Advertisment

ଅଦିନ ଝଡ଼ରେ ଉଡ଼ିଗଲା ଛପର; ଆବର୍ଜନା ଘରେ ରହୁଛନ୍ତି ୪ ପ୍ରାଣୀ କୁଟୁମ୍ବ

ଦୁଃଖ କଷ୍ଟ ହେଲେ ମଧ୍ୟ ଚଳିଯାଉଥିଲା ତେଲ ଲୁଣ ସଂସାର। ହଠାତ୍ ଦିନେ ମାଡ଼ି ଆସିଲା ଅଦିନ ଝଡ଼। ଆଉ ସେହି ଝଡ଼ରେ ଉଡ଼ିଗଲା ବଗଙ୍କ ଝାଟି ମାଟିର ଘର। ମୁଣ୍ତ ଉପରୁ ଛାତ ଉଡ଼ିଯିବା ପରେ ପୂରା ବେସାହାରା ହୋଇଗଲେ ବଗ। ଏବେ ପରିବାରକୁ ନେଇକି ରହିବେ କୋଉଁଠି ?

author-image
Manoj Swain
ଅଦ୍ୟତନ ହୋଇଛି
Keonjhar

Keonjhar

ଅଦିନ ଝଡ଼ରେ ଉଡ଼ିଗଲା ନିଡ଼। ହେଲେ ସଜାଡ଼ି ପାରିଲେ ନାହିଁ। ସହାୟତା ମାଗି ମାଗି ନୟାନ୍ତ ହେଲେ। କେହି ସାହାୟତାର ହାତ ବଢ଼ାଇଲେ ନାହିଁ। ଶେଷରେ ସରପଞ୍ଚଙ୍କ ଦୟାରେ ଆବର୍ଜନା ଘରେ ମୁଣ୍ଡ ଗୁଞ୍ଜିଲେ। ବାସ୍‌ ତା’ପରଠାରୁ ଦୀର୍ଘ ଦୁଇ ବର୍ଷ ହେଲା ଅଳିଆ ଘରେ ରହୁଛନ୍ତି ୪ ପ୍ରାଣୀ କୁଟୁମ୍ବ। ଦାରିଦ୍ର୍ୟର ଏପରି ବିକଳ ଚିତ୍ର ସାମ୍ନାକୁ ଆସିଛି ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ।

Advertisment

ସଦର ବ୍ଲକ ବରଦାପାଳ ଗାଁରେ ବାସ କରନ୍ତି ବଗ ମୁଣ୍ଡା। କାମ ଦାମ କରି ଚଳୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ବଗଙ୍କ ପରିବାର କହିଲେ ପତ୍ନୀ ବୁଧୁନି ମୁଣ୍ଡା ଓ ଦୁଇ ପୁଅଝିଅ। ଦୁଃଖ କଷ୍ଟ ହେଲେ ମଧ୍ୟ ଚଳିଯାଉଥିଲା ତେଲ ଲୁଣର ସଂସାର। ହଠାତ୍ ଦିନେ ମାଡ଼ି ଆସିଲା ଅଦିନ ଝଡ଼। ଆଉ ସେହି ଝଡ଼ରେ ଉଡ଼ିଗଲା ବଗଙ୍କ ଝାଟି ମାଟିର ଘର। ମୁଣ୍ଡ ଉପରୁ ଛାତ ଉଡ଼ିଯିବା ପରେ ପୂରା  ବେସାହାରା ହୋଇଗଲା ପରିବାର। ରହିବେ କୋଉଠି ? ସେହି ଚିନ୍ତା ତାଙ୍କୁ ଘାରିଥିଲା।

ଘର ଭାଙ୍ଗିବା ନେଇ ବଗ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଗୁହାରି କରିଥିଲେ। ସବୁ ଶୁଣିବା ପରେ ବରଦାପାଳ ସରପଞ୍ଚ ଗଣେଶ ମୁଣ୍ଡା ପଲଥିନଟିଏ ଦେବା ପରିବର୍ତ୍ତେ ପଞ୍ଚାୟତ ନିକଟସ୍ଥ ଆବର୍ଜନା ଘରେ ରହିବାକୁ ପରାମର୍ଶ ଦେଇଥିଲେ। ତାହା ପରଠାରୁ ବଗ ଓ ତାଙ୍କ ପରିବାର ସେହି ଘରେ ରହି ଆସୁଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨ ବର୍ଷ ହେଲା ସେହି ଅଳିଆ ଘରେ ପରିବାର ସହ ରହୁଛନ୍ତି ବଗ ମୁଣ୍ତା। ଏହାରି ଭିତରେ ସେ ଘର ଖଣ୍ତିଏ ଯୋଗାଇ ଦେବାକୁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ କେତେ କାହାକୁ ନେହୁରା ହୋଇଛନ୍ତି। ହେଲେ କହି ଏଥିପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି।

Advertisment

ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ମାସରେ ସଦର ବ୍ଲକ ବିଡ଼ିଓ ପଞ୍ଚାୟତ ଅଫିସକୁ ଏକ ସରକାରୀ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ। ସେତେବେଳେ ତାଙ୍କ ନଜର ଅଳିଆ ଘରେ ରହୁଥିବା ବଗ ମୁଣ୍ଡାଙ୍କ ଉପରେ ପଡ଼ିଥିଲା। ଏହା ସତ୍ତ୍ୱେ କୌଣସି ବ୍ୟବସ୍ଥା କଲେ ନାହିଁ। ଯାହା ଫଳରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଏହି ପରିବାର। ମଙ୍ଗଳବାର ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଅଳିଆ ଘରେ ପରିବାର ରହିବା ଘଟଣା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ତେବେ ସରପଞ୍ଚ ଗଣେଶ ମୁଣ୍ଡା କହିଛନ୍ତି, ବଗ ମୁଣ୍ଡାଙ୍କ ଘର ବର୍ଷା ପବନରେ ଭାଙ୍ଗି ଯାଇଥିଲା। ଆବାସ ଯୋଜନାରେ ଘର ଆବେଦନ କରାଯାଇଛି। ହେଲେ ତାଙ୍କ ନାରେ ଘର ଆସିନାହିଁ। ତାଙ୍କର ଘର ନ ଥିବାରୁ ବର୍ଜ୍ୟବସ୍ତୁ ସଂଗ୍ରହ ଘରେ ରହିବାକୁ ଦିଆଯାଇଛି । ବିଡିଓଙ୍କୁ ମଧ୍ୟ ବଗ ମୁଣ୍ଡାଙ୍କର ଘର ଭାଙ୍ଗିଯିବା ଓ ଆବାସ ଯୋଜନାରେ ଘର ଦେବା ସମ୍ପର୍କରେ ଅବଗତ କରିଛନ୍ତି ବୋଲି ଗଣେଶ କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Odisha Kendujhar