ଜାତିଆଣର ମାୟାଜାଲ୍ରେ ଛନ୍ଦି ହୋଇ ପଡ଼ିଛି ଗୋଟିଏ ମାଆ। ବୁକୁ ଫଟାଇ କାନ୍ଦୁଛି... ଚିତ୍କାର କରୁଛି... କେତେ ନେହୁରା ହେଉଛି। ହେଲେ ଜଡ଼ ସଦୃଶ ଜାତିଆଣ କାନ୍ଥର ଛିଦ୍ରରେ ଏ ଆର୍ତ୍ତନାଦ ଚିତ୍କାର ପଶି ପାରୁନାହିଁ। ତେଣୁ ଅସହାୟ ମାଆଟି ଅତି ନିକଟରେ ଥାଇ ମଧ୍ୟ ନାନା ଯନ୍ତ୍ରଣା ପାଇ ଜନ୍ମ ଦେଇଥିବା ପୁଅର ମୃତଦେହ ଦେଖିପାରୁନି। ଶେଷ ଯାତ୍ରା ବେଳେ ମଲା ପୁଅକୁ ଥରୁଟିଏ ନିଜ କୋଳରେ ଶୁଆଇ ପାରୁନି। ଏ ଅସହାୟତା ଗୋଟେ ମାଆକୁ ଯେତିକି ଯନ୍ତ୍ରଣା ଦେଇଛି, ତାହାଠାରୁ ଅଧିକ ଯାତନା ଦେଇଛି। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର।
ସଇଁନ୍ତଲା ବ୍ଳକ ବରାହଗୁଡା ଗାଁର ସୁରୁବାଲି ବଗର୍ତ୍ତିଙ୍କ ସାନ ପୁଅ ହେଉଛନ୍ତି ଉପେନ୍ଦ୍ର ବଗର୍ତ୍ତି। ୧୫ ବର୍ଷ ତଳେ ସେ ସମ୍ୱଲପୁର ଜିଲ୍ଲାର ଭାଗ୍ୟଲତା ନାଏକଙ୍କୁ ପ୍ରେମ ବିବାହ କରିଥିଲେ। ଭିନ୍ନ ଜାତି ହୋଇଥିବାରୁ ଉପେନ୍ଦ୍ରଙ୍କୁ ସାହିଭାଇ ବାସନ୍ଦ କରିବା ପାଇଁ ଧମକ ଦେଇଥିଲେ। ଯେଉଁଥିପାଇଁ ଉପେନ୍ଦ୍ର ଓ ତାଙ୍କ ପତ୍ନୀ ସମ୍ୱଲପୁର ପଳାଇ ଯାଇଥିଲେ। ଟାଉନ୍ରେ ଉଭୟ ଘର ଭଡ଼ା ନେଇ ରହୁଥିଲେ। ଉପେନ୍ଦ୍ର ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲା ପରିବାର। ଉପେନ୍ଦ୍ରଙ୍କ ପରିବାର କହିଲେ ପତ୍ନୀ ଭାଗ୍ୟଲତା ଓ ଦୁଇ ଝିଅ।
ଦୁଃଖେ ସୁଖେ ଚାଲିଥିଲା ଉପେନ୍ଦ୍ରଙ୍କ ସଂସାର। ହେଲେ ହଠାତ୍ ଉପେନ୍ଦ୍ର ଅସୁସ୍ଥ ହେଲେ। ତେଣୁ ପୂରା ପରିବାର ଧରି ଉପେନ୍ଦ୍ର ଗାଁକୁ ଫେରି ଆସିଥିଲେ। ଉପେନ୍ଦ୍ର ଘରକୁ ଫେରିଥିବା ଜାଣି ଗାଁ ଲୋକେ ବାସନ୍ଦ ଭୟ ଦେଖାଇଥିଲେ। ଘରୁ ବାହାର କରିବା ପାଇଁ କହିଥିଲେ। ସେପଟେ ଉପେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ରୋଗୀଣା ସ୍ୱାମୀଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ ଭାଗ୍ୟଲତା। ତାଙ୍କୁ ପୁରୁଷ ମେଡ଼ିସିନ୍ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା।
