ସରକାରୀ ଜମି ବନ୍ଧା ଦେଇ ଋଣ ନେଇଛନ୍ତି ୩୮ ଶିଳ୍ପ ସଂସ୍ଥା: ଜିନ୍ଦଲ, ଭୂଷଣ ଓ ବେଦାନ୍ତ ଦେଇଛନ୍ତି ସବୁଠୁ ବେଶୀ

ରାଜ୍ୟରେ ଶିଳ୍ପ ସ୍ଥାପନ କରିବା ନିମନ୍ତେ ଇଡକୋ ମାଧ୍ୟମରେ ସରକାରୀ ଜମି ନେଇ ୩୮ଟି ଶିଳ୍ପ ସଂସ୍ଥା ତାକୁ ବ୍ୟାଙ୍କରେ ବନ୍ଧା ପକାଇ ଋଣ ନେଇଛନ୍ତି ।

Industry PhotoOR

representational image

Ordigital Desk
  • Published: Friday, 17 March 2023
  • Updated: 17 March 2023, 08:42 PM IST

Sports

Latest News

ରାଜ୍ୟରେ ଶିଳ୍ପ ସ୍ଥାପନ କରିବା ନିମନ୍ତେ ଇଡକୋ ମାଧ୍ୟମରେ ସରକାରୀ ଜମି ନେଇ ୩୮ଟି ଶିଳ୍ପ ସଂସ୍ଥା ତାକୁ ବ୍ୟାଙ୍କରେ ବନ୍ଧା ପକାଇ ଋଣ ନେଇଛନ୍ତି । ଏହି ୩୮ଟି ପ୍ରମୁଖ ଶିଳ୍ପ ସଂସ୍ଥା ମଧ୍ୟରେ ଜିନ୍ଦଲ ଷ୍ଟିଲ ଓ ପାୱାର, ଭୂଷଣ ପାୱାର,ବେଦାନ୍ତ ଓ ହିଣ୍ଡାଲକୋ ଅଧିକ ପରିମାଣର ଜମି ବନ୍ଧା ପକାଇଛନ୍ତି । ଆଉ ଏସବୁ ଜମି ବନ୍ଧା ରଖିବା ନିମନ୍ତେ ଇଡକୋ ମଧ୍ୟ ଅନାପତ୍ତି ପ୍ରମାଣ ପତ୍ର(ଏନଓସି) ଯୋଗାଇ ଦେଇଛି । ଯଦିଓ ୨୦୧୪ ମସିହାରେ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) ନିଜର ରିପୋର୍ଟ ପ୍ରଦାନ କରି ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କୁ ଆବଂଟିତ ଇଡ଼କୋ ଜମିକୁ ବନ୍ଧା ପକାଇବା ଉପରେ ଆପତ୍ତି ଉଠାଇଥିଲେ ଓ ଏନେଇ ନିର୍ଦ୍ଦିଷ୍ଟ ଭାବେ ଆଇନ ଆଣିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଇଡକୋ ଦ୍ୱାରା ଆବଂଟିତ ଜମିକୁ ବନ୍ଧକ ରଖିବା ନିମନ୍ତେ ୩୮ଟି ଶିଳ୍ପ ସଂସ୍ଥାକୁ ଏନଓସି ପ୍ରଦାନ କରାଯାଇଛି । ସେଥିରେ ଅଧିକାଂଶ ଶିଳ୍ପ ସଂସ୍ଥାକୁ ଆବଂଟିତ ଜମିର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଜମିକୁ ବନ୍ଧକ ରଖିବାକୁ ଇଡକୋ ପକ୍ଷରୁ ଏନଓସି ଦିଆଯାଇଛି । ଅନୁଗୁଳସ୍ଥିତ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଆବଂଟିତ ୪୩୫୧ଏକରରୁ ୨୬୯୬ଏକର ଜମିକୁ ବନ୍ଧା ରଖିବା ପାଇଁ ଇଡକୋ ପକ୍ଷରୁ ଏନଓସି ଦିଆଯାଇଛି ।

Also Read

ସେହିପରି ଭୂଷଣ ପାୱାର ଆଣ୍ଡ ଷ୍ଟିଲକୁ ସମ୍ବଲପୁର ଜିଲ୍ଲାରେ ଆବଂଟିତ ମୋଟ ୨୨୬୬.୦୨ଏକର ମଧ୍ୟରୁ ୨୬୬୫.୮୫ ଏକର ଜମିକୁ ବନ୍ଧା ରଖିବାକୁ ଏନଓସି ହାସଲ କରିଛି । ଅନୁରୂପ ଭାବେ ବେଦାନ୍ତକୁ କଳାହାଣ୍ଡି ଜିଲ୍ଲାରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ଯୋଗାଇ ଦିଆଯାଇଥିବା ୨୨୧୯.୦୯୦ଏକରରୁ ୧୯୩୩.୧୧ଏକର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୨୧୭୨.୭୪ଏକରରୁ ୨୧୫୬.୬୩ଏକର ଜମିକୁ ବନ୍ଧା ରଖିବାକୁ ଏନଓସି ଦିଆଯାଇଛି । ସେହିପରି ହିଣ୍ଡାଲକୋକୁ ରାୟଗଡ଼ାରେ ଆବଂଟିତ ୨୧୭୬.୪୩୦ଏକରରୁ ୨୦୯୮.୭୪୦ଏକର ଜମିକୁ ବନ୍ଧା ରଖିବାକୁ ଇଡ଼କୋ ପକ୍ଷରୁ ଏନଓସି ପ୍ରଦାନ କରାଯାଇଛି ।

