Advertisment

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ବୁଲିଲେ ୧୭୬ ପର୍ଯ୍ୟଟକ

ଆଜି ବାରିପଦା ପାର୍ଶ୍ୱରୁ ୨୫ଟି ଗାଡି ଓ ଯଶିପୁର ପଟୁ ୩୫ଟି ଗାଡ଼ି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ଅନୁମତି ମିଳିଛି। ୧୭୬ ପର୍ଯ୍ୟଟକ ପ୍ରଥମ ଦିନରେ ଶିମିଳିପାର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି।

author-image
Manoranjan Sial
Similipal National Park

Similipal National Park

ପ୍ରାକୃତିକ ସମ୍ପଦରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ। ଆଜିଠାରୁ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ପ୍ରଥମ ଦିନରେ ୧୭୬ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। ବନ ବିଭାଗ ପକ୍ଷରୁ ଗୋଲାପ ଫୁଲ ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥିଲା।

Advertisment

ପ୍ରତିବର୍ଷ ନଭେମ୍ୱର ୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଜାତୀୟ ଉଦ୍ୟାନ। ହେଲେ ଚଳିତବର୍ଷ ୧୫ ଦିନ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ଚଳିତବର୍ଷ ପାଗ ଭଲ ଥିବାରୁ ଶୀଘ୍ର ଅଭୟାରଣ୍ୟ ଖୋଲିଛି। ସେଥିପାଇଁ ଆଜି ସକାଳୁ ସକାଳୁ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଲାଗିଥିଲା ପ୍ରବଳ ଭିଡ଼। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡର ପର୍ଯ୍ୟଟକମାନେ ଶିମିଳିପାଳ ତନଖି ଫାଟକରେ ଭିଡ଼ ଲଗାଇଥିଲେ। ଆଜି ପ୍ରଥମ ଦିନରେ ବାରିପଦା ପୀଠବଟା ଗେଟ୍‌ ଓ ଯଶିପୁରର କାଳିଆମି ଗେଟ୍‌ ପାର୍ଶ୍ୱରୁ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା। ପର୍ଯ୍ୟଟକମାନଙ୍କ ସ୍ଵାଗତ ଜଣାଇବା ପାଇଁ ସ୍ଥାନୀୟ ଅଧିବାସୀମାନେ ମାଦଳ ବଜାଇ ନାଚ ଗୀତରେ ସ୍ୱାଗତ କରିଥିଲେ।

Similipalପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଉଛି

ଆଜି ବାରିପଦା ପାର୍ଶ୍ୱରୁ ୨୫ଟି ଗାଡି ଓ ଯଶିପୁର ପଟୁ ୩୫ଟି ଗାଡ଼ି ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ଅନୁମତି ମିଳିଛି। ୧୭୬ ପର୍ଯ୍ୟଟକ ପ୍ରଥମ ଦିନରେ ଶିମିଳିପାର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବା ପାଇଁ ସକାଳ ୬ଟାରୁ ସକାଳ ୯ଟା ଯାଏଁ ପ୍ରବେଶ ଅନୁମତି ରହିଛି।

Advertisment

ଶିମିଳିପାଳରେ ରାତ୍ର ଯାପନ ପାଇଁ ପର୍ଯ୍ୟଟକମାନେ କେବଳ ଅନ୍‌ଲାଇନ୍‌ରେ ବୁକିଂ କରିପାରିବେ। ତେବେ ସାଥୀରେ ପ୍ଲାଷ୍ଟିକ, ମାଦକ ଦ୍ରବ୍ୟ, ଦୋହନଶିଳ ଦ୍ରବ୍ୟ ନେଇପାରିବେ ନାହିଁ। ସନ୍ଧ୍ୟା ୫ଟାରେ ଶିମିଳିପାଳ ଛାଡ଼ିବାକୁ ପଡ଼ିବ। ସାଙ୍ଗରେ ନେବାକୁ ପଡିବ ଗାଇଡ। ଶିମିଳିପାଳ ବୁଲି ହାତୀ, ହରିଣ, ସମ୍ବର, ମୟୂର ଓ ଅନେକ ପଶୁ ପକ୍ଷୀଙ୍କୁ ଦେଖିପାରିବେ ପର୍ଯ୍ୟଟକ। ଏହାଛଡ଼ା ପ୍ରକୃତି କୋଳରେ କୁଳୁକୁଳୁ ନାଦ କରି ବୋହି ଯାଉଥିବା ବରେହିପାଣି, ଜୋରୋନ୍ଦା ପରି ମନଲୋଭା ଝରଣାର ପ୍ରାକୃତିକ ପରିବେଶର ମଜା ଉଠାଇବା ପର୍ଯ୍ୟଟକ।

Similipalନାଚ ଗୀତରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଉଛି

ଦିନରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଗେଟ୍‌ରେ ଟଙ୍କା ଦାଖଲ କଲେ ବରେହିପାଣି ପାଖରେ ରନ୍ଧା ଖାଦ୍ୟ ମିଳିବ। ଶିମିଳିପାଳରେ ବଣ ଭୋଜି ପାଇଁ ଅନୁମତି ନାହିଁ। ଶିମିଳିପାଳ ବ୍ୟତୀତ ଆଜି ଦେବକୁଣ୍ଡକୁ ମଧ୍ୟ ବହୁ ପର୍ଯ୍ୟଟକଙ୍କ ଯିବା ପାଇଁ ଅନୁମତି ମିଳିଛି। ଦିନ ଓ ରାତି ପର୍ଯ୍ୟଟକମାନେ ଗେଟ୍‌ ପାସ ପାଇଁ ଅନଲାଇନ୍‌ରେ ଆବେଦନ କରି ପାରିବେ। ସେଥିପାଇଁ ପରିଚୟପତ୍ର ଦାଖଲ କରିବାକୁ ପଡ଼ିବ।

ମିଳିଥିବା ସୂଚନା ଅନୁସାରେ ଗତବର୍ଷ ୮୦୦୦ ଗାଡ଼ିରେ ୪୨ ହଜାର ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ କରିଥିଲେ। ସେଥିରୁ ୩ କୋଟି ୫୦ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ୪୨ ହଜାର ପର୍ଯ୍ୟଟକଙ୍କ ଭିତରୁ ୨୮ ହଜାର ଅନ୍ୟ ରାଜ୍ୟର ହୋଇଥିବା ବେଳେ ୪୪ ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ।

ରିପୋର୍ଟ- ବାରିପଦାରୁ ମାନିକ୍‌ଲାଲ ପାଣି

Similipal National Park Baripada