Advertisment

ବାଡ଼ିକୁ କରିଛନ୍ତି ଆୟୁର୍ବେଦର ପ୍ରୟୋଗଶାଳା, ଲଗାଇଛନ୍ତି ୫୦ ପ୍ରକାର ଗୁଳ୍ମଲତା

ଚଞ୍ଚଳ ସାଗର ଦୁରିଆଙ୍କ ଏପରି ନିଶାକୁ ପତ୍ନୀ ସୂର୍ଯ୍ୟକାନ୍ତି ଦୁରିଆ ପ୍ରଥମେ ପ୍ରଥମେ ବିରୋଧ କରୁଥିଲେ। ଏବେ କିନ୍ତୁ ଆଉ ବିରୋଧ କରୁନାହାନ୍ତି। ବରଂ କାମରେ ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି। ସବୁବେଳେ ସ୍ୱାମୀଙ୍କ ପାଖେ ପାଖେ ରହୁଛନ୍ତି।

author-image
Manoranjan Sial
Nuapada

Nuapada

ପେଶାରେ ଜଣେ ଚାଷୀ। ହେଲେ ନିଜ ବାଡ଼ିକୁ ସେ କରିଛନ୍ତି ଆୟୁର୍ବେଦର ପ୍ରୟୋଗଶାଳା। ଲଗାଇଛନ୍ତି ୫୦ ପ୍ରକାରରୁ ଅଧିକ ଔଷଧୀୟ ଗୁଳ୍ମ ଲତା। ଆଉ ଦୀର୍ଘ ୧୯ ବର୍ଷ ହେଲା ଲୋକଙ୍କୁ ଆୟୁର୍ବେଦିକ ମେଡ଼ିସିନ୍‌ର ଉପକାରିତା ସମ୍ପର୍କରେ ବତାଉଛନ୍ତି। ଏପରି ଭଲ ଖବର ଆସିଛି ନୂଆପଡ଼ା ଜିଲ୍ଲାରୁ। ଆଉ ଏଥିରେ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ।

Advertisment

କୋମନା ଅଞ୍ଚଳର ଚଞ୍ଚଳ ସାଗର ଦୁରିଆ। ଗ୍ରାଜୁଏସନ୍‌ ପରେ ଚାକିରି ପଛରେ ନଗୋଡାଇ ଚାଷବାସରେ ମନୋନିବେଶ କରିଥିଲେ। ଆଉ ସଫଳ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଆୟୁର୍ବେଦ ଗୁଳ୍ମ ଲତା ପ୍ରେମରେ ପଡ଼ିଥିଲେ। ଲକ୍ଷ୍ମଣ ମିଶ୍ରଙ୍କ ବହି ପଢ଼ି ଆୟୁର୍ବେଦ ପ୍ରତି ଆକୃଷ୍ଟ ହୋଇଥିଲେ। ସେଥିପାଇଁ ନିଜର ଘର ବାଡିକୁ ଆୟୁର୍ବେଦ ପ୍ରୟୋଗଶାଳାରେ ପରିଣତ କରିଛନ୍ତି। ସେ ତାଙ୍କ ବାଡ଼ିରେ ବର୍ତ୍ତମାନ ୫୦ରୁ ଅଧିକ ଔଷଧୀୟ ଗୁଳ୍ମ ଲତା ରୋପଣ କରିଛନ୍ତି। ଯେଉଁଆଡ଼େ ଯାଉଥିଲେ, ଔଷଧୀର ଚାରା ଦେଖିଲେ ଘରକୁ ନେଇ ଆସୁଥିଲେ। ଆଉ ତାକୁ ନିଜ ବାଡ଼ିରେ ରୋପଣ କରିଦେଉଥିଲେ। ନିଜ ପିଲା ପରି ତା’ର ଯତ୍ନ ନେଉଛନ୍ତି। ସକାଳରୁ ସନ୍ଧ୍ୟା ଯାଏଁ ସେ ଔଷଧୀୟ ଚାରା ଯତ୍ନରେ ସମୟ ଅତିବାହିତ କରୁଛନ୍ତି।