ଅନ୍ୟ ଯେଉଁ କମ୍ପାନୀଗୁଡ଼ିକୁ ଆବଂଟିତ ସରକାରୀ ଜମିକୁ  ବନ୍ଧା ରଖିବା ପାଇଁ ଇଡକୋ ଅନୁମତି ଦେଇଛି ମୋନେଟ୍ ଇସ୍ପାତ, ଟାଟା ଷ୍ଟିଲ, ବ୍ରାହ୍ମଣୀ ରିଭର ପେଲେଟ୍ , ପଟ୍ଟନାୟକ ଷ୍ଟିଲ ଆଣ୍ଡ ଆଲଏଜ, ଓସିଏଲ ସିମେଂଟ, ମୋନେଟ୍ ପାୱାର, ଜିଏମଆର ଏନର୍ଜି, ଷ୍ଟେରଲାଇଟ୍ ଏନର୍ଜି, ଜେ.କେ.ଲକ୍ଷ୍ମୀ ସିମେଂଟ, ସରାଫ ଏଜେନ୍ସୀ, ପାରାଦୀପ ଫସଫେଟ୍ ,ସ୍ୱସ୍ତି ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ଆଣ୍ଡ ସୋସିଆଲ ଷ୍ଟଡ଼ିଜ୍ , ଓପିଜିସି, ଏସେଲ ମାଇନିଂ, ବଲାରପୁର ଇଣ୍ଡଷ୍ଟ୍ରିଜ ଆଦି ଶିଳ୍ପ ସଂସ୍ଥା ରହିଛନ୍ତି ।

ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ, ଯଦି କୌଣସି ଶିଳ୍ପ ସଂସ୍ଥା ଋଣ ପରିଶୋଧ ନକରି ବନ୍ଦ ହୋଇଯାଏ, ତା’ହେଲେ ଆବଶ୍ୟକସ୍ଥଳେ ଜମିକୁ ନିଲାମ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କ ଇଡକୋଠୁ ଏନଓସି ନେଇ ଆବଂଟିତ ଜମିକୁ କେବଳ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପୁନଃ ବିନିଯୋଗ କରିବାର ନିୟମ ରହିଛି ।

ଉଲ୍ଲେଖଯୋଗ୍ୟ, ଇଡକୋ ନିୟମ ଅନୁସାରେ ଆବଂଟିତ ଜମିକୁ ବନ୍ଧକ ରଖିବା ପାଇଁ ଏନଓସି ନେଉଥିବା ଶିଳ୍ପ ସଂସ୍ଥାମାନେ ନେଇଥିବା ଋଣ ଓ ପରିଶୋଧର ପରିମାଣର ରିପୋର୍ଟ ପ୍ରତି ୩ମାସରେ ଇଡକୋ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିବାକୁ ବାଧ୍ୟ । ତେବେ ଏହି ନିୟମକୁ ଶିଳ୍ପ ସଂସ୍ଥାଗୁଡ଼ିକ ପାଳନ କରୁଛନ୍ତି କି ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ରହିଛି ।

ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୦,୫୪୮.୬୧ଏକର ଜମିକୁ ଇଡକୋ ମାଧ୍ୟମରେ ଏମଓୟୁ ଓ ଅଣଏମଓୟୁକାରୀ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆବଂଟନ କରାଯାଇଛି । ଏଥିରେ ୪୫,୭୨୬ଏକର ଘରୋଇ ଜମି ସାମିଲ ଅଛି ।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) ଇଡକୋ ଜମି ଆବଂଟନର ସମୀକ୍ଷା କରିବା ସହ ଶିଳ୍ପ ସଂସ୍ଥାଗୁଡ଼ିକ ସରକାରୀ ଜମିକୁ ବନ୍ଧକ ରଖିବା ଓ ଏଥିପାଇଁ ଇଡକୋ ଏନଓସି ଦେବା ଉପରେ ଆପତ୍ତି ଉଠାଇଥିଲେ । ସେତେବେଳେ ଆବଂଟିତ ଜମି ମଧ୍ୟରୁ ପ୍ରାୟ ୮୪୮୯ଏକର ଇଡକୋ ଜମିକୁ ବନ୍ଧା ରଖି ୧୨ଟି କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୫୨,୪୨୩କୋଟି ୫୦ଲକ୍ଷ ଟଙ୍କାର ଋଣ ଉଠାଇଥିଲେ । ଛତ୍ରପୁରରେ ପ୍ରକଳ୍ପ ନିମନ୍ତେ ସରାଫ ଏଜେନ୍ସୀ ପ୍ରାୟ ୧୨୦୦କୋଟି ଟଙ୍କା ଉଠାଇଥିବା ଏଜିଙ୍କ ରିପୋର୍ଟରୁ ଜଣାପଡ଼ିଥିଲା । ତେବେ ଏଜିଙ୍କ ଆପତ୍ତି ସତ୍ତ୍ୱେ ରାଜ୍ୟ ସରକାର ଏହି ଜମି ବନ୍ଧକ ରଖିବାକୁ ଯଥାର୍ଥ ବୋଲି ଦର୍ଶାଇବା ସହ ଏହାର କାର୍ଯ୍ୟକାରିତାକୁ ନେଇ ୨୦୧୬ ଓ ୨୦୨୦ ମସିହାରେ ଦୁଇଟି ସର୍କୁଲାର ଜାରି କରିଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos