Advertisment

ଦୁର୍ନୀତିରେ ଉବୁଟୁବୁ ‘ଅଳକା’!

ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।

ଅଦ୍ୟତନ ହୋଇଛି
Alaka

Alaka

Advertisment

ଭୁବନେଶ୍ୱର ପାଇକାରୀ ସମବାୟ ସମିତି ‘ଅଳକା’ ହାତରେ ରହିଛି ରାଜଧାନୀର ପ୍ରମୁଖ ବାଣିଜ୍ୟିକ ପ୍ରତିଷ୍ଠାନ ମାର୍କେଟ ବିଲଡିଂ। ଏହି ସମବାୟ ସମିତି କମ୍ ଲାଭ ରଖି ଗ୍ରାହକଙ୍କୁ ବିଭିନ୍ନ ଖାଉଟି ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟରେ ୧୯୯୧ ମସିହାରେ ୧୪,୩୧୦ ବର୍ଗ ଫୁଟର ଜମି ସହ ଅନେକ କୋଠା ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ। ମାତ୍ର ସମବାୟ ସମିତିର ସଭାପତି, ସଂପାଦକ ଓ କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ଯୋଗୁଁ ଏହା ଏବେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ସମବାୟ ନିବନ୍ଧକଙ୍କ ତଦନ୍ତରୁ ଜଣାପଡ଼ୁଛି। ‘ଅଳକା’ରେ ବର୍ତ୍ତମାନର ସଭାପତି ବିଶ୍ୱଜିତ୍ ରାଉତଙ୍କ ନାଁରେ ୧୫ ଜଣ ନିର୍ଦ୍ଦେଶକ ବା ସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୧ ଜଣ ଲିଖିତ ଅଭିଯୋଗ କଲା ପରେ ସହକାରୀ ରେଜିଷ୍ଟ୍ରାରଙ୍କ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି।

Advertisment

ସଭ୍ୟମାନେ ଦେଇଥିବା ୧୨ଟି ଅଭିଯୋଗ ଉପରେ ତଦନ୍ତ କଲା ପରେ ଜଣାପଡ଼ିଛି- ୨୦୨୩ରେ ନିର୍ବାଚିତ ପରିଚାଳନା ପରିଷଦ ସଦସ୍ୟଙ୍କ ମତକୁ ପ୍ରାୟ ସବୁବେଳେ ଅଣଦେଖା କରିଛନ୍ତି ସଭାପତି।

ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି। ଯେମିତିକି ଗୋଟିଏ ଘରୋଇ ଟିଭି ଗୋଟିଏ ୪ ମହଲା କୋଠା ନେଇ ମାସିକ ଦେଢ଼ ଲକ୍ଷ ଟଙ୍କା ଦେବ ବୋଲି ଚୁକ୍ତି କରିଥିଲେ ସୁଦ୍ଧା ବର୍ତମାନ ୨୬ ଲକ୍ଷ ୭୦ ହଜାର ଟଙ୍କା ବକେୟା ଭଡ଼ା ଦେଇନାହିଁ। ବରଂ ଏହା ଅନ୍ୟ ଏକ ଫେସନ୍ ଷ୍ଟୋରକୁ ବେଆଇନ ଭାବେ ବିଲଡିଂଟିକୁ ସବଲେଟ୍ କରିଦେଇଛି। କେବଳ ସେତିକି ନୁହେଁ, ନିର୍ଦ୍ଦେଶକମାନଙ୍କ ବିନା ସହମତିରେ ଏବଂ ଛୁଟି ଦିନରେ ମିଟିଂ ଡାକି ମନମୁଖୀ ଟେଲିଫୋନ୍ ବିଲ, ଟ୍ରାଭଲ ଆଲାଉନସ୍ ଓ ବିଭିନ୍ନ ସଭାସମିତି ବାବଦରେ ଯଥେଷ୍ଟ ଅଧିକ ବିଲ୍ ନେଇଛନ୍ତି ସଭାପତି। ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରୁ ଯାଇ ଅଳକାରେ ମୁଖ୍ୟ ନିର୍ବାହୀ ଭାବେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ଓ ଅନ୍ୟ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଦୁର୍ନୀତି ଚରମ ସୀମାରେ ପହଁଚିଥିବା ସମବାୟ ନିବନ୍ଧକଙ୍କ ଦ୍ୱାରା କରାଯାଇଥିବା ଦୁଇଟି ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସଭାପତି ଓ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଅଳକା ତଳକୁ ତଳକୁ ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଅନ୍ୟତମ ନିର୍ଦ୍ଦେଶକ-ସଭ୍ୟ ଚନ୍ଦ୍ରଶେଖର ଗୁମାନସିଂ ଓ ରଶ୍ମିତା ମଞ୍ଜରୀ ରାୟ।

Advertisment

ପ୍ରାୟ ୩ ମାସ ତଳୁ ‘ଅଳକା’ ସଂପର୍କରେ ଦୁଇଟି ବିଭାଗୀୟ ତଦନ୍ତ ରିପୋର୍ଟ ସମବାୟ ନିବନ୍ଧକଙ୍କ ପାଖରେ ପହଞ୍ଚିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏନେଇ ଆମେ ସମବାୟ ନିବନ୍ଧକ ସିଦ୍ଧାର୍ଥ ଦାସଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନଥିଲା। ଅନ୍ୟପଟରେ ସଭାପତି ବିଶ୍ୱଜିତ୍ ରାଉତଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଲେ, ତଦନ୍ତରୁ ଯାହା ଫଳାଫଳ ଆସିବ, ମୁଁ କିଛି କହିବାକୁ ଚାହୁଁନାହିଁ।

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ)

Corruption
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe