Advertisment

୧୦ ବର୍ଷ ହେଲା ଭାତ ଖାଇନାହାନ୍ତି ୧୦ ବର୍ଷର କୁନିଝିଅ

ମୁଢିଠାରୁ ଦୂରେଇବା ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ନେଇ ତାଙ୍କ ବଡ଼ ଭଉଣୀଙ୍କ ଘରେ ଛାଡ଼ି ଦେଇଥିଲେ ପରିବାର ଲୋକ। ସେଠାରେ ତାଙ୍କୁ ଭାତ ଓ ଅନ୍ୟାନ୍ୟ ତରକାରି ଖାଇବାକୁ ଦିଆଯାଇଥିଲା। ହେଲେ ସେ ଖାଇନଥିଲେ।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ବୟସ ୧୦ ବର୍ଷ। ହେଲେ ଆଜି ପର୍ଯ୍ୟନ୍ତ ଖାଇନାହାନ୍ତି ଭାତ। କବଳ ମୁଢି ଖାଇ ବଞ୍ଚିଛନ୍ତି। ଖାଲି ବଞ୍ଚି ନାହାନ୍ତି, ବରଂ ସମ୍ପୂର୍ଣ୍ଣ ସୁସ୍ଥ ଓ ସବଳ ରହିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀରୁ ଆସିଛି ଏପରି ଅଦ୍ଭୁତ ଖବର। ସବୁଠାରୁ ମଜାଦାର କଥା ହେଉଛି, ଝିଅ ଭାତ ଖାଉନଥିବାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ତାଙ୍କ ପାଇଁ ମୁଢିର ବ୍ୟବସ୍ଥା କରାଯାଇଛି।

Advertisment

ଭଣ୍ଡାରିପୋଖରୀ ବ୍ଲକ୍‌ ମାଳଦା ପଞ୍ଚାୟତର ଚତୁର୍ଭୁଜପୁର ଗାଁ। ଏହି ଗାଁର ମକରା ମାଝୀ ଓ କମଳିନୀଙ୍କ ସାନ ଝିଅ ହେଉଛନ୍ତି ଲକ୍ଷ୍ମୀପ୍ରିୟା। ଜନ୍ମ ପରେ ମାଆ କ୍ଷୀର ଖାଉଥିଲେ। ଧୀରେ ଧୀରେ ଲକ୍ଷ୍ମୀପ୍ରିୟା ବଢ଼ିଲେ। ଝିଅ ବଢ଼ିଲା ପରେ ଭାତ, ଡାଲି, ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଦେଇଥିଲେ ମାଆ। ହେଲେ ସେଥିପ୍ରତି ତାଙ୍କର ସାମାନ୍ୟତମ ରୁଚି ନଥିଲା। ଭାତ ଓ ଡାଲି ବଦଳରେ ପାଖରେ ଥିବା ମୁଢି ଖାଇଥିଲେ। ଯେଉଁଥିପାଇଁ ବାପା-ମାଆ ଅଡୁଆରେ ପଡ଼ି ଯାଇଥିଲେ।

ମୁଢିଠାରୁ ଦୂରେଇବା ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ନେଇ ତାଙ୍କ ବଡ଼ ଭଉଣୀଙ୍କ ଘରେ ଛାଡ଼ି ଦେଇଥିଲେ ପରିବାର ଲୋକ। ସେଠାରେ ତାଙ୍କୁ ଭାତ ଓ ଅନ୍ୟାନ୍ୟ ତରକାରି ଖାଇବାକୁ ଦିଆଯାଇଥିଲା। ହେଲେ ସେ ଖାଇନଥିଲେ। ତା’ପରେ ପରିବାର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ମାଉସୀ ଓ ପିଉସୀଙ୍କ ଘରେ ଛାଡ଼ିଥିଲେ। ସେଠାରେ ମଧ୍ୟ ଭାତ ଓ ତରକାରୀ ଖାଇନଥିଲେ ଲକ୍ଷ୍ମୀପ୍ରିୟା। କେବଳ ମୁଢି ଖାଇବାକୁ ମାଗିଥିଲେ। ତେଣୁ ବାଧ୍ୟ ହୋଇ ଲକ୍ଷ୍ମୀପ୍ରିୟାଙ୍କୁ ମୁଢି ଖାଇବାକୁ ଦେଇଥିଲେ।

