ମହାପ୍ରଭୁଙ୍କ ପ୍ରେମରେ ଜଗନ୍ନାଥ ମଉସା; ନିଜସ୍ୱ ଉଦ୍ୟମରେ ତିଆରି କରୁଛନ୍ତି ଗୁଣ୍ଡିଚା ମନ୍ଦିର

ସାଂସାରିକ ଜୀବନରେ ବୁଡ଼ି ରହିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଛାଡ଼ି ନାହାନ୍ତି। ସୟନେ ସପନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି। ନିଜକୁ ତାଙ୍କ ପାଦ ତଳେ ସମର୍ପି ଦେଇଛନ୍ତି ଜଗନ୍ନାଥ ମଉସା।

ବାମରୁ ନିର୍ମାଣାଧୀନ ଗୁଣ୍ଡିଚା ମନ୍ଦିର ଓ ଜଗନ୍ନାଥ ମଉସା

  • Published: Wednesday, 31 January 2024
  • , Updated: 31 January 2024, 06:44 PM IST

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ଜଗନ୍ନାଥ ମଉସା। ନିଜସ୍ୱ ଉଦ୍ୟମରେ ତିଆରି କରୁଛନ୍ତି ଗୁଣ୍ଡିଚା ମନ୍ଦିର। ୭୨ ବର୍ଷ ବୟସରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶ୍ରମ ଦାନ ମଧ୍ୟ କରୁଛନ୍ତି। ହେଲେ ସେ ଏ ବୟସରେ କେବେ ହେଲେ ଥକି ପଡ଼ିନାହାନ୍ତି। ରାମମୟ ଦୁନିଆରେ ଏପରି ଭଲ ଖବର ଆସିଛନ୍ତି ନବରଙ୍ଗପୁର ଟାଉନ୍‌ରୁ।

ନବରଙ୍ଗପୁର ଟାଉନ୍‌ ରାଜୁ ସାହିରେ ବାସ କରନ୍ତି ଜଗନ୍ନାଥ ଚୌଧୁରୀ। ପରିବାର କହିଲେ ପତ୍ନୀ, ପୁଅ ଓ ଦୁଇ ଝିଅ। ପେସାରେ ସେ ଜଣେ ବେପାରୀ। ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟ ବୁଲି ବିରି, କାନ୍ଦୁଲୁ, ଧାନ ଇତ୍ୟାଦି ବିକ୍ରି କରିଥାଆନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳେ ତାଙ୍କର ତେଲ ଲୁଣର ସଂସାର। ପିଲାମାନଙ୍କୁ କେବେ ଅଭାବ ଭିତରେ ଛାଡ଼ି ନାହାନ୍ତି। ସବୁବେଳେ ଚେଷ୍ଟା କରିଛନ୍ତି ପ୍ରାଣପ୍ରିୟା ଓ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ। କେବେ ହେଲେ ଥକି ପଡ଼ିନାହାନ୍ତି। ୭୨ ବର୍ଷରେ ସେ ଚଳଞ୍ଚଳ। ଆଉ ବାପାଙ୍କ ପରିଶ୍ରମକୁ ସାର୍ଥକ କରିଛନ୍ତି ପିଲାମାନେ। ପାଠ ପଢ଼ି ଏକ ମାତ୍ର ପୁଅ ଶିକ୍ଷକତା କରୁଛନ୍ତି। ଜଗନ୍ନାଥ ଚୌଧୁରୀ ନିଜର ଦୁଇ ଝିଅଙ୍କୁ ବାହାଘର ମଧ୍ୟ କରାଇ ଦେଇଛନ୍ତି।

ସାଂସାରିକ ଜୀବନରେ ବୁଡ଼ି ରହିଥିଲେ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଛାଡ଼ି ନାହାନ୍ତି। ସୟନେ ସପନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି। ନିଜକୁ ତାଙ୍କ ପାଦ ତଳେ ସମର୍ପି ଦେଇଛନ୍ତି ଜଗନ୍ନାଥ ମଉସା। ସେଥିପାଇଁ ଆଜକୁ ୧୫ ବର୍ଷ ତଳେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣରେ ଆର୍ଥିକ ସହାୟତା କରିଥିଲେ। ଖାଲି ସେତିକି ନୁହେଁ, ଜଗନ୍ନାଥ ମନ୍ଦିର କ୍ୟାମ୍ପସରେ ମାଆ ଲକ୍ଷ୍ମୀ ମନ୍ଦିର ନିର୍ମାଣ ମଧ୍ୟ କରିଥିଲେ। ସେଥିପାଇଁ ସେ ସବୁ ଅର୍ଥ ଦାନ କରିଥିଲେ। ଜଗନ୍ନାଥ ଚୌଧୁରୀଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ଭୁରୀ ଭୁରୀ ପ୍ରଶଂସା କରିଥିଲେ। ଏଥିରେ ସେ କେବେ ହେଲେ ଉତ୍‌ଫୁଲିତ ହୋଇନଥିଲେ। ବରଂ ତାଙ୍କୁ ଅଧିକ କାମ କରିବା ପାଇଁ ଶକ୍ତି ଦେଇଥିଲା।

