Advertisment

ଐତିହାସିକ ମହାକାଶଯାତ୍ରା ପରେ ପୃଥିବୀକୁ ଫେରିଲେ ଶୁଭାଂଶୁ

ସେଠାରେ ୧୮ ଦିନ କାଳ ରହିବା ପରେ ଆଜି ପୃଥିବୀକୁ ଫେରିଛନ୍ତି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଶୁଭାଂଶୁ ଓ ଅନ୍ୟ ୩ ଜଣ ମହାକାଶଚାରୀ ସୋମବାର ଅପରାହ୍ନରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

author-image
Hemant Lenka
Dragon

Dragon

ପୃଥିବୀ ପୃଷ୍ଠରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ସେ ପ୍ରଥମ ଭାରତୀୟ ଭାବେ ଜୁନ ୨୫ରେ ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ଜରିଆରେ ଫ୍ଲୋରିଡାରେ ଥିବା କେନେଡୀ ସ୍ପେଶ ସେଣ୍ଟରରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଅଭିମୁଖେ ଉଡ଼ାଣ ଭରିଥିଲେ। ଆକ୍ସିଅମ ସ୍ପେଶ ଏଏକ୍ସ-୪ ମିଶନ ଜରିଆରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ଅନ୍ତରୀକ୍ଷକୁ ଯାଇଥିଲେ।

Advertisment

ସେଠାରେ ୧୮ ଦିନ କାଳ ରହିବା ପରେ ଆଜି ପୃଥିବୀକୁ ଫେରିଛନ୍ତି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଶୁଭାଂଶୁ ଓ ଅନ୍ୟ ୩ ଜଣ ମହାକାଶଚାରୀ ସୋମବାର ଅପରାହ୍ନରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୨୨ ଘଣ୍ଟାର ଯାତ୍ରା ପରେ ଆଜି ଦିନ ୩ଟା ବେଳେ ଶୁଭାଂଶୁ ଓ ଅନ୍ୟ ମହାକାଶଚାରୀଙ୍କୁ ଧରି ଆସିଥିବା ସ୍ପେଶଏକ୍ସର ଡ୍ରାଗନ କାଲିଫର୍ଣ୍ଣିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅବତରଣ କରିଛି। ଗଭୀର ଜଳ ରାଶିରେ ଡ୍ରାଗନ ଅବତରଣ କରିଥିବା ବେଳେ ୪ ମହାକାଶଚାରୀ ମଧ୍ୟ ସୁରକ୍ଷିତ ଭାବେ ତା’ ମଧ୍ୟରୁ ବାହାରିଛନ୍ତି। ସ୍ୱତନ୍ତ୍ର ଜାହାଜ ଦ୍ୱାରା ସମସ୍ତ ୪ ମହାକାଶଚାରୀଙ୍କୁ ସ୍ଥଳ ଭାଗକୁ ଅଣାଯାଇଛି। 

୧୮ ଦିନ କାଳ ମହାକାଶଚାରୀମାନେ ମହାକାଶରେ ଥିବାରୁ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସେମାନଙ୍କୁ ପୃଥିବୀ ସହ ଖାପଖୁଆଇବା ପାଇଁ ୭ ଦିନ କାଳ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯିବ। ଏହାପରେ ସେମାନେ ସ୍ୱାଭାବିକ ଜୀବନ ବିତାଇବା ଆରମ୍ଭ କରିବେ। 

Advertisment

ଭାରତ ବ୍ୟତୀତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ୩ ବୈଜ୍ଞାନିକ ମହାକାଶକୁ ଯାଇଥିଲେ। ଭାରତ ଭଳି ଏହା ହଙ୍ଗେରୀ ଓ ପୋଲାଣ୍ଡ ପାଇଁ ମଧ୍ୟ ଐତିହାସିକ ରହିଥିଲା। କାରଣ ଚାରି ଦଶନ୍ଧି ପରେ ଏହି ଦେଶଗୁଡ଼ିକର ମହାକାଶଚାରୀମାନେ ଏକ ମାନବ ମିଶନରେ ଅଂଶଗ୍ରହଣ କରିଥିଲେ। ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ତଥା ଆକ୍ସିଅମ କମାଣ୍ଡର ପେଗି ହ୍ୱିଟସନ ନେଇଥିଲେ।