Advertisment

ଲକ୍ଷ୍ମୀପ୍ରିୟାଙ୍କୁ ଏବେ ୧୦ ବର୍ଷ ହେଲାଣି। ସେ ଚତୁର୍ଭୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଅନ୍ୟ ପିଲାଙ୍କ ପରି ସ୍କୁଲ ଯାଉଛନ୍ତି। ପାଠ ପଢ଼ୁଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ଖାଉନାହାନ୍ତି। ତା’ ବଦଳରେ ସ୍କୁଲ ପକ୍ଷରୁ ତାଙ୍କୁ ମୁଢି ଖାଇବାକୁ ଦେଉଛନ୍ତି। ତା’ ସାଙ୍ଗକୁ ଫଳ, ବିସ୍କୁଟ୍‌ ଓ ପାଉଁରୁଟି ଆଦି ମଧ୍ୟ ଖାଇବାକୁ ଦିଆଯାଉଛି।

ଲକ୍ଷ୍ମୀପ୍ରିୟାଙ୍କ ମାଆ କମଳିନୀ କହିଛନ୍ତି, ଆମେ ଗରିବ ଲୋକ। ପ୍ରତି ଦିନ ମୁଢି କେଉଁଠୁ ଆଣିବୁ? ଯେଉଁଦିନ ଘରେ ମୁଢି ନଥିବ, ତାକୁ ଭାତ ଖାଇବାକୁ ଦେଲେ ସେ ଖାଇବ ନାହିଁ। ଲୁଣ ଓ ଚିନିକୁ ପାଣି କରି ପିଇଦେଇ ରହିଯିବ। ଯେତେ କହିଲେ ମଧ୍ୟ ଭାତ ଖାଇବନାହିଁ। ଦିନେ କି ଦୁଇ ଦିନ ନୁହେଁ, ଦରକାର ପଡ଼ିରୁ ଦୁଇରୁ ତିନି ପର୍ଯ୍ୟନ୍ତ ସେ ଲୁଣ ଓ ଚିନି ପାଣି ପିଇ ରହି ଯିବ ବୋଲି କମଳିନୀ କହିଛନ୍ତି।

ସେପଟେ ଲକ୍ଷ୍ମୀପ୍ରିୟାର ବୟସ ବଢିବା ସଙ୍ଗେ ସଙ୍ଗେ ଅଭ୍ୟାସରେ ପରିବର୍ତ୍ତନ ହେଉନଥିବାରୁ ପରିବାର ଲୋକେ ତାଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ହେଲେ ଲକ୍ଷ୍ମୀପ୍ରିୟା ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିବା ପରେ ତାଙ୍କ ମୁଢି ଖିଆ ଅଭ୍ୟାସ ଅବ୍ୟାହତ ରହିଛି।

ଲକ୍ଷ୍ମୀପ୍ରିୟାରଙ୍କ ମୁଢି ଖାଇବାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି, ମୁଢିରେ ଅଧିକ ପରିମାଣର କ୍ୟାଲୋରୀ ରହିଛି। ତାହା ଛଡ଼ା ସେଥିରେ ପ୍ରୋଟିନ୍‌, ଫାଇବର, ଭିଟାମିନ୍‌-B6, କ୍ୟାଲସିୟମ୍‌ ଓ ଆଇରନ୍‌ ରହୁଛି। ତେଣୁ ମୁଢ଼ି ବହୁ ନ୍ୟୁଟ୍ରିସିୟସ୍‌ ଓ ହାଇ କ୍ୟାଲୋରୀ ଯୁକ୍ତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe