ବାତ୍ୟା ‘ଫାଇଲିନ’ ଯିବାର ୧୦ ବର୍ଷ ବିତିଗଲାଣି। କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ୭ଟି ଗାଁରେ ଦେଢ଼ ଶହ ଏକରରୁ ଅଧିକ ଜମିରେ ଏଯାଏଁ ଚାଷ କରିପାରୁ ନାହାନ୍ତି ଚାଷୀ। କାରଣ ଜମିଗୁଡ଼ିକରେ ପ୍ରାୟ ୫ ଫୁଟ ଉଚ୍ଚର ବାଲି ଜମି ରହିଛି। ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଓଲଟି ଚାଷୀମାନେ ନିଜେ ବାଲି ଉଠାଇବାକୁ ଉଦ୍ୟମ କଲା ବେଳେ ପ୍ରଶାସନକି ଅଧିକାରୀମାନେ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି।
୧ ଅକ୍ଟୋବର ୨୦୧୩ ମସିହା। ଗୋପାଳପୁରରେ ସ୍ଥଳଭାଗ ଛୁଇଁ ଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ଜିଲ୍ଲା। ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ପଞ୍ଚାୟତର ରତଙ୍ଗ, ମନ୍ଦାର, ସାରିଆପଲ୍ଲୀ ଓ ଉସ୍ତପଲ୍ଲୀ ଭଳି ସାତଖଣ୍ଡ ଗାଁ ଅନେକ ଦିନ ଧରି ସମ୍ପୂର୍ଣ ଜଳବନ୍ଦୀ ହୋଇ ରହିଥିଲା। ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଫଳରେ ଫସଲ ସବୁ ଉଜୁଡ଼ି ଯାଇଥିଲା। ଲୋକେ ନିଜର ଜୀବିକା ହରାଇଥିଲେ। ସେ ସମୟରେ ସରକାର ଏହି ପଞ୍ଚାୟତକୁ ପୋଷ୍ୟ ଭାବେ ଗ୍ରହଣ କରି ପ୍ରତି ଚାଷୀଙ୍କ ପିଛା ୧୯୦୦ଟଙ୍କା କ୍ଷତି ପୂରଣ ଦେଇଥିଲେ ଓ ସେତିକିରେ କାମ ସାରି ଦେଇଥିଲେ। ତା’ପରଠୁ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସରକାର ଅଣଦେଖା କରିଦେଲେ।
ବାତ୍ୟା ଚାଲିଗଲା। ଚାଷ ଜମିରୁ ପାଣି ଛାଡ଼ିଗଲା। କିନ୍ତୁ ରହିଗଲା ୫ଫୁଟର ଉଚ୍ଚର ନଦୀ ବାଲି। ଚାଷୀମାନେ ସମସ୍ୟା ସମ୍ପର୍କରେ ବାରମ୍ବାର ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ କିଛି ଶୁଣିଲାନି। କିଛି ବର୍ଷ ପରେ କିଛି ଚାଷୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଜମିରୁ ଟ୍ରାକ୍ଟର ଯୋଗେ ବାଲି ବାହାର କରିଥିଲେ। କିନ୍ତୁ ବାଲି ନ ଉଠାଇବାକୁ ସ୍ଥାନୀୟ ଆରଆଇ, ତହସିଲଦାର ସେମାନଙ୍କୁ ନାଲି ଆଖି ଦେଖାଇବା ସହିତ ଫାଇନର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ନିରୁପାୟ ହୋଇଗଲେ ଚାଷୀ। ଆଉ ଏକର ଏକର ଚାଷ ହୋଇନପାରି ପଡ଼ି ରହିଛି। ଚାଷୀମାନେ ଜୀବିକା ହରାଇଛନ୍ତି। ବାଧ୍ୟ ହୋଇ ଅନେକ ଗାଁ ଛାଡ଼ି କାମ ପାଇଁ ବାହାର ରାଜ୍ୟକୁ ଯାଇଥିବା ଅଭିଯୋଗ ହୋଇଛି। ଏକଦା ଯେଉଁ ଜମିରେ ସୁନାର ଫସଲ ହସୁଥିଲା ଏବେ ସେଠି କାଶତଣ୍ଡି ଫୁଲ ଫୁଟୁଛି।
ଉସ୍ତପଲ୍ଲୀ ଗାଁର ସୁଧୀର କୁମାର ପରିଡ଼ା କହିଛନ୍ତି, ଫାଇଲିନ ସମୟରେ ଆମର ପୂରା ପଞ୍ଚାୟତିଟି ଜଳମଗ୍ନ ହୋଇଯାଇଥିଲା। ଅନେକ ଜମିରେ ବାଲି ଚରିଗଲା। ଜମିରୁ ବାଲି ବାହାର କରିବା ନେଇ ତହସିଲଦାର, ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିଥିଲୁ। କିନ୍ତୁ କେହି ଆମ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେଲେ ନାହିଁ। ଚାଷ ଜମି ଉପରେ ପେଟପାଟଣା ଚାଲିଥିଲା। କିନ୍ତୁ ଫାଇଲିନ ପରେ ବହୁତ ଲୋକ ଦାଦନ ଖଟିବାକୁ ସୁରତ ଓ ଅନ୍ୟାନ୍ୟ ସ୍ଥାନକୁ ଚାଲିଗଲେ। ମୁଁ ମୋ ସମସ୍ୟା ନେଇ ପୂର୍ବରୁ ଥିବା ସବ୍କଲେକ୍ଟରଙ୍କୁ ଭେଟିଥିଲି ତାଙ୍କ ଅଭିଯୋଗ ଶୁଣାଣିରେ। ସେ ମୋ ଦାବିପତ୍ରକୁ ବେଲଗୁଣ୍ଠା ତହସିଲଦାରଙ୍କ ନିକଟକୁ ପଠାଇ ଦେଇଥିଲେ। ମୁଁ ଯାଇ ସେଠାରେ ପଚରାପଚରି କରିବାରେ ତହସିଲଦାର କହିଥିଲେ ଯେ ଏନେଇ କିଛି କରାଯାଇପାରିବ ନାହିଁ। ଯାହା କରିବ ତମେ ନିଜେ କରିବ। ଏହା ପରେ ଲକ୍ଷେ ଟଙ୍କା ଧାର କରି ମୁଁ ଜମିରୁ ବାଲି ଉଠାଇ ଏଥର ଚାଷ କରିଛି। ଚାଷରୁ କେତେ କ’ଣ ମିଳିବ, ତାହା ବି ମୁଁ ଜାଣିନି।
ସେ ଆହୁରି କହିଛନ୍ତି, ଆମ ସମସ୍ୟା ସଂପର୍କରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲୁ। କିଛି ଫାଇଦା ହୋଇ ନଥିଲା। ୫ଟି ସଚିବ ସୋରଡ଼ା ଗସ୍ତରେ ଆସିଥିବା ବେଳେ ଆମେ ତାଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଛୁ। ଆଶା କରୁଛୁ ଆମ ଚାଷୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯିବ।
ଇଙ୍ଗିନାଠି ସେବା ସମବାୟ ସମିତି ସଭାପତି ଘନଶ୍ୟାମ ଜେନା, ୨୦୧୩ ମସିହାର ଫାଇଲିନ ଆମ ଇଙ୍ଗିନାଠି ପଞ୍ଚାୟତର ମେରୁଦଣ୍ଡ ଭାଙ୍ଗି ଦେଲା। ମାସେ ଦେଢ଼ ମାସ ଆମେ ଜଳବନ୍ଦୀ ଭିତରେ ରହିଥିଲୁ। ଏବେ ବି ଦେଢ଼ ଶହ ଏକର ଜମି ବାଲିଜର ହୋଇପଡ଼ିଛି। ସରକାର କିଛି ପଦକ୍ଷେପ ନେଉ ନାହାନ୍ତି। ଆମେ ଚାଷ କରି ବଞ୍ଚିବା ଲୋକ। ଆମେ କର ଦେଉଥିଲେ ମଧ୍ୟ ଆମ କଥା ବୁଝିଲେନି। ତେଣୁ ଅନେକ ଲୋକ ଦାଦନ ଖଟିବାକୁ ଗଲେ। ପୂର୍ବରୁ କିଛି ଲୋକ ନିଜ ଜମିରୁ ବାଲି ଉଠାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଆରଆଇ, ତହସିଲଦାର ବାରମ୍ବାର ଆସି ଫାଇନ୍ ପକାଇବାରୁ ଆଉ କେହି ବାଲି ଉଠାଇ ନଥିଲେ। ସରକାର ଜମିରୁ ବାଲି ବାହାର କରିବା ପାଇଁ ପଦକ୍ଷେପ ନେଲେ ଆମେ ଉପକୃତ ହେବୁ।
ଅନ୍ୟପକ୍ଷରେ ଲୋକଙ୍କ ଅଭିଯୋଗ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।
ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