ସେପଟେ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ୫୦୦ ମିଟର ଦୂରରେ ନିର୍ମାଣ ହୋଇଥିବା ପୁରୁଣା ଗୁଣ୍ଡିଚା ମନ୍ଦିରଟି ବିପଦସଙ୍କୁଳ ଅବସ୍ଥାକୁ ଚାଲି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଜଗନ୍ନାଥ ମଉସା। ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ଏନେଇ ସେ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ୨୦୨୨ ଅଗଷ୍ଟ ୧୭ ତାରିଖରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ ନବରଙ୍ଗପୁର ଜିଲ୍ଲାପାଳ। ତା’ପରେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଲେ ଜଗନ୍ନାଥ ମଉସା।

ଗୁଣ୍ଡିଚା ମାଆଙ୍କ ମନ୍ଦିର ତିଆରି ହେବ। ସେଥିପାଇଁ ନିଜର ପେସା(କାନ୍ଦୁଲ, ବିରି ବେପାର)ଠାରୁ ଦୂରେଇ ଗଲେ ଜଗନ୍ନାଥ ମଉସା। ଆଉ ମନ୍ଦିର ତିଆରି ନିଜକୁ ନିୟୋଜିତ କରିଥିଲେ। ପ୍ରତିଦିନ ସକାଳେ ଗାଧୋଇ ଘରୁ ବାହାରି ଆସୁଥିଲେ ଜଗନ୍ନାଥ ମଉସା। ମନ୍ଦିର ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସହିତ ମିଶି କାମ କରୁଥିଲେ। ସଞ୍ଜ ହେଲେ ଘରକୁ ଫେରୁଥିଲେ। ଆଜି ପର୍ଯ୍ୟନ୍ତ ସେ ଗୁଣ୍ଡିଚା ମନ୍ଦିର ନିର୍ମାଣରେ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ମନ୍ଦିର ପୂର୍ଣ୍ଣାଙ୍ଗ ରୂପ ନେବା ପାଇଁ ଆଉ ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବ।

ନିର୍ମାଣାଧୀନ ଗୁଣ୍ଡିଚା ମନ୍ଦିର କ୍ୟାମ୍ପସରେ ବାମ ପାର୍ଶ୍ୱରେ ରାମ, ଲକ୍ଷ୍ମଣ, ସୀତା ମନ୍ଦିର ସହ ଡାହାଣ ପାର୍ଶ୍ୱରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ ଚାଲିଛି। ନିର୍ମାଣା ହେଉଥିବା ଗୁଣ୍ଡିଚା ମନ୍ଦିର ଉଚ୍ଚତା ୫୦ ଫୁଟ ରହିଛି। ଫାଉଣ୍ଡେସନର ଉଚ୍ଚତା ୫ ଫୁଟ ରହିଥିବା ବେଳେ ମନ୍ଦିରଟି ୨୫ ଫୁଟ ଓ ମନ୍ଦିରର ମୁଣ୍ଡି ୧୦ ଫୁଟ ଉଚ୍ଚତା ରହିଛି। ବର୍ତ୍ତମାନ ମନ୍ଦିରର ୯୦ ପ୍ରତିଶତ କାମ ସରିଗଲାଣି। ଫେବୃଆରୀ ୨ ତାରିଖରେ ମନ୍ଦିରରେ ରତ୍ନମୁଦ କାର୍ଯ୍ୟକ୍ରମ ରହିଥିବା ବେଳେ ତାହାର ସମସ୍ତ ଖର୍ଚ୍ଚ ମଧ୍ୟ ଜଗନ୍ନାଥ ମଉସା ବହନ କରିବେବୋଲି ଜଣାପଡ଼ିଛି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Related story