Advertisment

‘ବିକାଶ’ର ପୁଙ୍ଗୁଳା ଚିତ୍ର ଦେଖାଇଲେ ବୁଢ଼ୀ ମାଉସୀ; କହିଲେ- ବାବୁ ଆମ ଗାଁକୁ ରାସ୍ତା କେବେ ଦବୁ?

ଦୁଃଖୀ ମାଉସୀ କହିଥିଲେ, ବାବୁ ଆମ ଗାଁକୁ ରାସ୍ତା କେବେ ଦବୁ? ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଆସିପାରୁନି। ଗର୍ଭବତୀଙ୍କୁ ଲୁଗା ଦୋଳିରେ ବୋହି ଡାକ୍ତରଖାନା ନିଆଯାଉଛି। ବର୍ଷା ହେଲେ ଘରୁ ବାହାରି ପାରୁନୁ।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

‘ବାବୁ ଆମ ଗାଁକୁ ରାସ୍ତା କେବେ ଦବୁ?’ ବାସ୍‌, ବୁଢ଼ୀ ମାଉସୀଙ୍କ ଏହି ଧାଡ଼ିକ କଥା ଖୋଲି ଦେଇଛି ରାଜ୍ୟ ସରକାରଙ୍କ ‘ବିକାଶ’ର ଗୋଲାପି ଚିତ୍ର। ଯେଉଁ ‘ବିକାଶ’କୁ ମୁଖ୍ୟ ଅସ୍ତ୍ର କରି ନେତାମାନେ ଡିଡିମ୍ୱ ପିଟୁଛନ୍ତି, ତାହା ମିଛ ବୋଲି ପ୍ରମାଣିତ ହୋଇଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ୬୫ ବର୍ଷୀୟା ଦୁଃଖୀ ଭକ୍ତାଙ୍କୁ ବଡ଼ବଡ଼ିଆ ବାବୁଙ୍କ ଆଗରେ ନିଜ ଦୁଃଖ ଜଣାଇବାକୁ ପଡ଼ିଛି। ଗାଁକୁ ରାସ୍ତା ଖଣ୍ଡିଏ କରିବା ପାଇଁ ନିବେଦନ କରିବାକୁ ପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏପରି ଚିତ୍ର।

Advertisment

ସୋମବାର ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବର ହୋଇଥିଲା। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଆଉ ସେହି ଜନଶୁଣାଣିରେ ଅଭିଯୋଗ କରିବା ପାଇଁ ଆସିଥିଲେ ମହାକାଳପଡ଼ା ବ୍ଲକର ପେଟଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁର ଦୁଃଖୀ ଭକ୍ତା। ହାତରେ ଧରିଥିଲେ ଅଭିଯୋଗ ପତ୍ର। ଆଉ ଖୋଲିଥିଲେ ରାଜ୍ୟ ସରକାରଙ୍କ ‘ବିକାଶ’ର ଫୁଙ୍ଗୁଳା ଚିତ୍ର। ସର୍ବ ସମ୍ମୁଖରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରଶ୍ନ କରିଥିଲେ।

ଦୁଃଖୀ ମାଉସୀ କହିଥିଲେ, ବାବୁ ଆମ ଗାଁକୁ ରାସ୍ତା କେବେ ଦବୁ? ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଆସିପାରୁନି। ଗର୍ଭବତୀଙ୍କୁ ଲୁଗା ଦୋଳିରେ ବୋହି ଡାକ୍ତରଖାନା ଯାଉଛି। ବର୍ଷା ହେଲେ ଘରୁ ବାହାରି ପାରୁନୁ। ସବୁବେଳେ କହୁଛ, ରାସ୍ତା ହେବ। ହେଲେ ରାସ୍ତା ଦେଉନ। ବାବୁ କେବେ ରାସ୍ତା ହେବ କହ ବୋଲି ଦୁଃଖୀ ମାଉସୀ ପ୍ରଶ୍ନ କରିଥିଲେ।

Advertisment

ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଏସ୍‌ପି ମଡକର ସନ୍ଦୀପ ସମ୍ପଦ, ପ୍ରୋଜେକ୍ଟ ଡାଇରେକ୍ଟର ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଓ ବ୍ଳକ୍‌ ସହକାରୀ ଯନ୍ତ୍ରୀ ସ୍ମୃତିରେଖା ଖଟୁଆ ପ୍ରମୁଖ ଉପସ୍ଥିତ ରହିଥିଲେ। ହେଲେ କେହି ଦୁଃଖୀ ମାଉସୀଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରିନଥିଲେ। ପ୍ରଥମେ ହଡ଼ବଡ଼େଇ ଯାଇଥିଲେ। ତା’ପରେ କହିଥିଲେ ୨୪ ଘଣ୍ଟା ଭିତରେ ତାଙ୍କ ଗାଁ ପରିଦର୍ଶନ କରି ରାସ୍ତା ବ୍ୟବସ୍ଥା କରାଯିବ। ସତରେ କ’ଣ ବୁଢୀ ମାଉସୀଙ୍କ ଅଭିଯୋଗ ଉପରେ କାମ କରିବ ପ୍ରଶାସନ? ନା ସବୁଥର ପରି ଏଥର ବି ଖାଲି ପ୍ରତିଶ୍ରୁତି ଦେଇ ବସିପଡ଼ିବ? ଆଗାମୀ ଦିନରେ ଏହାର ଉତ୍ତର ମିଳିଯିବ। 

ମହାକାଳପଡ଼ା ବ୍ଲକ୍‌ ଅଧୀନରେ ରହିଛି ଶବରପଲ୍ଲୀ ଗାଁ। ଜଙ୍ଗଲ ମଝିରେ ଥିବା ଏହି ଗାଁରେ ୪୦ରୁ ଅଧିକ ଜନଜାତି ପରିବାର ଦୀର୍ଘବର୍ଷ ଧରି ବସବାସ କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ନିତିଦିନିଆ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖଣ୍ଡିଏ ପାଇଁ ରାଜନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ, କେତେ କାହାକୁ ନେହୁରା ହେଲେଣି। ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିଲା ନାହିଁ। ଶେଷରେ ବୁଢୀ ମାଉସୀ ଆଜି ଏମିତି କହିବାକୁ ପଡ଼ିଲା।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Cmo Of Odisha State Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe