Advertisment

‘ଆମ ପିଲା ତ ମୁର୍ଖ ହେଲେ, ତେବେ ଏ ସରକାର କାହାପାଇଁ ?’

ଗ୍ରାମବାସୀ ଉମା ଯାନୀ ଓ ସବିତା ଯାନୀ କହିଛନ୍ତି, ‘ପକ୍କା ରାସ୍ତା ତ ଦୂରର କଥା ଭଲ ପାଦ ଚଲା ରାସ୍ତା ଟିଏ ଆମ ଗାଁକୁ ନାହିଁ। ଗାଁକୁ ଲାଇନ୍‌ ସଂଯୋଗ ସୁବିଧାକୁ ପ୍ରଶାସନିକ କଳ ଅଟକାଇ ଦେଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Nepal Village

Nepal Village

‘ଆମେତ ମୁର୍ଖ। ଆମ ପିଲାବି ମୁର୍ଖ ହେଲେ। ଏଠି ପାଠପଢ଼ିବାର ସୁବିଧା ନାହିଁ। ଗାଁକୁ ରାସ୍ତା, ପିଇବାକୁ ପାଣି ନାହିଁ। ଡିବିରି ଆଲୁଅ ଉପରେ ଭରସା। ଫୋନ୍‌ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ନାହିଁ। ଜଙ୍ଗଲରୁ ଘାସ କାଟି ଆଣି ଚାଳ ଛପର କରୁଥିଲି। ତାକୁ ବି ବନ୍ଦ କରିଦେଲେ। ପକ୍କାଘର ଯୋଜନା ଆମ ପାଇଁ ସାତ ସପନ। ଭଲ ରାସ୍ତା ନ ଥିବାରୁ ଜଙ୍ଗଲ ଭିତରେ ଯିବା ବେଳେ ଗର୍ଭବତୀମାନେ ବିପତିର ସାମ୍ନା କରୁଛନ୍ତି। ତେବେ ଏ ସରକାର କାହାପାଇଁ ? ଆମେ ବଞ୍ଚିବୁ କେମିତି ?’ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନେପାଳ ଗ୍ରାମବାସୀ ସରକାରଙ୍କୁ କରିଛନ୍ତି ଏହି ପ୍ରଶ୍ନ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ନିର୍ବାଚନ ବେଳେ ନେତା ଆସି ପ୍ରତିଶ୍ରୁତି ଦେଉଛନ୍ତି, ନିର୍ବାଚନ ଜିତିବା ପରେ ସରକାର ଆଉ ଆମକୁ ଚାହୁଁନି। ପିଲାମାନଙ୍କ ଭବିଷ୍ୟତ ମାଟି ହୋଇଯାଉଥିବା କହିବା ବେଳେ ଅନେକଙ୍କ ଆଖି ଲୁହ ଛଳଛଳ ମଧ୍ୟ ହୋଇଯାଉଛି।

Advertisment

ନୟାଗଡ଼ ହେଡ୍‌କ୍ୱାର୍ଟର୍ସ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଏବଂ ବାଣ୍ଠପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫ କିଲୋମିଟର ଦୂରରେ ରହିଛି ଏହି ଗାଁ। ବଣ ଜଙ୍ଗଲ ଘେରା ଏହି ଗାଁରେ ୩୦ ପରିବାରର ୧୫୦ ଲୋକ ବସବାସ କରନ୍ତି। ହେଲେ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଏଠାରେ ବିକାଶର ବ’ ଅକ୍ଷର ଦେଖିବାକୁ ମିଳୁନି। ସମସ୍ତେ ଝୁପୁଡ଼ି କିମ୍ବା ଝାଟିମାଟି ଚାଳ ଘରେ ବସବାସ କରୁଛନ୍ତି। ଶିକ୍ଷାର ସୁବିଧା ମିଳୁ ନ ଥିବାରୁ କୋମଳମତି ଶିଶୁମାନେ ଦୁନିଆର ଆଲୋକ ଦେଖିପାରୁନାହାନ୍ତି।

ଏଠାରେ ସଞ୍ଜ ନଇଁଲେ ତାଟି କବାଟ ପଡ଼ିଯାଏ। ସରକାରଙ୍କ ଅଧିକାଂଶ ମୌଳିକ ସୁବିଧା ଏଠାକାର ଲୋକଙ୍କୁ ମିଳୁନି। ନିରକ୍ଷରତା ଯୋଗୁ ସରକାରୀ ସୁବିଧା ବିଷୟରେ ଏମାନେ ସେତେଟା ସଚେତନ ନୁହଁନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ଗାଁର ଲୋକଙ୍କୁ ସାମାଜିକ ନ୍ୟାୟ ଦେବାରେ ଅବହେଳା କରିଚାଲିଛି। ଫଳରେ ଏମାନଙ୍କ ବିକାଶ ହୋଇପାରୁନି। ଆଦିବାସୀଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ମାଳମାଳ ଯୋଜନା ଏଠାରେ ପ୍ରହସନ ହୋଇଛି। ହେଲେ ବିକାଶର ଶୀର୍ଷ ଛୁଇଁଥିବା ଡିଣ୍ଡିମ ପିଟି ବାଃ ବାଃ ନେଉଛନ୍ତି ସରକାର।

