ମେକ୍ସିକୋ: ବାଜା ବାଣ ରୋଷଣୀ ନେଇ ଆସିଲା ବରଯାତ୍ରୀ। ପାରମ୍ପରିଗ ଗୀତ ବାଦ୍ୟଲରେ ଦୁଲୁକିଲା ସହର। ବର ସାଜିଲେ ମେୟର ଆଉ ତାଙ୍କ କନିଆଁ ସାଜିଲା କୁମ୍ଭୀର। କୁମ୍ଭୀର ସହ ବିବାହ କରିଲେ ଜଣାଶୁଣା ମେୟର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ।
ମେକ୍ସିକୋର ଛୋଟ ନଗରୀ ସାନ୍ ପେଡ୍ରୋ ହୁଆମେଲୁଲା। ଏଠାକର ମେୟର୍ ଏକ କୁମ୍ଭୀରକୁ ବିବାହ କରିଛନ୍ତି। ଏହି ଅଦ୍ଭୁତ ବିବାହର ପୂରା ଭିଡିଓ ‘ରଏଟର୍ସ’ ତା' ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମେକ୍ସିକୋ ଅନ୍ତର୍ଗତ ଓଆକ୍ସାକା ପ୍ରଦେଶର ଚୋଣ୍ଟାଲ୍ ଏବଂ ହୁଆଭେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ କୁମ୍ଭୀର-ବିବାହ ପ୍ରଥା ପ୍ରାକ୍-ହିସ୍ପାନିକ୍ ଯୁଗରୁ ଚଳି ଆସୁଛି। ଧନ-ଧାନ୍ୟ କାମନା କରି ସେଠାକାର ଲୋକେ କୁମ୍ଭୀରକୁ ବିବାହ କରିବା ପରମ୍ପରା ରହିଛି।
ଓଆକ୍ସାକାର ‘ଷ୍ଟିମି ପେସିଫିକ୍’ ଉପକୂଳରେ ଥିବା କ୍ଷୁଦ୍ର ମାଛଧରା ଗାଁର ମେୟର୍ ସୋସା ଯଥେଷ୍ଟ ବର୍ଷା, ଯଥେଷ୍ଟ ଖାଦ୍ୟ ଓ ଆମ ନଦୀରେ ପ୍ରଚୁର ମାଛ ପାଇଁ ସେ କୁମ୍ଭୀର ସହ ବିବାହ କରିଛନ୍ତି।
ସାନ୍ ପେଡ୍ରୋ ହୁଆମେଲୁଲାର ଉକ୍ତ ଆଦିମ ପ୍ରଥା (କୁମ୍ଭୀର ବିବାହ) ଏବେ ‘କ୍ୟାଥୋଲିକ୍’ ଲୋକବିଶ୍ୱାସରେ ମିଶି ଗଲାଣି। ଏହି ପ୍ରଥା ଅନୁସାରେ, କୁମ୍ଭୀରକୁ ଧଳା ବିବାହ ପୋଷାକ ଏବଂ ଅନ୍ୟାନ୍ୟ ରଙ୍ଗିନ ପୋଷାକ ପିନ୍ଧାଇ କନ୍ୟା ବେଶରେ ସଜାଇ ଦିଆଯାଏ।
ଟିକି ରାଜକୁମାରୀ କୁହାଯାଉଥିବା ମେୟର୍ ସୋସାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାଟି ବସୁମତୀଙ୍କ ଚଳନ୍ତି ପ୍ରତିମା ବୋଲି ଲୋକମାନଙ୍କ ବିଶ୍ୱାସ। ସ୍ଥାନୀୟ ନେତାଙ୍କ ସହ ତାଙ୍କର ବିବାହ ଅର୍ଥ ହେଲା ମାନବ ଓ ଈଶ୍ୱରଙ୍କ ମଧ୍ୟରେ ସୁସମ୍ପର୍କ।
https://twitter.com/Reuters/status/1542905872115896324?s=20&t=BYzNbjd740DUlKZRrUXXcA