ମୁଣ୍ଡ ଉପରେ ଉଡ଼ିବ ଛତା, ବିଶ୍ୱାସ ହେଉନି…

ନୂଆଦିଲ୍ଲୀ: ଖରାଦିନ ହେଉ ବା ବର୍ଷାଦିନ ଆପଣ ବାହାରକୁ ଗଲେ ଛତା ନେଇ ଯାଉଥିବେ ନିଶ୍ଚୟ। ଆଉ ଅନେକ ସମୟରେ ଏହି ଛତା ଆପଣଙ୍କୁ ବିରକ୍ତ କରୁଥିବ। କାରଣ ଗୋଟିଏ ହାତରେ ଛତା ଧରି ଅନ୍ୟ ହାତରେ ଜିନିଷ ଧରିବା ଭାରି ବିରକ୍ତିକର ହୋଇଥାଏ।

ଏବେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇଯାଇଛନ୍ତି ବୋଲି ଭାବି ନିଅନ୍ତୁ। ମାନେ ଛତା ଆପଣଙ୍କ ମୁଣ୍ଡ ଉପରେ ରହି ତା କାମ କରିବ। କିନ୍ତୁ ତାକୁ ଆପଣଙ୍କୁ ଧରିବାକୁ ପଡ଼ିବ ନାହିଁ। ଆପଣ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇପାରିବେ। ଦୁଇ ହାତରେ ଆପଣ ସାଇକେଲ୍‌ ଚଲାଇପାରିବେ, ଆଉ ସେଲ୍‌ଫି ମଧ୍ୟ ନେଇ ପାରିବେ।

ନିକଟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନିର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ଶେଆର୍‌ କରିଛନ୍ତି। ଯେଉଁଥିରେ ତାଙ୍କ କମ୍ପାନି ତିଆରି କରିଥିବା ଏକ ଛତା ଦେଖାଯାଉଛି। ଯାହାକୁ ଜଣେ ବ୍ୟକ୍ତି ବର୍ଷାରେ ବ୍ୟବହାର କରୁଛନ୍ତି। କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ଛତା ଧରି ନାହାନ୍ତି। ଆପେ ଆପେ ଛତାଟି ତାଙ୍କ ମୁଣ୍ଡ ଉପରେ ରହି ତାଙ୍କୁ ବର୍ଷାରୁ ରକ୍ଷା କରୁଛି। ଏହି ଛତାକୁ ଡ୍ରୋନେବ୍ରେଲା ନାମ ଦିଆଯାଇଛି।

ସେ ଏହି ଭିଡିଓ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଏବେ ଆମର ଫୋକସ୍‌ ଅଟୋମେଟିକ୍‌ ଗାଡ଼ି ତିଆରି କରିବା ଉପରେ ରହିଛି। କିଛି ଦିନ ପରେ ମୌସୁମୀ ମଧ୍ୟ ଆସିବାକୁ ଯାଉଛି। ଆଉ ଆପେ ଆପେ ଚାଲୁଥିବା ଛତା ପାଇଁ ମୁଁ ବହୁତ ଏକ୍‌ସାଇଟେଡ୍‌ ଅଛି’।

ପ୍ରଥମେ ଜାପାନରେ ଏହି ଟେକ୍‌ନିକ୍‌ ୨୦୧୮ରେ ବିକଶିତ ହୋଇଥିଲା। କିନ୍ତୁ ଏହା ଆମ ଦେଶରେ କେତେ ସଫଳ ହେବ, ତାହା ଲୋକମାନେ ହିଁ କହି ପାରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।