ସ୍ପେଶ ଏକ୍ସର ସୂଚନା ଅନୁସାରେ, ଡ୍ରାଗନ୍ ସ୍ପେଶକ୍ରାଫ୍ଟ ଚାରି ଜଣ ମହାକାଶଚାରୀଙ୍କୁ ଧରି ଭାରତୀୟ ସମୟ ଅପରାହ୍ନ ୩.୦୧ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଏହାପରେ ଏହା କାଲିଫର୍ଣ୍ଣିଆର ସାନ ଡିଏଗୋ ଉପକୂଳ ନିକଟରେ ଥିବା ପ୍ରଶାନ୍ତ ମହାସାଗରରେ ଅବତରଣ କରିଛି।

ଶୁଭାଂଶୁ ଓ ଆକ୍ସ-୪ କ୍ରୁ ସେମାନଙ୍କର ୧୮ ଦିନର ରହଣି ସମୟରେ ଜୀବବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ୱାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି। ଶୁକ୍ଳାଙ୍କ ପ୍ରମୁଖ ଅବଦାନ ମଧ୍ୟରେ ରହିଛି ସ୍ପ୍ରାଉଟ୍ସ ପ୍ରୋଜେକ୍ଟ, ଯେଉଁଥିରେ ମାଇକ୍ରୋଗ୍ରାଭିଟି କିପରି ବିହନ ଅଙ୍କୁରୋଦ୍‌ଗମ ଓ ପ୍ରାରମ୍ଭିକ ଉଦ୍ଭିଦ ବିକାଶକୁ ପ୍ରଭାବିତ କରେ ତାହା ଅନୁସନ୍ଧାନ କରାଯାଇଥିଲା।

ଭବିଷ୍ୟତର ମହାକାଶ କୃଷି ଉପରେ ପ୍ରଭାବ ସହିତ ଜେନେଟିକ୍ସ, ମାଇକ୍ରୋବିୟଲ ଇକୋସିଷ୍ଟମ୍ ଓ ପୁଷ୍ଟିକର ପ୍ରୋଫାଇଲରେ ପରିବର୍ତ୍ତନ ଅଧ୍ୟୟନ କରିବା ପାଇଁ ଆଇଏସ୍ଏସ୍‌ରେ ଉତ୍ପାଦିତ ବିହନ ଅନେକ ପିଢ଼ି ଧରି ପୃଥିବୀରେ ଚାଷ କରାଯିବ। ମହାକାଶରେ ଖାଦ୍ୟ, ଅମ୍ଳଜାନ ଓ ଜୈବ ଇନ୍ଧନ ଉତ୍ପାଦନ କରିବାର ସାମର୍ଥ୍ୟ ଅନୁସନ୍ଧାନ ସହିତ ଶୁକ୍ଳା ମାଇକ୍ରୋଶୈବାଳ ଉପରେ ପରୀକ୍ଷଣର ନେତୃତ୍ୱ ନେଇଥିଲେ, ଯାହା ଦୀର୍ଘକାଳୀନ ଅଭିଯାନକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ।

ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ପେଗି ହ୍ୱିଟସନ ନେଇଥିଲେ। ଭାରତର ଶୁଭାଂଶୁ ଶୁକ୍ଳା ପାଇଲଟ୍ ଦାୟିତ୍ୱରେ ରହିଥିଲେ। ପୋଲାଣ୍ଡର ୟୁରୋପୀୟ ସ୍ପେଶ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସ୍ଲାଭୋଜ୍ ୱିସନିସ୍କି ଓ ହଙ୍ଗେରୀର ଟିବୋର୍ କାପୁ ମିଶନ ବିଶେଷଜ୍ଞ ଭାବେ ମହାକାଶକୁ ଯାଇଥିଲେ।

ଏହି ଘରୋଇ ମିଶନରେ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି। ନାସା, ଆକ୍ସିଅମ୍ ସ୍ପେଶ ଓ ସ୍ପେଶ ଏକ୍ସ ଓ ଇସ୍ରୋର ଏହା ଏକ ମିଳିତ ମିଶନ ।

Shubhanshu Shukla