ଶୁକ୍ରବାର ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର। ଖବର ପାଇ ମେଡ଼ିକାଲ୍ରେ ପହଞ୍ଚିଥିଲେ ଉପେନ୍ଦ୍ରଙ୍କ ମାଆ ସୁରୁବାଲି ଓ ଭାଇ ନୀଲେନ୍ଦ୍ର। କିନ୍ତୁ ମୃତଦେହ ପାଖକୁ ଯାଇପାରିଲେ ନାହିଁ। କାରଣ ମନ ଭିତରେ ସାହିଭାଇଙ୍କ ନାଲି ଆଖିର ଭୟ ଥିଲା। ପୁଅର ମୃତଦେହ ଗାଁକୁ ନେଲେ ଜାତି ଭାଇଙ୍କୁ ବୋଦା, କୁକୁଡା, ଟଙ୍କା ଓ ମଦ ଦେବାକୁ ପଡ଼ିବ। ତେଣୁ ଦାରିଦ୍ର୍ୟର ନାନା ଯନ୍ତ୍ରଣା ପେଶି ହେଉଥିବାରୁ ପାଖରେ ବା ଏତେ ଟଙ୍କା କାହିଁ? ତେଣୁ ଅସହାୟ ମାଆଟିଏ ହୋଇ ଆଖିରୁ ଅବାରିତ ଲୁହ ବୁହାଉଥିଲେ। କେଇ ହାତ ଦୂରରେ ନିଜ ଅନ୍ତ ଚାରି ଜନ୍ମ ଦେଇଥିବା ପୁଅ ମୃତଦେହ ପଡ଼ିଥିଲେ ସୁଦ୍ଧା ଶେଷ ସମୟରେ ଟିକେ ଧରିପାରିଲେ ନାହିଁ। ତେଣୁ ମେଡ଼ିକାଲ୍ ବାରଣ୍ଡାରେ ପ୍ରାୟ ୧୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିଥିଲା ଉପେନ୍ଦ୍ରଙ୍କ ମୃତଦେହ।
ମୃତ ଉପେନ୍ଦ୍ରଙ୍କ ଭାଇ ନୀଲେନ୍ଦ୍ର କହିଛନ୍ତି, ରାତିରେ ଖବର ପାଇଲି ଉପରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଛି। ତେଣୁ ଯିବା ପାଇଁ ଚାହିଁଲି। ଗାଁ ଲୋକେ କହିଲେ, ତୋ ଭାଇ ତୁ ଯାଆ। ଆଉ କେହି ଯିବେନି। ତେଣୁ ଆସିଲା ବେଳକୁ ତାର ମୃତ୍ୟୁ ହୋଇଛି। ଏବେ ପୁଣି ମୋତେ ଜାତି ହେବାକୁ ପଡ଼ିବ। କୁମୁଡ଼ା, ମଦ, ମାଂସ ଦେବାକୁ ପଡ଼ିବ। ନହେଲେ ଜାତି ହୋଇପାରିବି ନାହିଁ ବୋଲି ନୀଲେନ୍ଦ୍ର କହିଛନ୍ତି।
ନିୟମ କହୁଛି, ମୃତଦେହକୁ କେହି ନନେଲେ, ମର୍ଗରରେ ରଖାଯାଇ ପୁଲିସକୁ ଖବର ଦିଆଯାଏ। ତା’ପରେ ମୃତଦେହ ସତ୍କାର ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯାଇଥାଏ। କିନ୍ତୁ ଏଠି ଦାୟିତ୍ୱରେ ଥିବା ଡାକ୍ତର କିମ୍ୱା ନର୍ସଙ୍କୁ ଏ ସମ୍ପର୍କରେ କିଛି ଜଣାନଥିଲା। ତେଣୁ ଅନ୍ୟ ରୋଗୀଙ୍କ ଭିତରେ ଦଶଘଣ୍ଟା ଧରି ପଡି ରହିଥିଲା ଉପେନ୍ଦ୍ରଙ୍କ ମୃତଦେହ। ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ଏଭଳି ହେବା କଥା ନୁହେଁ। ଘଟଣାର ତଦନ୍ତ କରିବି ବୋଲି ହସ୍ପିଟାଲ ଅଧିକ୍ଷକ କହିଛନ୍ତି। ହେଲେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ପିଟାଲ ଓ ଜିଲ୍ଲା ପ୍ରଶାସନର ନିରବତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୃତଦେହ ସଂସ୍କାର କରିଥିବା ସ୍ୱେଚ୍ଛାସେବୀ।
ରିପୋର୍ଟ- ବଲାଙ୍ଗିରରୁ ମନରଞ୍ଜନ ଯୋଶୀ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।