ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ଶନିବାର ଇସ୍ରୋ ଉତକ୍ଷେପଣ କରିବ ଆଦିତ୍ୟ ଏଲ-୧। ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV C-57 ଯୋଗେ ଏହାକୁ ଉତକ୍ଷେପଣ କରାଯିବ। ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରକୁ ଯିବ।
ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଏତେ ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।
ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ସୂର୍ଯ୍ୟର ରହସ୍ୟ ଭେଦିବାକୁ ପ୍ରାଚୀନ କାଳରୁ ପ୍ରୟାସ ଜାରି ରହିଛି। କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ବି ପଠାଇସାରିଛନ୍ତି।
ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୌର ଜଗତର କେନ୍ଦ୍ରବିନ୍ଦୁ। କୁହାଯାଏ ପ୍ରାୟ ୪୫୦ କୋଟି ବର୍ଷ ତଳୁ ଅନବରତ ଜଳୁଥିବା ଏକ ବିଶାଳ ଅଗ୍ନିପିଣ୍ଡ ହେଉଛନ୍ତି ସୂର୍ଯ୍ୟ। ଏହା ଏତେ ବିଶାଳ ଯେ ସୂର୍ଯ୍ୟ ଭିତରେ ୧୩ ଲକ୍ଷଟି ପୃଥିବୀ ରହିପାରିବେ।
ସୂର୍ଯ୍ୟର କେନ୍ଦ୍ରସ୍ଥଳର ତାପମାତ୍ରା ଆନୁମାନିକ ଦେଢ଼ କୋଟି ଡିଗ୍ରୀ ସେଲସିୟସ। ବାହ୍ୟପୃଷ୍ଠରେ ଏହାର ତାପମାତ୍ରା ୫ହଜାର ୫ଶହ ଡିଗ୍ରୀ ସେଲସିୟସ। ତେଣୁ ଏହା ନିକଟକୁ ଯିବା ଅସମ୍ଭବ। ତଥାପି ସୂର୍ଯ୍ୟ ଆମର ନିକଟତମ ନକ୍ଷତ୍ର ହୋଇଥିବାରୁ ଅନ୍ୟ କୌଣସି ନକ୍ଷତ୍ର ଅପେକ୍ଷା ଏହା ଉପରେ ଅଧିକ ଅଧ୍ୟୟନ ସମ୍ଭବ ଓ ସହଜ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି। ତେଣୁ ସୂର୍ଯ୍ୟ ସଂପର୍କରେ ଗବେଷଣା ପାଇଁ ଉଦ୍ୟମ କରାଯାଉଛି।
ସୂର୍ଯ୍ୟ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ୨୨ଟି ମିଶନ୍ ମହାକାଶକୁ ପଠାଗଲାଣି। ଆମେରିକା ସର୍ବାଧିକ ୧୪ଟି ସୋଲାର ମିଶନ୍ ପଠାଇଥିବା ବେଳେ ଜାପାନ, ଚାଇନା, ଜର୍ମାନୀ ଓ ୟୁରୋପୀୟ ସଂଘ ମଧ୍ୟ ବିଭିନ୍ନ ଅଭିଯାନ ଦ୍ୱାରା ସୂର୍ଯ୍ୟ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବାକୁ ଉଦ୍ୟମ କରିଛନ୍ତି।
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପ୍ରଥମେ ୧୯୬୦ରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଥିଲା। ଯାହାର ନାଁ ଥିଲା ପାୟୋନିୟର-୫। ଆମେରିକାର ୧୪ଟି ସ୍ପେଶ୍ କ୍ରାଫ୍ଟ ସୂର୍ଯ୍ୟ ଚାରିପଟେ ବୁଲିଥିବା ବେଳେ ଗୋଟିଏ ଏହା ନିକଟ ଦେଇ ଉଡ଼ିଥିଲା। ସେହିପରି ଆଉ ଗୋଟିଏ ସୂର୍ଯ୍ୟର ବାହ୍ୟସ୍ତରରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଥିଲା।
୨୦୧୮ରେ ନାସା ପଠାଇଥିବା ପାର୍କର ସୋଲାର୍ ପ୍ରୋବ୍ ଏଯାବତ୍ ୨୬ ଥର ସୂର୍ଯ୍ୟକୁ ପରିକ୍ରମା କରିସାରିଲାଣି। ୨୦୨୫ ମସିହା ସୁଦ୍ଧା ସୂର୍ଯ୍ୟକୁ ଛୁଇଁବା ଅର୍ଥାତ୍ ଅନ୍ୟ ମାନବପ୍ରେରିତ ଯାନ ତୁଳନାରେ ସୂର୍ଯ୍ୟର ସବୁଠୁ ନିକଟକୁ ଯିବା ଏହାର ଲକ୍ଷ୍ୟ ରହିଛି।
ଏବେ ଇସ୍ରୋ ମଧ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ସହ ତାଳ ଦେଇ ମିଶନ ସୂର୍ଯ୍ୟ ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।
ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ସେଠାରେ କୌଣସି ପରାଗ ବା ଗ୍ରହଣର ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ।
ଏଥିରେ ମୋଟ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।