ଚଞ୍ଚଳ ସାଗର ଦୁରିଆଙ୍କ ଏପରି ନିଶାକୁ ପତ୍ନୀ ସୂର୍ଯ୍ୟକାନ୍ତି ଦୁରିଆ ପ୍ରଥମେ ପ୍ରଥମେ ବିରୋଧ କରୁଥିଲେ। ଏବେ କିନ୍ତୁ ଆଉ ବିରୋଧ କରୁନାହାନ୍ତି। ବରଂ କାମରେ ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି। ସବୁବେଳେ ସ୍ୱାମୀଙ୍କ ପାଖେ ପାଖେ ରହୁଛନ୍ତି। ଆଉ ଉଭୟ ସ୍ୱାମୀ ଓ ସ୍ତ୍ରୀ ଔଷଧୀୟ ଚାରାର ଉପକାରିତା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ନିଜ ବଗିରେ ବଢ଼ାଇଥିବା ଔଷଧୀୟ ତାରାକୁ ଲୋକଙ୍କୁ ବଣ୍ଟନ କରୁଛନ୍ତି ଚଞ୍ଚଳ ସାଗର ଦୁରିଆ। ବର୍ତ୍ତମାନ ଚଞ୍ଚଳଙ୍କ ବଗିରେ ବେଲ, ବାସଙ୍ଗ, ରକ୍ତ ଚନ୍ଦନ, ଅଶୋକ, ପାତାଳ ଗୁରୁଡ, ନିଗୁଣ୍ଡି, ଅଶ୍ୱଗନ୍ଧା, ସ୍ୱର୍ଣ୍ଣଚମ୍ପା, ସତାବରୀ ସାଙ୍ଗକୁ ୫୦ ପ୍ରକାର ଗୁଳ୍ମ ଲତା ରହିଛି। ଆହୁରି କଲେକ୍‌ସନ୍‌ ମଧ୍ୟ କରୁଛନ୍ତି। ନିଜେ ଔଷଧୀୟ ଗୁଳ୍ମ ଲତା ସେବନ କରିବା ସହିତ ଅନ୍ୟମାନଙ୍କୁ ପରାମର୍ଶ ଦେଉଛନ୍ତି।

Advertisment

ଏନେଇ ଚଞ୍ଚଳ ସାଗର ଦୁରିଆ କହିଛନ୍ତି, ପ୍ରତ୍ୟକ ଗଛ ଲତାର କିଛି ନା କିଛି ଔଷଧୀୟ ଗୁଣ ରହିଛି। କେଉଁ ଗଛର ଚେରରେ ଔଷଧୀୟ ଗୁଣ ରହିଛି ତ ଆଉ କେଉଁ ଗଛର ବକ୍‌ଳ, ପତ୍ର ଓ ଫୁଲରେ ରହିଛି ଔଷଧୀୟ ଗୁଣ। ଲକ୍ଷ୍ମଣ ମିଶ୍ରଙ୍କ ଆୟୁର୍ବେଦ ପୁସ୍ତକ ପଢ଼ିବା ପରେ ଏ ସମ୍ପର୍କରେ ବହୁତ ତଥ୍ୟ ପାଇଥିଲି। ତା’ପରେ ଗଛ ସଂଗ୍ରହ କରିବାରେ ଲାଗି ପଡ଼ିଲି। ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରିଥିବା ଗଛ ଗୁଡ଼ିକୁ ନିଜ ବାଡ଼ିରେ ଲଗାଉଛି। ଏବେ ୫୦ ପ୍ରକାର ଔଷଧୀୟ ଚାରା ରୋପଣ କରିଛି। ଏଲୋପାତି ମେଡିସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ମାତ୍ର ଆୟୁର୍ବେଦକ ମେଡିସିନ୍‌(ଚେର ମୂଳି)ର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଚେର ମୂଳିରେ ଏତେ ଔଷଧୀୟ ଗୁଣ ରହିଛି। ତାହା ବିଷୟରେ କହି ହେବନାହିଁ। ମେଡିସିନ୍‌ ଖାଇଲେ ଯେଉଁ ରୋଗ ଭଲ ହୁଏନାହିଁ, ସେହି ରୋଗ ଚେରମୂଳିରେ ଭଲ ହୋଇଥାଏ ବୋଲି ଶ୍ରୀ ଦୁରିଆ କହିଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Nuapada