Advertisment

ଏଠାରେ ପ୍ରଶ୍ନ କୁଆଡେ ଗଲା ମା'କୁ ସମ୍ମାନ ଆଉ ଗାଁକୁ କାମ ? ଗାଁରେ ନାହିଁ ସ୍କୁଲ କି ଅଙ୍ଗନବାଡି ଗୃହ। ଗାଁ’ର ଅଧିକାଂଶ ଆବାଳ ବୃଦ୍ଧମାନେ ଓଡ଼ିଆ ବର୍ଣ୍ଣଟିଏ ମଧ୍ୟ ଚିହ୍ନି ପାରନ୍ତିନି। ଏମାନଙ୍କ ଭବିଷ୍ୟତ ଭଗବାନଙ୍କ ଭରସାରେ ଛାଡ଼ିଦେବା କେତେଦୂର ଠିକ୍ ? ୫-ଜି ସ୍ୱପ୍ନ ଦେଖାଉଥିବା ସରକାର ଏଠାରେ ସାଧାରଣ ନେଟୱାର୍କ ସେବା ମଧ୍ୟ ଦେଇପାରିନି। ଗୋଟିଏ ମିନିଟ ଲାଇନ କଟିଲେ ଅଣନିଶ୍ୱାଶୀ ଲାଗୁଛି। ଅଥତ ଏହି ଗାଁକୁ ଯୁଗଯୁଗ ଧରି ନାହିଁ ବିଦ୍ୟୁତ ସେବା। ଡିବିରି ଆଲୁଅ ପାଖରେ ଏଠାର ବିକାଶ ଅଟକି ପଡ଼ିଛି।

ଗ୍ରାମବାସୀ ଉମା ଯାନୀ ଓ ସବିତା ଯାନୀ କହିଛନ୍ତି, ‘ପକ୍କା ରାସ୍ତା ତ ଦୂରର କଥା ଭଲ ପାଦ ଚଲା ରାସ୍ତା ଟିଏ ଆମ ଗାଁକୁ ନାହିଁ। ଗାଁକୁ ଲାଇନ୍‌ ସଂଯୋଗ ସୁବିଧାକୁ ପ୍ରଶାସନିକ କଳ ଅଟକାଇ ଦେଇଛି। ତେଣୁ ଗାଁ’ର କେହିକେହି ସୋଲାର ଲାଇଟ୍ କିଣି ଚଳୁଛନ୍ତି। ପାହାଡ଼ିଆ ଅଞ୍ଚଳରେ ଧାନ ଫସଲ କରିବା ସମ୍ଭବ ହେଉ ନ ଥିବାରୁ ପାଳର ଅଭାବରେ ଏଠାକାର ଲୋକେ ଜଙ୍ଗଲରୁ ବାଗୁଲି ଛଣ ଆଣି ଘର ଛପର କରୁଥିଲେ। ଜଙ୍ଗଲ ବିଭାଗ ଏହା ଉପରେ ମଧ୍ୟ ରୋକ ଲଗାଇଛି। ଗାଁରେ ଗୋଟିଏ ହେଲେ ପକ୍କାଘର ନାହିଁ। ଏହି ଗାଁରେ ପଞ୍ଚମ ପାସ କରିଥିବା ଜଣେ ହେଲେ ବି ପିଲା କି ବୃଦ୍ଧ ନାହାନ୍ତି। ଜଙ୍ଗଲରୁ ପତ୍ର ତୋଳି ଖଲି କରିବା ପରେ ବଜାରରେ ବିକ୍ରି କରି କିମ୍ବା ମୂଲ ଲାଗି ଲୋକେ ପେଟ ପୋଷୁଛନ୍ତି। ପୁଷ୍ଟିକର ଖାଇବା ମିଳୁନି। ଅନେକ ସମୟରେ ଏଠାକର ଲୋକେ ଖାଲି ଭାତ ଖାଇ ବଂଚୁଛନ୍ତି।

ଏହି ଗାଁ ଠାରୁ ୫ କିଲୋମିଟର ଦୂର ଜଙ୍ଗଲ ରାସ୍ତା ଦେଇ ଗଲେ ରହିଛି ବାଣ୍ଠପୁର ସ୍କୁଲ। ଜଙ୍ଗଲରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଉତ୍ପାତ ରହିଥିବାରୁ ପ୍ରତିଦିନ ଏତେଦୂର ଯାଇ ପିଲାମାନେ ପାଠ ପଢିବା ସମ୍ଭବ ହେଉନି। ସ୍କୁଲରେ ରହି ପାଠପଢ଼ିବା ସୁବିଧା ମଧ୍ୟ ନାହିଁ। ତେଣୁ ଭଗବାନଙ୍କୁ ଡାକିବା ଛଡ଼ା ଅନ୍ୟ ଉପାୟ ନାହିଁ। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ କି ଦମକଳ ଆବଶ୍ୟକ ବେଳେ ଆସିପାରୁନି। ଗର୍ଭବତୀଙ୍କୁ ଲୋକେ ଦୋଳାରେ ଭର୍ତ୍ତି କରି ମେଡିକାଲ ନିଆଯାଉଥିବା କହିଛନ୍ତି ଉମା ଓ ସବିତା।

ଏନେଇ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି, ‘ମୁଁ ନିଜେ ଏ ସ୍ଥିତି ଅନୁଧ୍ୟାନ କରିବି। ପରେ ଯାହା ବ୍ୟବସ୍ଥା କରାଯାଇପାରିବ କରିବି।’

ରିପୋର୍ଟ ନୟାଗଡ଼ରୁ ଜିତେନ୍ଦ୍ର ବେହେରା

Village Electrification Tribal Issues