ଚାଲିବା ପାଇଁ ପାଦରେ ବଳ ନାହିଁ। ଦେହରେ ଶକ୍ତି ମଧ୍ୟ ନାହିଁ। ଅଣ୍ଟା ବାଙ୍କି ଗଲାଣି। ମୁଣ୍ଡ ଉପରେ ଗାମୁଛାଟିଏ ଗୋଡ଼ାଇ ଦେଇ ଚାଇଁ ଚାଇଁ ଖରାରେ ବାଡ଼ିକୁ ଆଶ୍ରା କରି ଚାଲି ଚାଲି ପଞ୍ଚାୟତ ଅଫିସ୍ ଆସୁଛନ୍ତି ୮୦ ବର୍ଷୀୟା ବୃଦ୍ଧା ବାରୀ ଦେହୁରୀ। ଖାସ୍ ଭତ୍ତା ଟଙ୍କା ଗଣ୍ଡାକ ପାଇଁ। ଭତ୍ତା ଟଙ୍କା ଉଠାଇବା ପରେ ସେ ଛଳ ଛଳ ଆଖିରେ କହିଛନ୍ତି, ବାବୁ ଠିକ୍ରେ ଚାଲି ପାରୁନାହିଁ। ଆଉ ଭତ୍ତା ଟଙ୍କା ନେବା ପାଇଁ ଆସିପାରିବି ନାହିଁ। ବାବୁ ଘରେ ଭତ୍ତା ଟଙ୍କା ଦିଅନ୍ତୁ...। ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଆସିଛି ଏମିତି ବିକଳ ଚିତ୍ର। ଯାହା ପ୍ରତ୍ୟକ ବ୍ୟକ୍ତିର ହୃଦୟକୁ ଦୋହଲାଇଦେବ।
ଖଣି ଖାଦାନ ଭରା କୋଇଡା ବ୍ଲକ୍ କାଲଟା ପଞ୍ଚାୟତ ତୋଡା ଗାଁରେ ବାରୀ ଦେହୁରୀଙ୍କ ଘର। ବୟସ ୮୦ ବର୍ଷ ହେଲାଣି। ପରିବାର କହିଲେ ଏକମାତ୍ର ପୁଅ ବାବନ ଦେହୁରୀ। ସେ ପୁଣି ମାନସିକ ବିକୃତ। ଘରେ ରହୁନାହିଁ। ପୁଅର ମାନସିକ ସ୍ଥିତି ଭଲ ନଥିବାରୁ ଏ ଆଡେ ସେ ଆଡେ ଘୂରି ବୁଲୁଛି। ତେଣୁ ଅନେକ ସମୟରେ ଘରେ ଏକାକୀ ଜୀବନ ବିତାଉଛନ୍ତି ବୃଦ୍ଧା ବାରୀ। ଚାଲିବା ପାଇଁ ପାଦରେ ବଳ ନାହିଁ କି ଦେହରେ ଶକ୍ତି ନାହିଁ। ତେଣୁ କାମ ଦାମ କରିବା ପାଇଁ ଯାଇପାରୁ ନାହାନ୍ତି। ଜୀବନ ଜୀଇଁବାର ଏକମାତ୍ର ଉତ୍ସ ହେଉଛି ବାର୍ଦ୍ଧକ୍ୟ ଭତ୍ତା। ସେଥିପାଇଁ ମଧ୍ୟ ଅନେକ ସଂଗ୍ରାମ କରିବାକୁ ପଡ଼ୁଛି।
ମିଳିଥିବା ସୂଚନା ମୁତାମକ, ତୋଡ଼ା ଗାଁରୁ କାଲଟା ପଞ୍ଚାୟତ ଅଫିସ୍ ଦୂରତା ୪ କିଲୋମିଟର। ତା’ ମଝିରେ ପୁଣି ରହିଛି କାଲଟା ଘାଟି। ପାଦେ ପାଦେ ଜୀବନ ପ୍ରତି ବିପଦ ରହିଛି। ଲୁହା ପଥର ବୋଥର ବୋଝେଇ ଟ୍ରକ୍ର ଲମ୍ୱା ଲାଇନ୍। ତାହାରି ଭିତରେ ବାଡ଼ିକୁ ଆଶ୍ରା କରି ବାର୍ଦ୍ଧକ୍ୟ ଜୀବନକୁ ଧରି ଚାଲି ଚାଲି ପଞ୍ଚାୟତ ଅଫିସ୍ ଆସୁଛନ୍ତି ବାରୀ ମାଉସୀ। ଆଉ ଅନ୍ୟମାନଙ୍କ ପରି ଧାଡ଼ିରେ ଛିଡ଼ା ହୋଇ ଭତ୍ତା ଟଙ୍କା ଧରି ଗାଁକୁ ଫେରୁଛନ୍ତି। ଆଜି ଭତ୍ତା ଟଙ୍କା ଧରି ଗାଁକୁ ଫେରିବା ବେଳେ ବାରୀ ମାଉସୀ ଅଧା ବାଟରେ ଥକି ପଡ଼ିଥିଲେ। ତେଣୁ ଅଧା ରାସ୍ତାରେ ବସି ପଡ଼ିଥିଲେ। ସେହି ସମୟରେ ନିଜ ମନ ଭିତରେ ଥିବା ଅକୁହା କୋହକୁ ବଖାଣି ପକାଇ ଥିଲେ। ଛଳ ଛଳ ଆଖିରେ କହିଥିଲେ, ମୁଁ ଆଉ ଚାଲି ପାରୁନାହିଁ। ମୋ’ ଘରେ କଣ ଭତ୍ତା ଟଙ୍କା ଦିଆଯାଉନି କାହିଁକି?
ସୂଚନାରୁ ପ୍ରକାଶ, ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଘରେ ବାର୍ଦ୍ଧକ୍ୟ ଭତ୍ତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ସତ୍ତ୍ୱେ ଜଣେ ୮୦ ବର୍ଷୀୟା ମହିଳାଙ୍କୁ ୪ କିମିର ଘାଟି ରାସ୍ତା ଚାଲିବାକୁ ପଡୁଛି। ତାହାହେଲେ କାହା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ?
ରିପୋର୍ଟ- କୋଇଡ଼ାରୁ ସୁନୀଲ ପଣ୍ଡା