Advertisment

ବଜାରକୁ ଆସିବ ‘ହଳଦୀ ବ୍ୟାଣ୍ଡେଜ’; ଚୁଟକିରେ ଭଲ ହୋଇଯିବ ଶରୀରର କ୍ଷତ

‘ବଜାରକୁ ଆସିବାକୁ ଥିବା ଏହି ହଳଦୀ ବ୍ୟାଣ୍ଡେଜ ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା ରହିବ। ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ।’

Turmeric Bandage

Turmeric Bandage

Advertisment

ଶୁଦ୍ଧ ଓ ଖାଣ୍ଟି ହଳଦୀରେ ଦେଶୀ ଚିକିତ୍ସା। ବଜାରକୁ ଖୁବ୍‌ଶୀଘ୍ର ଆସିବ ହଳଦୀ ବ୍ୟାଣ୍ଡେଜ। ଚୁଟକିରେ ଭଲ ହୋଇପାରିବ ଶରୀରର କ୍ଷତ। ହଳଦୀର ନାନୋ ପାର୍ଟିକିଲ୍‌ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ଚମତ୍କାର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ(ILS)।

Advertisment

୨୦୨୧ ମସିହାରେ ଭାରତ, ଆମେରିକା ଓ ୟୁରୋପରେ ପ୍ୟାଟେଣ୍ଟ ପଞ୍ଜୀକରଣ ହୋଇଥିବା ଏହି କର୍କ୍ୟୁମିନ ବ୍ୟାଣ୍ଡେଜକୁ ବଜାରରେ ଛାଡ଼ିବା ଲାଗି ଆଗ୍ରହ ଦେଖାଇଛନ୍ତି ଦେଶର ଦୁଇ ଦୁଇଟି କମ୍ପାନୀ। ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ କର୍ପୋରେସନ(NRDC) ଜରିଆରେ ILS ସହ ଆଲୋଚନା ଆରମ୍ଭ କରିଛନ୍ତି ଗୁଜରାଟ ଓ ଉତ୍ତର ପ୍ରଦେଶଭିତ୍ତିକ ଦୁଇ କମ୍ପାନୀ। କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ILSର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଞ୍ଜୀବ ସାହୁ।

ସେ କହିଛନ୍ତି, ବଜାରକୁ ଆସିବାକୁ ଥିବା ଏହି ହଳଦୀ ବ୍ୟାଣ୍ଡେଜ ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା ରହିବ। ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ। ଏହାର ବର୍ଷକ ଭିତରେ ବଜାରରେ ମିଳିବ କର୍କ୍ୟୁମିନ ବା ହଳଦୀ ବ୍ୟାଣ୍ଡେଜ।

Advertisment

ଏହି ହଳଦୀ ବ୍ୟାଣ୍ଡେଜର କ’ଣ ରହିଛି ସ୍ୱତନ୍ତ୍ରତା? ଶରୀରର କ୍ଷତ ଉପରେ ଏହା କିଭଳି କାମ କରିବ? ଡକ୍ଟର ସଞ୍ଜୀବ ସାହୁଙ୍କ କହିବା କଥା ହେଉଛି, ଶହ ଶହ ବର୍ଷ ହେଲା ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି। ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ବହୁ ଔଷଧୀୟ ଗୁଣ ରହିଛି। ମୂଷା ଶରୀରରେ ପରୀକ୍ଷଣରୁ ପ୍ରମାଣିତ ହୋଇଛି ଯେ, କର୍କ୍ୟୁମିନ ତୁରନ୍ତ କ୍ଷତକୁ ଶୁଖାଇପାରୁଛି। ଏମିତିକି ଡାଇବେଟିସ ରୋଗୀର କ୍ଷତ ତଥା ପୋଡ଼ା ଘା’କୁ ମଧ୍ୟ ଭଲ କରିପାରୁଛି କର୍କ୍ୟୁମିନ। ତେବେ କ୍ଷତ ଶୁଖାଇବାରେ ସାହାଯ୍ୟ କରୁଥିବା ବ୍ୟାଣ୍ଡେଜ ଆକାରରେ ହଳଦୀ କେବେ ବ୍ୟବହାର ହୋଇ ନଥିଲା। ତେଣୁ କର୍କ୍ୟୁମିନ ବ୍ୟାଣ୍ଡେଜ ବିକାଶ ଲାଗି ନିଷ୍ପତ୍ତି ନେଇଥିଲା ILS। ଏହି ବ୍ୟାଣ୍ଡେଜରେ କର୍କ୍ୟୁମିନ ଲେପ ସହ ବାୟୋକମ୍ପାଟିବୁଲ, ବାୟୋଡିଗ୍ରେଡେବଲ, ନନ୍‌ଟକ୍ସିକ୍ ସାଇଟୋସାନ ଓ ଆଲଜିନେଟ ପଲିମର ବ୍ୟବହାର ହୋଇଛି। ଯାହାକି କ୍ଷତକୁ ଶୀଘ୍ର ଭଲ କରିବା ସହ ଆପେ ଆପେ କ୍ଷତ ସହ ମିଶିଯିବ। ଫଳରେ କ୍ଷତ ଶୁଖାଇବା ଲାଗି ଆଉ ବାରମ୍ବାର ବ୍ୟାଣ୍ଡେଜ ବ୍ୟବହାର କରିବାର ଝିନ୍‌ଝଟ ରହିବନି ବୋଲି ଡାକ୍ତର ସାହୁ କହିଛନ୍ତି।

ରିପୋର୍ଟ- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ

Bhubaneswar Bhubaneswar News ILS ନିର୍ଦ୍ଦେଶକ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe