Advertisment

ଉଷା ଦେବୀଙ୍କ ପରେ ପୁଅ ମୈଦାନରେ; ହେଲେ କେବେ ସୁଧୁରିବ ସିନ୍ଧୁପଙ୍କ ଗାଁର ଚିତ୍ର?

ଚିକିଟି ନିର୍ବାଚନମଣ୍ଡଳୀର ପାତ୍ରପୁର ବ୍ଲକଠାରୁ ୧୦ କିମି ଗଲେ ପଡ଼ିବ ସୁରଙ୍ଗି ପଞ୍ଚାୟତ। ଏଠାରୁ ୩ କିମି ଜଙ୍ଗଲୀ ରାସ୍ତା ଅତିକ୍ରମ କଲେ ପଡ଼ିବ ସିନ୍ଧୁପଙ୍କ ଗାଁ। ଲିମିଜାନୀ ପାହାଡ଼ ପାଦ ଦେଶରେ ଏହି ଗାଁଟି ଅବସ୍ଥିତ। ଏଠାରେ ୨୦ରୁ ଊର୍ଦ୍ଧ୍ୱ ପରିବାର କାହିଁ କେଉଁ କାଳରୁ ବସବାସ କରି ଆସୁଛନ୍ତି।

BJD

BJD

Advertisment

ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନମଣ୍ଡଳୀ। ଏଠାରୁ ବିଜେଡିରୁ ରାଣୀ ମାଆ ଉଷା ଦେବୀ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥର ତାଙ୍କ ପୁଅ ନିର୍ବାଚନ ମୈଦାନରେ ଅଛନ୍ତି। ଗାଁକୁ ଗାଁ ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। ଆଉ କେତେ କଣ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି, ୭ ଥର ବିଧାୟକ ହୋଇଥିଲେ ମଧ୍ୟ ଉଷା ଦେବୀ ସୁରଙ୍ଗି ପଞ୍ଚାୟତର ସିନ୍ଧୁପଙ୍କ ଗାଁର ଚିତ୍ର ବଦଳାଇ ପାରିଲେ ନାହିଁ। ଯେଉଁଥିପାଇଁ ଗାଁରେ ପହଞ୍ଚି ପାରିନି ପାନୀୟ ଜଳ, ରାସ୍ତା ଓ ବିଦ୍ୟୁତ ପରି ଅତ୍ୟାବଶ୍ୟକ ସେବା। ଯଦି ତାଙ୍କ(ଉଷା ଦେବୀ) ପୁଅ ବିଧାୟକ ହୁଅନ୍ତି, ତାହାହେଲେ ଗାଁ ସମସ୍ୟା ସମାଧାନ ହେବ ତ???

Advertisment

ଚିକିଟି ନିର୍ବାଚନମଣ୍ଡଳୀର ପାତ୍ରପୁର ବ୍ଲକଠାରୁ ୧୦ କିମି ଗଲେ ପଡ଼ିବ ସୁରଙ୍ଗି ପଞ୍ଚାୟତ। ଏଠାରୁ ୩ କିମି ଜଙ୍ଗଲୀ ରାସ୍ତା ଅତିକ୍ରମ କଲେ ପଡ଼ିବ ସିନ୍ଧୁପଙ୍କ ଗାଁ। ଲିମିଜାନୀ ପାହାଡ଼ ପାଦ ଦେଶରେ ଏହି ଗାଁଟି ଅବସ୍ଥିତ। ଏଠାରେ ୨୦ରୁ ଊର୍ଦ୍ଧ୍ୱ ପରିବାର କାହିଁ କେଉଁ କାଳରୁ ବସବାସ କରି ଆସୁଛନ୍ତି। ସମସ୍ତେ ପ୍ରାୟତଃ ଆଦିବାସୀ ଓ ଗରିବ ଶ୍ରେଣୀର। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଓ ଆଖପାଖ ଗାଁରେ କାମଦାମ କରି ପରିବାର ଭରଣ ପୋଷଣ କରୁଛନ୍ତି। ପାଠଶାଠ କ’ଣ ସେମାନେ ଜାଣନ୍ତି ନାହିଁ।

ନାହିଁ ନାହିଁର ଗାଁ ହେଉଛି ସିନ୍ଧୁପଙ୍କ। ନା ଏହି ଗାଁକୁ ରାସ୍ତା ଅଛି ନା ଗାଁରେ ପାନୀୟ ଜଳର ବ୍ୟବସ୍ଥା ରହିଛି। ନା ଗାଁକୁ ବିଜୁଳି ଯାଇଛି। ସ୍କୁଲ ଓ ଅଙ୍ଗନବାଡ଼ି କଥା ନକହିବା ଭଲ। ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ତେଣୁ ଲୋକମାନେ ଆବୁଡ଼ା ଖାବୁଡ଼ା ଜଙ୍ଗଲି ରାସ୍ତା ଅତିକ୍ରମ କରି ଗାଁକୁ ଯିବା ଆସିବା କରୁଛନ୍ତି। କାହିଁ କେଉଁ କାଳରୁ ଗାଁରେ ଗୋଟିଏ କୂଅ ଥିଲା। ସେହି କୂଅ ପାଣି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଥିଲା। ହେଲେ ଗ୍ରୀଷ୍ମ ଋତୁ ଆସିଲେ ସେହି କୂଅ ଶୁଖି ଯାଉଛି। ତେଣୁ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକ। ଏନେଇ ଗାଁ ଲୋକେ କେତେ କାହାକୁ ଗୁହାରୀ କରିଛନ୍ତି। ହେଲେ କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

Advertisment

ଗାଁର ଭୀମ ବେହେରା ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ ଯାହା ରୋଜଗାର କରିଥିଲେ, ସବୁ ଟଙ୍କା ଧରି ଦୁଇ ମାସ ତଳେ ଗାଁକୁ ଫେରିଥିଲେ। ଗାଁକୁ ଫେରିବା ପରେ ଉତ୍କଟ ପାନୀୟ ଜଳ ସମସ୍ୟା କେମିତି ସମାଧାନ ହୋଇପାରିବ, ତାହା ଉପରେ ଚିନ୍ତା କଲେ। ସେ ପ୍ରଥମେ ଗାଁକୁ ସୁରକ୍ଷା ଦେଉଥିବା ଲିମିଜାନୀ ପାହାଡ଼ ଉପରକୁ ଯାଇଥିଲେ। ଆଉ ପାହାଡ଼ ଉପରେ ଛିଡ଼ା ହୋଇ ଦୂରରୁ ଗାଁକୁ ଦେଖିଥିଲେ। ସେହି ସମୟରେ ତାଙ୍କ କାନରେ ପଡ଼ିଥିଲା ପାହାଡ଼ ଉପରେ ଶୁଣିବାକୁ ପାଇଥିଲେ ଝରଣାର କୁଳୁକୁଳୁ ନାଦ। ତା’ପରେ ତାଙ୍କ ମନକୁ ଆସିଲା, ସେହି ପାଣି କେମିତି ଗାଁକୁ ଯିବ? ଏନେଇ ଗାଁ ଲୋକଙ୍କ ସହିତ ଆଲୋଚନା କଲେ।

ଗାଁ ଲୋକଙ୍କ ସହିତ ଆଲୋଚନା କରି ପାହାଡ଼ ଉପରୁ ପାଣି ଆଣିବା ପାଇଁ ବ୍ୟବସ୍ଥା କଲେ। ପ୍ରଥମେ ସେ ନିଜ ପାଖରେ ଥିବା ୩୫ ହଜାର ଟଙ୍କାକୁ ଖର୍ଚ୍ଚ କରିଥିଲେ। ତା’ପରେ ଗାଁ ଲୋକଙ୍କ ସହଯୋଗରେ ପାହାଡ଼ ଉପରେ ଝରଣା ପାଣିକୁ ପ୍ରଥମେ ଅଟକାଇଲେ। ତା’ପରେ ସେହି ପାଣିକୁ ପାଇପ୍‌ ଯୋଗେ ଗାଁକୁ ଆଣିଲେ। ସେଥିପାଇଁ ଗାଁରେ ବସିଛି ବଡ଼ ବଡ଼ ଡ୍ରମ୍‌। ପାହାଡ଼ ଉପରୁ ପାଇପରେ ଆସୁଥିବା ପାଣି ସେହି ଡ୍ରମ୍‌ରେ ରହୁଛି। ତା’ପରେ ସେହି ପାଣିକୁ ଗାଁ ଲୋକେ ବ୍ୟବହାର କରୁଛନ୍ତି।

ଗାଁର ପାନୀୟ ଜଳ ସମସ୍ୟା ନେଇ ଭୀମ ବେହେରା କହିଛନ୍ତି, ଆମ ଗାଁରେ ବହୁଦିନ ହେଲା ପାନୀୟ ଜଳ ସମସ୍ୟା ଥିଲା। ଏନେଇ ବହୁବାର ଅଭିଯୋଗ କରିଛୁ। ହେଲେ ଆମ କଥା ଶୁଣିଲେନି ରାଜ୍ୟ ସରକାର। ଦାଦନ ଖଟି ଫେରିବା ପରେ ଗାଁରେ ପାନୀୟ ଜଳ ସମସ୍ୟା ଦେଖିବାକୁ ପାଇଥିଲି। ତା’ପରେ ପାହାଡ଼ ଉପରୁ ପାଇପ୍‌ରେ ପାଣି ଆଣି ଚଳୁଛୁ ବୋଲି ଭୀମ ବେହେରା କହିଛନ୍ତି।

ଗାଁର ସମସ୍ୟା ନେଇ ପ୍ରଶାସନ ବା ସ୍ଥାନୀୟ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ଦିଗପହଣ୍ଡି ରୁ ସତ୍ୟ ନାରାୟଣ ପାଢ଼ୀ

Ganjam Drinking Water Problem Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe