Temperature
ଦିନକୁ ଦିନ ଉତ୍ତପ୍ତ ହେଉଛି ପୃଥିବୀ। ତାପମାତ୍ରା ବୃଦ୍ଧି ସମଗ୍ର ମାନବ ସମାଜ ପାଇଁ ଅଭିଶାପ ପାଲଟି ଯାଇଛି। କାରଣ ଚଳିତ ବର୍ଷ ଜୁନ୍ ବିଶ୍ୱ ତାପମାତ୍ରାର ସବୁ ରେକର୍ଡ ଭାଙ୍ଗି ଦେଇଛି। ୟୁରୋପିଆନ ୟୁନିଅନ୍ସ କୋପର୍ନିକସ୍ କ୍ଲାଇମେଟ ଚେଞ୍ଜ୍ ସର୍ଭିସ୍ (C3S) ରିପୋର୍ଟ କରିଛି ଯେ, 2024 ଜୁନ୍ ସବୁଠୁ ଉତ୍ତପ୍ତ ମାସ।
୨୦୨୩ରେ ଜୁନ୍ ମାସ ସବୁଠୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରାଯାଇ ଥିବାବେଳେ ୨୦୨୪ ପୂର୍ବର ସବୁ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ତାପମାତ୍ରାର କ୍ରମାଗତ ବୃଦ୍ଧି ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଏବଂ ଏଲ୍ ନିନୋ(ବର୍ଷା ପରିମାଣ ହ୍ରାସ, ଉଷ୍ମ ପବନ ପ୍ରବାହ) ପାଣିପାଗ ପାଇଁ ଦାୟୀ।
ବରକେଲି ଆର୍ଥର ଅନୁସନ୍ଧାନକାରୀ ବୈଜ୍ଞାନିକ ଜେକେ ହଉସଫାଦର ୨୦୨୪ ବର୍ଷର ତାପମାତ୍ରାକୁ ନେଇ ଆକଳନ କରିଛନ୍ତି ଯେ, ୧,୮୦୦ ଦଶକ ମଧ୍ୟଭାଗରେ ବିଶ୍ୱର ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ଉତ୍ତପ୍ତ ବର୍ଷ ଭାବେ ୨୦୨୩କୁ ଅତିକ୍ରମ କରିବାର ୯୫% ସମ୍ଭାବନା ରହିଛି।
ମାତ୍ରାଧିକ ତାପମାତ୍ରା ବୃଦ୍ଧି ସମଗ୍ର ବିଶ୍ୱରେ ଭୟଙ୍କର ରୂପ ନେଇଛି। ଆମ ଦେଶ ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭବ ହୋଇଛି। ଜୁନ୍ ମାସରେ ଭାରତରେ ମାରାତ୍ମକ ଭାବେ ଉତ୍ତାପ ବୃଦ୍ଧି କାରଣରୁ ବିଭିନ୍ନ ରାଜ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ଓ ସନଷ୍ଟ୍ରୋକ୍ ମୃତ୍ୟୁ ମାମଲା ରିପୋର୍ଟ ହୋଇଥିଲା। ବିଶେଷ କରି ଜନବହୁଳ ଦିଲ୍ଲୀରେ ଉତ୍ତାପ କାରଣରୁ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ​​
ଭାରତ ପାଣିପାଗ ବିଭାଗ ଲଗାତାର ଅନେକ ଦିନ ଧରି ତାପମାତ୍ରା ୪୫° ତାପମାତ୍ରାରୁ ଅଧିକ ତାପମାତ୍ରା ରେକର୍ଡ କରିଥିଲା। ସେହିପରି ସାଉଦି ଆରବରେ ମଧ୍ୟ ତାପମାତ୍ରା କାରଣରୁ ଏକ ହଜାରରୁ ଅଧିକ ହଜ୍ ଯାତ୍ରୀଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ସ୍ତମ୍ଭିଭୂତ କରି ଦେଇଥିଲା। ଗ୍ରୀସରେ ମଧ୍ୟ ସମାନ କାରଣରୁ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।
ଜଳବାୟୁ ପରିବର୍ତ୍ତନର ଏହି ବିପଦ ମଧ୍ୟରେ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିବା ସହ ଏହାକୁ ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଇମ୍ପେରିଆଲ୍ କଲେଜ ଲଣ୍ଡନର ଗ୍ରାନ୍ଥମ ଇନଷ୍ଟିଚ୍ୟୁଟର ଜଳବାୟୁ ବୈଜ୍ଞାନିକ ଫ୍ରିଡେରିକ୍ ଓଟ୍ଟୋ କହିଛନ୍ତି ଯେ, ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଆମେ ଏଲ୍ ନିଓକୁ ଅଟକାଇ ପାରିବା ନାହିଁ, କିନ୍ତୁ ତୈଳ, ଗ୍ୟାସ୍ ଏବଂ କୋଇଲା ଜାଳିବାକୁ ରୋକିପାରିବା।
ତେବେ ବୈଜ୍ଞାନିକଙ୍କ ଏହି ଚେତାବନୀ ଦର୍ଶାଉଛି ଯେ, ଜୀବାଶ୍ମ ଇନ୍ଧନରୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ। ତେଣୁ ଏହାକୁ ରୋକିବା ଦିଗରେ ଏବେଠାରୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ୍ ଯେଉଁପରି ଭାବରେ ତାପମାତ୍ରା ବୃଦ୍ଧି ଘଟୁଛି, ତାହା ସମଗ୍ର ମାନବ ସମାଜ ପାଇଁ ଅଭିଶାପ ପାଲଟି ଯିବ!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
