଂକ୍ରମଣ। କୋଭିଡର ପ୍ରାଥମିକ ଲକ୍ଷଣ ଥଣ୍ଡାରୁ ହୁଏ। ତେଣୁ ପ୍ରାୟତଃ ଏହି କୋଭିଡ ମହାମାରୀ ବେଳେ ଅନେକ ଥଣ୍ଡାଜାତୀୟ ଖାଦ୍ୟ ଖାଇବା ଛାଡ଼ି ଦେଇଛନ୍ତି। ବିଗତ ବର୍ଷେ ହେବ କୋଭିଡ ସଂକ୍ରମଣକୁ ମୁକାବିଲା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଏବଂ ଜଡିବୁଟିକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରୁଛନ୍ତି। ହେଲେ ଏମ୍ସ ଭୁବନେଶ୍ୱର ଏକ ଅଧ୍ୟୟନ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ପ୍ରତ୍ୟେକଟି ଓଡ଼ିଆଙ୍କ ହାଣ୍ଡିଶାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର କାରକ। ଏହି କାରକ ହେଉଛି ଓଡ଼ିଆଙ୍କ ପ୍ରାଣ କୁହାଯାଉଥିବା ପଖାଳ। ଅନେକ ଓଡ଼ିଆ ସକାଳୁ ସଂଧ୍ୟା ପଖାଳକୁ ନିଜ ଖାଇବାରେ ପସନ୍ଦ କରନ୍ତି। କିନ୍ତୁ କୋଭିଡ ବେଳେ ପଖାଳ ପ୍ରତି ରୁଚି ଥିଲେ ମଧ୍ୟ ସଂକ୍ରମଣର ଭୟାବହତା ପାଇଁ ପଖାଳ ଉପରୁ ମୁହଁ ବୁଲାଇଦେଇଛନ୍ତି।
ଅଧ୍ୟୟନରୁ ଜଣାପଡ଼ିଛି ଯେ ଚାଉଳରୁ ପ୍ରସ୍ତୁତ ହୁଏ ଭାତ। ରାତିରେ ଏହି ଭାତରେ ପାଣି ମିଶିବା ପରେ ତହିଁ ପରଦିନକୁ ପଖାଳରେ ପରିଣତ ହୁଏ। ଆଉ ଏହି ସମୟରେ ପାଣି ଏବଂ ଭାତର ମିଶ୍ରଣରେ ଅନେକ ଅଣୁଜୀବ ତିଆରି ହୁଏ। ଯେଉଁଥିରେ କି ଅନେକ ପ୍ରକାର କାର୍ବୋହାଇଡ୍ରେଟସ ତିଆରି ହୁଏ। ଯାହାକି ସର୍ଟ ଚେନ୍ ଫାଟି ଏସିଡ (ଏସସିଏଫଏ) ତିଆରି କରେ। ଯାହାକୁ ସାଧାରଣରେ ଆମେ ତୋରାଣି କହୁ। ଏମ୍ସ ଭୁବନେଶ୍ୱରର ବାୟୋକେମିଷ୍ଟ୍ରି ବିଭାଗର ମୁଖ୍ୟ ବଳମୁରୁଗାନ ରାମଦାସ ଏହି ଗବେଷଣା କରିଛନ୍ତି। ୨୦୧୯ପାଖରୁ ସେ ଏହାକୁ ନେଇ ଗବେଷଣା କରୁଥିବା କହିଛନ୍ତି।
ସେ କହିଛନ୍ତି ଯେ ପଖାଳକୁ ନେଇ ତିଆରି ହୋଇଥିବା ଗବେଷଣା ଅନୁଯାୟୀ ଏଥିରେ ପୁଷ୍ଟିକର ତତ୍ତ୍ୱ ରହିଛି। ଏହା ମଣିଷର ଶରୀର ପାଇଁ ଲାଭଦାୟକ। ଏହାର ପ୍ରଭାବ ସୀମିତ ରହିଛି। ପାଖାପାଖି ୨୦ଟି ପରିବାରରୁ ସଂଗୃହୀତ “ପଖାଳ ବା ତୋରାଣି” ନମୁନାରୁ ଏହା ମିଳିଛି। ସେ କହିଛନ୍ତି ଯେ ତୋରାଣିରେ ଥିବା ଏସସିଏଫଏ ଅଣୁଗୁଡ଼ିକର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି। ତୋରାଣିରେ ଉପସ୍ଥିତ ଥିବା ଲାକ୍ଟୋବାସିସିଲସ୍ ଇମ୍ୟୁନୋ ଗ୍ଲୋବୁଲିନକୁ ଇନ୍ଧନ ଯୋଗାଏ। ଯାହା ସ୍ଥାନୀୟ ସଂକ୍ରମଣ, ବିଶେଷକରି ଫୁସଫୁସ ଏବଂ ଅନ୍ତଃନଳୀରେ ଲଢ଼େଇରେ ମୁକାବିଲା କରିବାରେ ସହଯୋଗ କରେ। ଏଥିରେ ଆଣ୍ଟି-ଭାଇରାଲର ତତ୍ତ୍ୱ ରହିଛି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ପଖାଳର ତୋରାଣିରେ ଭୃଣର ବୃଦ୍ଧି ଉପରେ ପ୍ରଭାବ ପକାଇପାରେ ଏବଂ ଗର୍ଭଧାରଣ ଫଳାଫଳକୁ ଉନ୍ନତ କରିପାରେ। ଏହା ଗୋଟିଏ ଗର୍ଭବତୀ ଏବଂ ନୂଆ କରି ମା’ ହୋଇଥିବା ବ୍ୟକ୍ତିର ଶୀରରକୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ। ପାଣି ଜନିତ ପୁଷ୍ଟିହୀନତାକୁ ରୋକିବାରେ ତୋରାଣି ସାହାଯ୍ୟ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।